Home ଓଡ଼ିଶା ଫନୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ...

ଫନୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ

690

-ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ଫନୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ସମସ୍ତ ପ୍ରଭାବିତ ଅଞ୍ଚଳର ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ କଲେଜ ଓ ଅନ୍ୟାନ୍ୟ। ନିରାପଦ ସ୍ଥାନରେ ରଖାଯିବ ବୋଲି ବୈଠକରୁ ଜଣାଯାଇଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ ବୋଲି ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲିଠାରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ଉପଯୁକ୍ତ ଭାବେ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ। ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ବିଦ୍ୟୁତ ସରବରାହ, ପାନୀୟ ଜଳଯୋଗାଣ, ସଡକ ଯୋଗାଯୋଗ ବ୍ୟବସ୍ଥା ବ୍ୟାପକ ପ୍ରସ୍ତୁତି। କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ ମେ ୩ ତାରିଖ ଅପରାହ୍ନ ସୁଦ୍ଧା ବାତ୍ୟା ଫନୀ ପୁରୀ ନିକଟରେ ସ୍ଥଳ ଭାଗକୁ ଛୁଇଁବାର ସମ୍ଭାବନା ରହିଛି। ଏଥିରେ ୧୪ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ହେଉଛି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ନୟାଗଡ, କଟକ, ଗଜପତି, ମୟୁରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର। ଏହି ସମସ୍ତ ଜିଲ୍ଲାରେ ତଳିଆ ଓ ପାହାଡିଆ ଅଞ୍ଚଳ ତଥା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି। ଆବଶ୍ୟକସ୍ଥଳେ ଆକାଶମାର୍ଗରୁ ବିତରଣ ପାଇଁ ୧ ଲକ୍ଷ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରାଯାଉଛି। ୮୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ବିଭିନ୍ନ ସ୍କୁଲ କଲେଜରେ ସ୍ଥାନାନ୍ତରିତ ଲୋକମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଏସବୁ ସ୍ଥାନରେ ରନ୍ଧା ଖାଦ୍ୟ, ନିରାପଦ ପାନୀୟ ଜଳ, ଆଲୋକ, ସ୍ବାସ୍ଥ୍ୟସେବା ଆଦି ବ୍ୟବସ୍ଥା କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୧୭ଟି ODRAF ଓ ୨୫ଟି NDRF team ବିଭିନ୍ନ ଜିଲ୍ଲାମାନଙ୍କରେ ମୁତୟନ କରାଯାଇଛି। ଏହାସହିତ Air Forceର ଦୁଇଟି ହେଲିକପ୍ଟର ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଆବଶ୍ୟକ ପରିମାଣର ପଲିଥିନ ଓ ଖାଦ୍ୟସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.