ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଅମୂଲ୍ୟ ଚନ୍ଦ୍ର ବେହେରାଙ୍କ ପରଲୋକରେ ଜିଲାବ୍ୟାପୀ ଶୋକ ପ୍ରକାଶ ପାଇଛି। ସ୍ୱର୍ଗତଃ ବେହେରା ଜଣେ ଉତମ ମଣିଷ, ଛାତ୍ର ବତ୍ସଳ ପ୍ରାଧ୍ୟାପକ ଥାଇ ସବୁରି ମହଲରେ ଜଣେ ଆଦରଣୀୟ ବ୍ୟକ୍ତିତ୍ୱ ଥିଲେ। ସ୍ୱର୍ଗତଃ ବେହେରା ଉତର ବାଲେଶ୍ୱରରେ ଭୋଗରାଇ ଠାରେ ଜନ୍ମଗ୍ରହଣ କରିଥିଲେ। ସମ୍ବଲପୁରର ଗଂଗାଧର ମେହେର କଲେଜ ଓ ବାରିପଦାର ମହାରାଜ ପୂର୍ଣ୍ଣଚନ୍ଦ୍ର କଲେଜ ପରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରି ସହରର ଜଗନ୍ନାଥପୁର ଠାରେ ସ୍ଥାୟୀ ବାସିନ୍ଦା ହୋଇ ରହୁଥିଲେ। ଗତକାଲି ରାତିରେ କଟକ ଠାରେ ତାଙ୍କର ଦେହାନ୍ତ ହୋଇଛି। ନିଜ କାର୍ଯ୍ୟକାଳ ସମୟରେ ସେ ଅଧ୍ୟାପନା, ପାଠଚକ୍ର, ବଣଭୋଜି ଭଳି ସମସ୍ତ କାର୍ଯ୍ୟର ତଦାରଖ ଓ ସୁପରିଚାଳନା କରିଆସୁଥିଲେ। ସଦାସର୍ବଦା ହସ ହସ ମିଷ୍ଟଭାଷୀ, ନିରହଂକାର ମଣିଷ ସ୍ୱର୍ଗତଃ ବେହେରା ଅସଂଖ୍ୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପାଇଁ ସର୍ବଦା ଚିର ସ୍ମରଣୀୟ ହୋଇ ରହିବେ ବୋଲି ତାଙ୍କ ବିୟୋଗରେ ଭଦ୍ରକ କଲେଜର ପ୍ରାକ୍ତନ ସହକର୍ମୀ ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଫେସର ଡ. ଶଶଧର ଦାସ, ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ବଳରାମ ମିଶ୍ର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।