Home କନ୍ଧମାଳ ଫାର୍ମାସିଷ୍ଟ ଭରଷାରେ ଚାଲିଛି ସ୍ବାସ୍ଥ୍ୟସେବା : ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବି

ଫାର୍ମାସିଷ୍ଟ ଭରଷାରେ ଚାଲିଛି ସ୍ବାସ୍ଥ୍ୟସେବା : ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବି

37

ବାଲିଗୁଡ଼ା, ୧୫/୦୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର। ଫାର୍ମାସିଷ୍ଟ ଭରଷାରେ ଚାଲିଛି ଡ଼ାକ୍ତରଖାନା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ। ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗଦାପୁର ସରକାରୀ ଚିକିତ୍ସାଳୟରେ। ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳରେ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ସରକାରୀ ଚିକିତ୍ସାଳୟ ଦୀର୍ଘ ଦିନ ହେବ ମହିଳା ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି। ଡାକ୍ତର ନଥିବାରୁ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇପାରୁନଥିବା ବେଳେ ଅଧିକାଂଶ ସମୟରେ ଡାକ୍ତରଖାନାରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡି ବ୍ଲକର ଗଦାପୁର, ସରାମୁଳି, ତାଜୁଙ୍ଗୀ ଓ ହାତିମୁଣ୍ଡା ଚାରୋଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ଦୀର୍ଘ ଦିନରୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଡାକ୍ତର ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେବାକୁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ। ସେପଟେ ଡାକ୍ତରଖାନାର ପାରିପାର୍ଶ୍ବିକ ଅବସ୍ଥିତି ଠିକ୍ ନଥିବା ସହ ବର୍ଷାଦିନେ ଛାତରୁ ପାଣି ଗଳୁଛି। ଅନ୍ୟପଟେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗାଇଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ଫାର୍ମାସିଷ୍ଟ। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.