Home ଜିଲ୍ଲା ପରିକ୍ରମା ଫର୍ଟିଫାଏଡ଼୍ ଚାଉଳ କୁପୋଷଣ ଦୂରେଇବା ସହିତ ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ, ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ...

ଫର୍ଟିଫାଏଡ଼୍ ଚାଉଳ କୁପୋଷଣ ଦୂରେଇବା ସହିତ ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ, ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

14

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଷଣ ସ୍ତରରେ ସୁଧାର ଆଣିବା ପାଇଁ ସୂକ୍ଷ୍ମ ପୋଷକ ତତ୍ୱ ସ୍ତରର ମାତ୍ରାକୁ ବଢ଼ାଇବା ପାଇଁ ଚାଉଳ କୁ ଫର୍ଟିଫିକେସନ୍ କିରବା ନିହାତି ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱାଲର୍ଡ଼ ଫୁଡ଼୍ ପ୍ରୋଗ୍ରାମ ଯୋଜନାନୁସାରେ ଆମ ଦେଶ ଓ ଆମ ରାଜ୍ୟରେ ସମସ୍ତ ସରକାରୀ ଯୋଜନାରେ ଫର୍ଟିଫଏଡ଼ ଚାଉଳ ଉପଲବ୍‌ଧ କରାଯାଉଛି । ସ୍କୁଲ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ରେ ରନ୍ଧାଖାଦ୍ୟ ଓ ଯୋଗାଣ ବିଭାଗର ରେସନ କାର୍ଡ଼ ରେ ଏହି ଚାଉଳ ଯୋଗାଇ ଦିଆଯାଉଛି । ଏହି ଚାଉଳର ଉପଯୋଗିତା, ବ୍ୟବହାର ପ୍ରକ୍ରିୟା ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାର ସେଂଟର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା ଅମୂଲ୍ୟ କୁମାର ଦାସ, ୱାର୍ଡ଼ ଫୁଡ଼୍ ପ୍ରୋଗ୍ରାମ ର ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ମୋନା ଜେଠୁଆ ପ୍ରମୁଖ ଯୋଗ ଦେଇଥିଲେ । ଫର୍ଟିଫାଏଡ଼୍ ଚାଉଳ କ’ଣ, ଏହାର ପ୍ରସ୍ତୁତି, ଆବଶ୍ୟକତା, ଉପାଦାନ, କୁପୋଷଣ ଦୂର କରିବାରେ ଏହାର ପ୍ରମୁଖ ଭୂମିକା, ଫର୍ଟିଫାଏଡ଼ ଚାଉଳ ଓ ଅନ୍ୟଖାଦ୍ୟ ପ୍ୟାକେଟ କୁ ଜାଣିବା, ଫର୍ଟିଫାଏଡ଼୍ ଚାଉଳ ରନ୍ଧନ ପ୍ରକ୍ରିୟା ଆଦି ସମ୍ବନ୍ଧରେ ପ୍ରଶିକ୍ଷକ ଗୋଟି ଗୋଟି କରି ବିଷଦ ଭାବେ ବୁଝାଇଥିଲେ । ଚାଉଳ ଗୁଣ୍ଡରେ ସୂକ୍ଷ୍ମ ପୋଷକ ତତ୍ୱ ହିସାବରେ ଉପଯୁକ୍ତ ମାନ ଓ ମାତ୍ରା ଅନୁସାରେ ଭିଟାମିନ୍ ବି-୧୨, ଲୌହ ଓ ଫଲିକ୍ ଏସିଡ଼୍ ମିଶାଯାଇ ମିଶ୍ରଣକୁ ବୈଷୟିକ କୌଶଳରେ ମେସିନ୍ ସାହାଯ୍ୟରେ ଏଫ୍‌.ଆର.କେ ଚାଉଳ ଦାନା ପ୍ରସ୍ତୁତ କରାଯାଇ ଏବଂ ଏଥିରୁ ୧ ଗ୍ରାମ କୁ ସାଧାରଣ ଚାଉଳ ୧୦୦ ଗ୍ରାମ ସହିତ ମିଶାଯାଏ । ଯାହାକୁ ଫର୍ଟିଫାଏଡ଼୍ ଚାଉଳ କୁହାଯାଏ ଏବଂ ଏହାଥିବା ବ୍ୟାଗରେ +ୠ ଲୋଗୋ ରହିଥାଏ । ଫର୍ଟିଫାଏଡ଼୍ ଚାଉଳ ଭଳି ଅନ୍ୟ ଫିର୍ଟିଫାଏଡ଼୍ ଖାଦ୍ୟ ହିସାବରେ ଲୁଣ, ତେଲ ଓ ଦୁଗ୍ଧ ର ବ୍ୟବହାର କରାଯାଉଛି । ପ୍ରେସର କୁକର, ରାଇସ୍ କୁକର ରେ ରାନ୍ଧିଲେ ଏବଂ ବାହାରେ ରାନ୍ଧିବା ବେଳେ ଢାଙ୍କୁଣି ବ୍ୟବହାର ସହିତ ପେଜ ନ ଗାଳିଲେ ଭାତର ପୋଷକ ତତ୍ୱ ଠିକ୍ ରହିବ ବୋଲି ପ୍ରକାଶ କରାଯାଇଥିଲା । ଏହି ପୋଷକ ତତ୍ୱ ଆନିମିଆ ଦୂରକରିବା ସହିତ ସୂକ୍ଷ୍ମ ପୋଷକ ତତ୍ୱ ର ସ୍ୱଳ୍ପତାରୁ ବଂଚାଇ ଅପପୁଷ୍ଟି, ହିମୋଗ୍ଲୋବିନ୍ ହ୍ରାସ ଭଳି ସମସ୍ୟା ପାଇଁ ଖୁବ୍ ଲାଭ ଦାୟକ ଅଟେ । ଏହି ଚାଉଳକୁ ସର୍ବଦା ପରିଷ୍କାର ଏବଂ ମୁଦଥିବା ଡ଼ବା ବା ଅଖାର ମୁହଁ ବାନ୍ଧି ରଖାଯିବା ଉଚିତ୍ । ଖରାରେ ଶୁଖାଇବା ଅନୁଚିତ ଏବଂ ଉତ୍ପାଦନର ଏକବର୍ଷ ମଧ୍ୟରେ ବ୍ୟବହାର କରିବା ଅଧିକ ଉପଯୋଗୀ । ଏହି ଚାଉଳ ଖୋଲା ବଜାରରେ ଉପଲବ୍‌ଧ ହୋଇ ନାହିଁ । ଏହି ଚାଉଳର ସ୍ୱାଦ, ସୁଗନ୍ଧ ସାଧାରଣ ଚାଉଳ ଠାରୁ ଭିନ୍ନ ନୁହେଁ । ଏହି ଚାଉଳ ରୁ ରନ୍ଧା ଭାତ ଖାଇବା ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହୁଏନାହିଁ । ଏହି ଚାଉଳ କୁ ପ୍ଲାଷ୍ଟିକ୍ ଚାଉଳ ବା ପୋକା ଚାଉଳ ଭାବିବା ଏକ ଭୁଲ ଧାରଣା । ସାଧାରଣ ବଂଟନ ବ୍ୟବସ୍ଥା ମାଧ୍ୟମରେ ଫର୍ଟିପାଏଡ଼୍ ଚାଉଳ ବଂଟନରେ ସୁଲଭ ମୂଲ୍ୟ ଦୋକାନୀ ମାନଙ୍କ ର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ଉଲ୍ଲେଖ କରିବା ପ୍ରସଙ୍ଗରେ କୁହାଯାଇଥିଲା କି ସେମାନେ ହିତାଧିକାରୀ ମାନଙ୍କୁ ଫର୍ଟିଫାଏଡ଼୍ ଚାଉଳର ଗୁଣବତା, ସ୍ୱାସ୍ଥ୍ୟ ଓ ସ୍ୱାଦ ସମ୍ବନ୍ଧରେ ପରାମର୍ଶ ପ୍ରଦାନ କରିବା ସହିତ ଏହି ଚାଉଳର ନମୂନା ଦେଖାଇବା ଉଚିତ୍ । ଅଧିକ ସ୍ୱାସ୍ଥ୍ୟଗତ ଲାଭ ପାଇଁ ଏହି ଚାଉଳ କୁ ଆବଶ୍ୟକ ପରିମାଣ ପାଣିରେ ରାନ୍ଧିବା, ବଳକା ପେଜକୁ ନ ଫିଙ୍ଗିବା ସମ୍ବନ୍ଧରେ ମଧ୍ୟ ସଚେତନ କରିବା ଆବଶ୍ୟକ ଅଛି । ଫର୍ଟିଫାଏଡ଼୍ ଚାଉଳର ପ୍ରତିଟି ମୁଠା, ସ୍ୱାଦ, ପୋଷଣ ଏବଂ ସ୍ୱାସ୍ଥ୍ୟ କୁ କରେ ରକ୍ଷା, ବାର୍ତାର ପ୍ରଚାର ପ୍ରସାର ଦିଗରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଂପୃକ୍ତ ଦୋକାନୀ, ପ୍ରଶାସନିକ ଅଧିକାରୀ ଆଦି ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ପ୍ରଶିକ୍ଷକ ମୋନା ଜେଠୁଆ ପ୍ରକାଶ କରିଥିଲେ । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୂଦତ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.