Home ଜିଲ୍ଲା ପରିକ୍ରମା ପ୍ରେମ ନଗରରେ ପ୍ରେମ ପଖାଳ ମହୋତ୍ସବ

ପ୍ରେମ ନଗରରେ ପ୍ରେମ ପଖାଳ ମହୋତ୍ସବ

46

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମ ଜୀବନର ଏକ ମହାର୍ଘ ଅନୁଭବ। ଏହା ଏକ ତ୍ୟାଗପୂତ ପ୍ରାର୍ଥନା, ଯାହା କେବେ ସରେନାହିଁ କି ମରେ ନାହିଁ, ବରଂ ତାର ନାଁ ଅଜଣା ବାସ୍ନାରେ ମହମହ ହେଇ ଚିରକାଳ ବାସୁଥାଏ ବୋଲି ଆରଡ଼ି ଛକସ୍ଥିତ ପ୍ରେମନଗରର ଆତ୍ମୀୟ ପରିସରରେ ‘ପ୍ରେମପୃଥିବୀ’ ପତ୍ରିକା ତରଫରୁ ଆୟୋଜିତ ଅପାରଂପରିକ ସାରସ୍ୱତ ସଭା, ବଂଧୁମିଳନ ଓ ପ୍ରେମପଖାଳ ମହୋତ୍ସବରେ ମତ ପ୍ରକାଶ ପାଇଛି। ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି, ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଏବଂ ଅତିରିକ୍ତ ସଚିବ ମଧୁସୂଦନ ଦାଶ, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ, ସୁଲେଖିକା ବନଜ ଦେବୀ ଏବଂ ପୂର୍ବତଟ ରେଳପଥ ବରିଷ୍ଠ ଜନସଂପର୍କ ଅଧିକାରୀ କବି ନିରାକାର ଦାସ ପ୍ରମୁଖ ସମ୍ମାନୀୟ ଅତିଥିରୂପେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଡ. ଆଦିକନ୍ଦ ସାହୁ ଓ ବନଜ ଦେବୀଙ୍କୁ ସମ୍ମାନଜନକ ପ୍ରେମପୁରୁଷ ଓ ପ୍ରେମପ୍ରକୃତି ସଂବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଡ. ସୁରେଶ ଛୋଟରାୟ ଓ ପଲ୍ଲବୀ ନାୟକଙ୍କୁ ଯଥାକ୍ରମେ ପ୍ରେମପୃଥିବୀ କଥା ଓ କବିତା ସମ୍ମାନ ପ୍ରଦାନ କରାଯାଥିଲା। ମାନପତ୍ର ପାଠ କରିଥିଲେ ଅଭିଜିତ୍ ନାୟକ, କିଶୋର ପାଣିଗ୍ରାହୀ, ଡ. ମମତା ସାହୁ ଓ ଯୋଗ୍ୟାଶ୍ରୀ ସାମଲ। ପ୍ରାରମ୍ଭରେ ପ୍ରେମପୃଥୀର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା ସ୍ୱାଗତ ସଂଭାଷଣ ଓ ପ୍ରାକ୍‌ଭାଷ ପ୍ରଦାନ କରିଥିଲେ ଏବଂ ମନୋଜ କୁମାର ପଣ୍ଡା ଓ ସାଥି ‘ସେଇ ସହକାର ତଳେ’ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ‘ପ୍ରେମପୃଥିବୀ’ର ବିଷୁବ ସଂଖ୍ୟା, ‘ପ୍ରେମ ପୃଥିବୀର ପ୍ରବନ୍ଧ ପ୍ରବାହ’, ଶ୍ରୀନିବାସ ସାହୁଙ୍କ ମନ୍ଦିର ପାଖ ଚଂପାଗଛ ଓ ଅନ୍ୟାନ୍ୟ ଗଳ୍ପ, ବାବାଜୀ ଚରଣ ପଣ୍ଡାଙ୍କ ‘ତୀର୍ଥ ଭାରତ’, ଅଶୋକ ନାୟକଙ୍କ ‘ଏକପଦୀ ଗଜରା’ ଓ ‘ପଲ୍ଳବୀ ନାୟକଙ୍କ ଯେତେସବୁ ଅ କବିତା’ ଲୋକର୍ପିତ ହୋଇଥିଲା। ବୈକୁଣ୍ଠନାଥ ବିଶ୍ୱାଳ ସଭାର ଶେଷସ୍ପର୍ଶ ଦେଇଥିଲେ। ସକାଳ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବର ପରିଚାଳନା କରିଥିଲେ କବି ସାରଥି କୁମାର ପଣ୍ଡା ଓ ସାମ୍ବାଦିକ ଅବିନାଶ ପଣ୍ଡା। ସଭାପରେ ଆକର୍ଷଣୀୟ ପ୍ରେମପଖାଳରେ ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଯୋଗଦେଇଥିବା ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ଆପ୍ୟାୟିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.