Home କେନ୍ଦୁଝର ବକେୟା ଟଙ୍କା ମାଗିବାରୁ ଟ୍ରାକ୍ଟର ମାଲିକଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ, ତିନି ଆହତ, ଜଣେ ଗୁରୁତର

ବକେୟା ଟଙ୍କା ମାଗିବାରୁ ଟ୍ରାକ୍ଟର ମାଲିକଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ, ତିନି ଆହତ, ଜଣେ ଗୁରୁତର

179

ହାଟଡ଼ିହି, ୧୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବକେୟା ଟଙ୍କା ମାଗିବାରୁ ଟ୍ରାକ୍ଟର ମାଲିକ ଓ ତାଙ୍କ ପରିବାର ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତିନିଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁନେଇ ଗାଁରେ ଉତ୍ତେଜନା ଲାଗିରହିଛି । ଖବରରୁ ଜଣାଯାଇଛି ଯେ ସମଣା ଗ୍ରାମର ସୁରେଶ କୁମାର ସାହା ତାଙ୍କ ଟ୍ରାକ୍ଟରରେ ସେହି ଗାଁର ଫକିର ସାହାଙ୍କର କିଛି କାମଦାମ କରିଥିଲେ । ଏହି କାମ ବାବଦକୁ ଫକିରଙ୍କ ଉପରେ ୧୫ଶହ ଟଙ୍କା ବାକି ଥିଲା । ଗତକାଲି ସୁରେଶ ଫକିରଙ୍କୁ ସେହି ବାକି ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହେବାସହ ଫକିର ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଆଜି ସକାଳେ ସୁରେଶଙ୍କ ପୁଅ ଅଭିଜିତ ବୈତରଣୀ ନଦୀକୁ ଶୌଚ ପାଇଁ ଯାଇ ଫେରୁଥିବାବେଳେ ହଠାତ ଫକିରଙ୍କ ପରିବାର ଲୋକେ ତାକୁ ସଂଘବଦ୍ଧ ଭାବେ ପିଟାମରା କରିଥିଲେ । ଅଭିଜିତ ଘରକୁ ଫେରି ଏ ବାବଦରେ କହିବାରୁ ବାପା ସୁରେଶ, ଦାଦା ସୁବାସ, ଭାଇ ଲିପୁନୁ ପ୍ରମୁଖ ଫକିରଙ୍କ ଘରକୁ ପଚାରିବାକୁ ଯାଇଥିଲେ । ସେଠାରେ ପହଞ୍ଚିବାପରେ ଫକିରଙ୍କ ପରିବାର ଲୋକେ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମାନେ ସୁରେଶଙ୍କ ପିଠି ଓ ପେଟରେ ଏକ ବଚ୍ଛା ଭୁଷି ଦେବାରୁ ପେଟ ଓ ପିଠିରେ ଗଭୀର କ୍ଷତ ହୋଇଥିବାବେଳେ ସୁବାସଙ୍କ ଗୋଡରେ ମଧ୍ୟ ଗଭୀର କ୍ଷତ ହୋଇଛି । ସେହିପରି ଲିପୁନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ କ୍ଷତ ସୃଷ୍ଟି ହୋଇଛି । ଖବରପାଇ ସୁରେଶଙ୍କ କିଛି ସମ୍ପର୍କୀୟ ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସୁରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର କିମସି ହସପିଟାଲକୁ ପଠାଯାଇଥିବାବେଳେ ସୁବାସ ଓ ଲିପୁନ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଆକ୍ରମଣକାରୀ ମାନଙ୍କୁ ଥାନାକୁ ଆସିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.