Home ଜିଲ୍ଲା ପରିକ୍ରମା ଫୁଡ ଓ ଟେକ୍ସଟାଇଲ ପାର୍କ କେବେ!, ପ୍ରସ୍ତାବ ଓ ପ୍ରତିଶ୍ରୁତିରେ ସୀମିତ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ...

ଫୁଡ ଓ ଟେକ୍ସଟାଇଲ ପାର୍କ କେବେ!, ପ୍ରସ୍ତାବ ଓ ପ୍ରତିଶ୍ରୁତିରେ ସୀମିତ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବାର ପ୍ରୟାସ

16

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଳ୍ପ ବିହୀନ ଜିଲ୍ଲା ପରି ବାସ୍ତବତା ମଧ୍ୟରୁ ମୁକୁଳି ପାରୁନି ଭଦ୍ରକ । ବୃହତ୍ ଶିଳ୍ପ ଏଠି ସ୍ୱପ୍ନ । ସମସ୍ତପ୍ରକାର ଭିତ୍ତିଭୂମୀ ଓ ଗମନାଗମନର ସୁବିଧା ରହିଛି ଭଦ୍ରକରେ । ଏସବୁ ସତ୍ତ୍ୱେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ କୌଣସି ରାଜନେତାଙ୍କ ଠାରେ ଆନ୍ତରିକତା ଦେଖିବାକୁ ମିଳୁ ନାହିଁ । କେବଳ ମିଛ ପ୍ରତିଶ୍ରୁତି ଓ ଚିଠିପତ୍ର ଆଦାନ ପ୍ରଦାନରେ ସିମୀତ ରହିଛି ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବାର ପ୍ରସାସ । ଧାମନଗର ଛକରେ ଇଡ଼କୋ ଅଧିନରେ ରହିଛି ପ୍ରାୟ ୨୧୮ ଏକର ଜମି । ଏହି ଜମି ମଧ୍ୟରୁ ୬୦ଏକର ଜମିରେ ରାଜ୍ୟ ସରକାର ଏକ ଫୁଡ଼ ପାର୍କ କରିବାକୁ ଘୋଷଣା କରିଥିଲେ । ସେହିପରି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଏହି ସ୍ଥାନରେ ୫୯ଏକର ଜମି ଉପରେ ଟେକ୍ସଟାଇଲ ପାର୍କ କରିବାକୁ ଘୋଷଣା କରିଥିଲେ । ଏପରିକି ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଅଧିନରେ ଏଠାରେ ବହୁ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଶାସକ ବିଜେଡ଼ି ପକ୍ଷରୁ କୁହାଯାଇଥିଲା । ଗତ ସାଧାରଣ ନିର୍ବାଚନ ସମୟରେ ଫୁଡ଼ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ଏକ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ଇତିମଧ୍ୟରେ ସାଧାରଣ ନିର୍ବାଚନ ସରିବାକୁ ୨ବର୍ଷ ପୁରିବାକୁ ବସିଛି । କିନ୍ତୁ ଏହି ଦୁଇଟି ପ୍ରସ୍ତାବିତ ପ୍ରକଳ୍ପ ଏବେ ପ୍ରସଙ୍ଗ ବିହୀନ ହୋଇ ଯାଇଛି । ଉଭୟ ବିଜେଡ଼ି ଓ ବିଜେପି ଏହି ଦୁଇ ପ୍ରକଳ୍ପକୁ ନେଇ ସେମିତି କିଛି ଆନ୍ତରିକତା ପ୍ରକାଶ କରୁ ନାହାନ୍ତି । ତେବେ ଗତ ବର୍ଷ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଥିଲେ । ଏହି ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଉଦାସୀନତା ଅବଲମ୍ବନ କରୁଛି ବୋଲି ବିଜେପି ଅଭିଯୋଗ କରି ନିର୍ବାଚନ ପୂର୍ବରୁ ୬ଘଣ୍ଟିଆ ଭଦ୍ରକ ସହର ବନ୍ଦ ପାଳନ କରିଥିଲା ।

କିନ୍ତୁ ଏଦିଗରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ନୀରବତା ଜିଲ୍ଲାବାସୀଙ୍କ ମଧ୍ୟରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟକାରୀତାକୁ ନେଇ । ସୂଚନାଥାଉକି ୧୯୯୦ ଦଶକରେ ଏହି ଜିଲ୍ଲା ଧାମନଗର ଛକ ଠାରେ ଏକ ଚିନିକଳ ଧରଣୀ ସୁଗାର୍ସ ପ୍ରତିଷ୍ଠା ପାଇଁ ୨୧୭.୭୧ଏକର ଜମି ଅଧିଗ୍ରହଣ କରିଥିଲା । ସ୍ଥାନୀୟ ଲୋକେ ନିଯୁକ୍ତି ପାଇବା ଆଶାରେ ସେମାନଙ୍କ ଚାଷ ଜମି କମ୍ପାନୀକୁ ବହୁ କମ୍ ଦାମରେ ବକ୍ରି କରିଥିଲେ । କମ୍ପାନୀ ଚିନିକଳ ପ୍ରତିଷ୍ଠା ନିଷ୍ପତ୍ତିରୁ ଓହରିଯିବା ପରେ ଏହି ଜମିକୁ ଇଡ଼କୋ ଅଧିଗ୍ରହଣ କରିଥିଲା । ସେହି ଦିନଠାରୁ ଏହି ବିଶାଳ ଭୂଖଣ୍ଡ ଅବ୍ୟବହୃତ ହୋଇ ପଡ଼ି ରହିଛି । ତେବେ ସରକାର ଏଠାରେ ଏକ ଫୁଡ଼ ପାର୍କ ହେବ ବୋଲି କହିଥିଲେ । କିନ୍ତୁ ଏଦିଗରେ କୌଣସି ପଦକ୍ଷେପ ଏଯାବତ୍ ନିଆଯାଇ ପାରିଲା ନାହିଁ । ସେହିପରି ଏହି ଜମିରେ ଏକ ବୟନଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇ କଥା ବହୁତ ବାଟ ଆଗେଇଥିଲା । ଏହି ପ୍ରକଳ୍ପରେ ୧୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଥିଲା । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହେବା ସହ ଅନ୍ୟାନ୍ୟ ସହଯୋଗୀ ଶିଳ୍ପ ପ୍ରତିଷ୍ଠା ହେବ ଓ ୨୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଥିଲା । ଏବେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ି ସରକାର । ବୟନ ଶିଳ୍ପ ପାର୍କ ଆଉ ବିଜେପି ପାଇଁ ଏକ ପ୍ରସଙ୍ଗ ହୋଇ ରହି ନାହିଁ । ବିଜେପି ସମ୍ପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗକୁ ଭୂଲିଯାଇଛି । ସେହିପରି ଏହି ଅଧିଗୃହିତ ଜମିରେ ରାଜ୍ୟ ସରକାର ଫୁଡ଼ ପାର୍କ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଥିଲେ । ଫଳରେ ଅର୍ଥନୈତିକ ବିକାଶ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଥିଲା । ବିଜେପି ପରି ବିଜେଡ଼ି ମଧ୍ୟ ଫୁଡ଼ ପାର୍କ କଥା ଭୂଲିଯାଇଛି । ଫଳରେ ଏହି ଦୁଇ ପାର୍କର ଭାଗ୍ୟ କେବଳ ପ୍ରସ୍ତାବ ମଧ୍ୟରେ ଅଟକି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.