Home ଅନୁଗୁଳ ବଙ୍ଗୁ ନାଳରେ ଏନ୍‌.ଟି.ପି.ସି ତାଳଚେର ପ୍ଲାଂଟର ବିଷାକ୍ତ ପାଣି ମିଶୁଥିବାର ଗ୍ରାମବାସୀଙ୍କ ଅଭିଯୋଗ

ବଙ୍ଗୁ ନାଳରେ ଏନ୍‌.ଟି.ପି.ସି ତାଳଚେର ପ୍ଲାଂଟର ବିଷାକ୍ତ ପାଣି ମିଶୁଥିବାର ଗ୍ରାମବାସୀଙ୍କ ଅଭିଯୋଗ

84

ତାଳଚେର(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟି.ଟି.ପି.ଏସ) ପ୍ଲାଂଟ ନିର୍ଗତ ବିଷାକ୍ତ ବର୍ଜ୍ୟ ପାଣି ଆଜି ମଧ୍ୟାହ୍ନରେ ବର୍ଷା ହେବା ସମୟରେ ତାଳଚେର ବ୍ଲକର ବନ୍ତୋଲ ଗ୍ରାମ ପଂଚାୟତ ଅନ୍ତର୍ଗତ ବଙ୍ଗୁ ଗ୍ରାମର ଉପର ମୁଣ୍ଡରେ ଯାଇଥିବା ନାଳରେ ଛାଡ଼ିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ପ୍ଲାଂଟ କର୍ତୃପକ୍ଷ ଜାଣିଶୁଣି ଠିକ୍ ବର୍ଷା ହେବା ସମୟରେ ପ୍ଲାଂଟର ବର୍ଜ୍ୟ ପାଣି ଯେପରିକି ପେଟ୍ରୋଲ ଡିଜେଲ,କିରୋସିନ୍ ଓ ଏସିଡ଼ ପରି ବିଷାକ୍ତ ସାମଗ୍ରୀ ଉକ୍ତ ନାଳରେ ଛାଡ଼ିଛନ୍ତି । ଯାହାକି ଆଜି ଉକ୍ତ କେନାଲ ପାଣିରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି । ତେବେ ଉକ୍ତ କେନାଲ ପାଣିକୁ ବନ୍ତୋଲ ଓ ସନ୍ଥପଡ଼ା ଗ୍ର୍ରାମ ପଂଚାୟତର ଅଧିବାସୀମାନେ ବ୍ୟବହାର କରୁଥିବାର ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି । ଏ ସମ୍ପର୍କରେ ବଙ୍ଗୁ ଗ୍ରାମବାସୀ ଆଜି ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କୁ ଅବଗତ କରାଇବାରୁ ସେ ତୁରନ୍ତ ନାଳ ସ୍ଥଳକୁ ଯାଇ ଏନ୍‌.ଟି.ପି.ସି ଛାଡ଼ିଥିବା ବିଷାକ୍ତ ବର୍ଜ୍ୟ ପାଣିକୁ ଦେଖିବାସହ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିବାର ବ୍ଲକ ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷେ ଏନ୍‌.ଟି.ପି.ସି ତାଳଚେର ଥର୍ମାଲ କର୍ତୃପକ୍ଷଙ୍କ ଏ ସମ୍ପର୍କରେ ମତାମତ ମିଳି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.