ଏକ ସମୟରେ ଓଡିଶା ଶବର କନ୍ଧ, ସାନ୍ତାଳ ପ୍ରଭୃତି ବିଭିନ୍ନ ଆଦିବାସୀଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା। ଏକେକ ଓଡିଶାରୁ ବହୁ ଅଞ୍ଚଳ ବିଭିନ୍ନ ଆଦିମ ଆଦିବାସୀଙ୍କ ଦ୍ୱାରା ଅଧ୍ୟୁଷ୍ଠିତ। ବୈଦିକ ଆର୍ଯ୍ୟମାନଙ୍କର ଆମଦେଶକୁ ଆଗମନ ପୂର୍ବରୁ ସମଗ୍ର ଭାରତ ଆଷ୍ଟ୍ରିକ ଗୋଷ୍ଠୀ ପୁଣି ଭୂମଧ୍ୟ ସାଗରୀୟ ଦ୍ରାବିଡ ଜାତିଙ୍କର ବାସ ଭୂମିଥିଲା। ଓଡିଶାର ପ୍ରଚୀନ ସଂସ୍କୃତିକୁ କେହି କେହି ସବର ସଂସ୍କୃତି ବୋଲି କହିଥାନ୍ତି। ବର୍ତ୍ତମାନ ଓଡିଶାର ଦକ୍ଷିଣ ପଶ୍ଚିମ ପାର୍ବତ୍ୟାଞ୍ଚଳରେ ଶବରମାନେ ବହୁ ସଂଖ୍ୟାରେ ଦେଖାଯାନ୍ତି। ଗଂଜାମ ଜିଲ୍ଲାର ପାରଳା ଖେମୁଣ୍ଡି ମାଳ ଅଞ୍ଚଳ, ପାରଳା ଖେମୁଣ୍ଡି ସମତଳ ଅଞ୍ଚଳର କେତକ ଅଂଶ, ସୂରଙ୍ଗି ମାଳ, ଜରଡାମାଳ, ବଡଖେମୁଣ୍ଡିର ମାଳ ଅଞ୍ଚଳ, ସାନ ଖେମୁଣ୍ଡିର ଦକ୍ଷିଣ ଭାଗ, ସାନଖେମୁଣ୍ଡି, ମଂଜୁଷା ବୁଡାରସି ମାଳ ଓ କୋରାପୁଟ ଅଞ୍ଚଳର ଶବରମାନେ ବହୁ ସଂଖ୍ୟାରେ ରହିଛନ୍ତି ଏହାଛଡା ଗଂଜାମ ଜିଲ୍ଲାର ଖଲ୍ଲିକୋଟ, ଘୁମୁସର ଆସିକା, ବ୍ରହ୍ମପୁର, ସୋରଡା, ପୁରୀ ଜିଲ୍ଲା ଖୋର୍ଦ୍ଧାର ପଶ୍ଚିମ ଭାଗ କଟକ, ଢେଙ୍କାନାଳ ଜିଲ୍ଲା ଓ ଓଡିଶାର ଅନ୍ୟାନ୍ୟ ବହୁ ସ୍ଥାନ ବ୍ୟତୀତ ମଧ୍ୟପ୍ରଦେଶରେ କେତେକ ଅଂଶରେ ଶବରମାନେ ରହିଅଛନ୍ତି। ବୈଦିକ ଯୁଗରେ ବେଦର ବ୍ରାହ୍ମଣ ଆତ୍ରେୟଖଣ୍ଡ, ରାମାୟଣ ଓ ମହାଭାରତରେ ଶବରମାନଙ୍କର ପ୍ରସଙ୍ଗ ରହିଛି। ଶବର ମାନଙ୍କର ଉତ୍ପତ୍ତି ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ବହୁ କିମ୍ବଦନ୍ତୀ ପ୍ରଚଳିତ। ରାମାୟଣରେ ବର୍ଣ୍ଣିତ ଯେ ରାମଚନ୍ଦ୍ର ଶବର ହାତରୁ ଅଇଁଠା କୋଳି ଖାଇଥିଲେ ପୁଣି ମହାଭାରତ ଓ ଭାଗବତ ଅନୁଯାୟୀ ଶବର ମାନଙ୍କ ମଧ୍ୟରେ ଜରା ଶବର ପ୍ରସଙ୍ଗ ବର୍ଣ୍ଣିତ ହୋଇଅଛି। ସ୍କନ୍ଧ ପୁରାଣରେ ଉତ୍କଳ ଖଣ୍ଡରେ ଶ୍ରୀଜଗନ୍ନାଥ ବିଗ୍ରହର ଆଦିମ ପ୍ରତିଷ୍ଠାତା ହେଉଛନ୍ତି ଶବର। ପୁରାଣ ପ୍ରସିଦ୍ଧ ବିଶ୍ୱାବସୂ ଶବର ଉପାଖ୍ୟାନ ଓଡିଶାର ଘରେ ଘରେ ଅତି ଲୋକପ୍ରିୟ କାହାଣୀ। ଆଜିମଧ୍ୟ ଅନେକ ଶବର ଜରାବଂଶରୁ ଉଭୃତ ବୋଲି କହିଥାନ୍ତି। ଲୋକକଥା ରହିଛି ଯେ ପୁରୀ ମନ୍ଦିରକୁ ପଥର ବୋହିବା ଓ ରଥ ଟାଣିବା ପାଇଁ ଶବରମାନେ ଜନ୍ମ ହୋଇଥିଲେ। ଭାରତର ସଭ୍ୟତା ଏକ ସମୟରେ ସିଂହଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା। ସିଂହଳର ରତ୍ନପୁର ନିକଟରେ ଶବର ଗ୍ରାମ ନାମକରଣରୁ ଅତୀତରେ ଏକ ଶବର ଗ୍ରାମ ବା ଶବର ବସତି ଥିବାର ଅନୁମାନ କରାଯାଇ ଥାଏ। ବିଳାସପୁର ଓ ରାୟପୁର ଅଞ୍ଚଳରେ ଶବରମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଗୋଟିଏ କଥା ପ୍ରଚଳିତ ରହିଛି। କଥାଟି ହେଉଛି ଜଣେ ବୁଢା ଭୀଲ ଋଷିଙ୍କର ନାମ ଥିଲା ଶବର। ବିଳାସପୁରରେ ଥିବା ସେଓରୀ ନାରାୟଣ ବା ଶବରୀ ନାରାୟଣ ପୀଠରୁ ଅଳ୍ପ ଦୁରରେ ଥିବା କରୋଡ ନାମକ ସ୍ଥାନରେ ସେହି ସନ୍ୟାସୀ ବାସ କରୁଥିଲେ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଦିନେ ସେହି ସବରୀ ନାରାୟଣଙ୍କ ନିକଟରେ ପହଞ୍ଚିଲେ ଓ ଶବର ତାଙ୍କ ପୂଜା କରିବାରେ ଲାଗିଲା ଏହି ବିଷୟ ଓଡିଆ ରାଜ୍ୟ ଜାଣିପାରି ଶବର ନିକଟରୁ ଶ୍ରୀଜଗନ୍ନାଥଙ୍କୁ ଯେ କୌଣସି ମତେ ଆଣିବାକୁ ଇଛାକରି ପୁରୀରେ ଏକ ଦେଉଳ ତୋଳିବାକୁ ଲାଗିଲେ। ଓଡିଶାର ରାଜ୍ୟପରେ ଶବରୀ ନାରାୟଣଙ୍କୁ ପୂଜା କରିବା ପାଇଁ ବ୍ରାହ୍ମଣ ପଠାଇଲେ। ଶବରୀ ନାରାୟଣ କେଉଁଠି ଅଛନ୍ତି ତାହା ଜାଣି ନ ପାରି ପରି ଶେଷରେ ଭୀଲର ଝିଅ ସହ ବ୍ରାହ୍ମଣ ପ୍ରେମରେ ପଡି ତାକୁ ବିବାହ କଲେ। ବ୍ରାହ୍ମଣ ଶବରୀ ନାରାୟଣଙ୍କୁ ଦେଖିବାକୁ ଇଛାକରନ୍ତେ ଶବର କହିଲା ଯେ ସେ ଅନ୍ଧ ପୁଟୁଳା ବାନ୍ଧି ଆସିବେ ଓ ପୀଠରେ ପହଞ୍ଚିବା ପରେ ଅନ୍ଧପୁଟୁଳା ଖୋଲା ଯିବ। ସେତିକିବେଳେ ସେ ଠାକୁରଙ୍କୁ ଦେଖିବେ। ବ୍ରାହ୍ମଣ ଆଗରୁ କାନିରେ ଖସା ବାନ୍ଧି ନେଇଥିଲା ଓ ଗଲାବେଳେ ତାହା ଯିବା ରାସ୍ତାରେ ପକାଇ ପକାଇ ଯାଇଥିଲା। କିଛିଦିନ ପରେ ଖସାଗଛ ଗୁଡିକ ଉଠିଲା ବ୍ରାହ୍ମଣ ଖସାଗଛ ଦେଖି ଦେଖି ଶବରୀ ନାରାୟଣଙ୍କ ପୀଠକୁ ଚାଲିଲା। ଠାକୁର ଶବର ବୁଢାକୁ କହିଲେ ଯେ ଶ୍ରୀକ୍ଷେତ୍ରକୁ ଗଲେ ମଧ୍ୟ ଏହି ଠାକୁର ଓ ସ୍ଥାନର ନାମ ରହିବ “ଶବରୀ ନାରାୟଣ;। ଆଜି ମଧ୍ୟ ପ୍ରଦେଶର ଏହିସ୍ଥାନଟିର ନାମ ହେଉଛି ସେଓରୀ ନାରାୟଣ ଓ ସେହି ସ୍ଥାନର ଅଧିଷ୍ଠିତ ଦେବତା ହେଉଛନ୍ତି ଶ୍ରୀରାମଚନ୍ଦ୍ର। ସେହି ସ୍ଥାନରେ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ସହିତ ସେହି ସ୍ଥାନରେ ଶ୍ରୀଜଗନ୍ନାଥ ନ୍ତ୍ରିମୁର୍ତ୍ତି ପୂଜା ପାଉଛନ୍ତି। ଉଭୟ ଶ୍ରୀରାମଚନ୍ଦ୍ର ଓ ଶ୍ରୀଜଗନ୍ନାଥ ଶବରୀ ନାରାୟଣ ଭାବେ କଥିତ ଉଭୟ ଦେବତାଙ୍କର ସମ୍ବନ୍ଧ ଶବରମାନଙ୍କ ସହ ରହିଥିଲା। ଶବରମାନଙ୍କ ମଧ୍ୟରେ ରାଜୁ ଶବର ବା ରାଜ ଶବର ନିଜକୁ ଜରା ଶବର ବଂଶଧର ବୋଲି ମନେ କରିଥାନ୍ତି। ଓଡିଶାର ନୀଳମାଧବ ପୀଠ ଶ୍ରୀଜଗନ୍ନାଥଙ୍କର ପାଶନ ଉପାସନା ପୀଠ ଭାବରେ ପରିଗଣିତ। ପୁଣି ଜଣାଯାଏ ଯେ ରାଜଶବର ମାନେ କଣ୍ଟିଲୋ ନିଳମାଧବଙ୍କ ନିକଟକୁ ନୀଳମାଧବଙ୍କ ଦର୍ଶନ ନିମିତ୍ତ ଯାଇଥାନ୍ତି। ପ୍ରାଶ ତୀରର ବିଭିନ୍ନ ମାଧବଙ୍କ ନାମ ମଧ୍ୟରେ ଶବରୀ ମାଧବ ନାମକ ବିଷ୍ଣୁମୂର୍ତ୍ତି ମଧ୍ୟ ରହିଛନ୍ତି। ଶବରମାନେ ଶ୍ରୀଜଗନ୍ନାଥଙ୍କୁ ଦାରୁରୂପେ ପୂଜା କରିଥାନ୍ତି। ସେମାନଙ୍କ ଭାଷାରେ ତାଙ୍କର ନାମ ହେଉଛି ଜଗନାଲୁ ଯାହାର ଅର୍ଥ ଶ୍ରେଷ୍ଠ ଦେବତା ବା ପୃଥୀବୀର ଦେବତା। ଡଂ ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ପାରଳାଖେମୁଣ୍ଡିରୁ ପ୍ରାପ୍ତ ଜରା ଶବର ବଂଶ ବିବରଣୀ ପାଣ୍ଡୁଲିପିରେ ଲିପିବଦ୍ଧ ହୋଇଛି ଯେ ଏକଦା ପ୍ରାଚୀନ କାଳରେ ବାର ଘରିଆ ଶବର ବଂଶ ମହେନ୍ଦ୍ର ପର୍ବତରେ ଦାରୁବ୍ରହ୍ମରୂପୀ ନୀଳମାଧବଙ୍କୁ ପୂଜା କରୁଥିଲେ ସେ ପୂଜକର ନାମ ହେଉଛି ଶତ୍ରୁସଲ। ମଘ ବଂଶର ଇନ୍ଦ୍ରଦ୍ୟୁମ୍ନରାଜା ଶନ୍ତ୍ରୁ ସଲଙ୍କର ନୀଳମାଧବଙ୍କୁ ନେଇ ଯିବା ପାଇଁ ଚାହିଁଲେ। ଶତ୍ରୁସଲ ଶବରକୁ ବନ୍ଦୀ କରିବା ପରେ ରାଜାଙ୍କୁ ଶୂନ୍ୟବାଣୀ ହେଲା ଯେ ସେ ଶ୍ରୀ ନୀଳକନ୍ଦରରେ ଶୀଘ୍ର ତାଙ୍କ ପୂଜା ପାଇଁ ଏକ ଦେଉଳ ତୋଳାନ୍ତୁ। ଦେଉଳ ତୋଳା ହେଲା ରାଜା ବ୍ରାହ୍ମଣ ବିଦ୍ୟାପତିଙ୍କୁ ମହେନ୍ଦ୍ର ଗିରିରେ ପୂଜିତ ନୀଳମାଧବଙ୍କୁ ଆଣିବା ପାଇଁ ପଠାଇଲେ। ସେଠାରେ ବିଦ୍ୟାପତି ସୁନ୍ଦରୀ ଶବର ଝିଅ ଲଳିତାର ପ୍ରେମରେ ପଡି ତାକୁ ବାହା ହେଲେ। ପରେ ଶବର ପୂଜିତ ଦାରୁ ମହେନ୍ଦ୍ର ଗିରିର ଶବର ପଲ୍ଲିରୁ ଅଣାଗଲା। ଦାରୁ ପୁରୀର ବାଙ୍କୀ ମୁଁହାଣରେ ଲାଗିଲା। ପରେ ବିଶ୍ୱକର୍ମାରୂପୀ ବୁଢା ବଢେଇ ମୂର୍ତ୍ତି ତିଆରି କରିବା ବେଳେ ମନ୍ଦିର ଦ୍ୱାର ଫିଟାଇବା ପାଇଁ ଯେଉଁଦିନ ନିର୍ଦ୍ଧାରିତ ହୋଇଥିଲା ତା ପୂର୍ବରୁ ରାଜାଦେଶରେ ଦ୍ୱାର ଫିଟାଇବାରୁ ମୂର୍ତ୍ତି ଅସମାପ୍ତ ରହିଲା। ଏହି ପ୍ରକାର କଥାର ବର୍ଣ୍ଣନା ରହିଛି ସ୍କନ୍ଧ ପୁରାଣ ଉକ୍ତଳ ଖଣ୍ଡର ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ସମ୍ବନ୍ଧରେ ପୁଣି ଓଡିଶା ଓ ଦେଶ ବିଦେଶରେ ବହୁ ଅନୁରୂପ କିମ୍ବନ୍ଦନ୍ତୀ ରହିଛି। ଦୀନକୃଷ୍ଣ ଦାସଙ୍କ ଦେଉଳ ତୋଳାରେ ଲେଖା ଯାଇଛି ଯେ ଇନ୍ଦ୍ରଦ୍ୟୁମ୍ନ ଓ ତାଙ୍କ ଲୋକଙ୍କ ଚେଷ୍ଟାରେ ବାଙ୍କି ମୁହାଣରେ ଦାରୁ କୂଳକୁ ଉଠି ପାରିଲାନାହିଁ। ଉଭୟ ରାଜା ଓ ଶବରମାନଙ୍କ ଚେଷ୍ଟାରେ ଦାରୁ ଉପରକୁ ଆସିଲା। ପରେ ରାଜାଙ୍କର ବିଭିନ୍ନ ଦେଶ ମଧ୍ୟରେ ଆଦେଶ ରହିଲା ଯେ ବିଶ୍ୱାଚସୂ ଶବରର ବଂଶଧରମାନେ ହେବେ ଶ୍ରୀମନ୍ଦିରର ଦଇତା ସେବକ ଓ ଦିବ୍ୟାପତିଙ୍କ ବଂଶଧର ମାନେ ପତି ନାମରେ ଅଭିହିତ ହେବେ। ବିଦ୍ୟାପତି ଓ ଶବରୁଣୀ ଲଳିତା ଔରସରେ ସନ୍ତାନମାନେ ହେବେ ଶୁଦ୍ଧ ସୁଆର ସେବକ। ନୀଳାଦ୍ରି ମହୋଦୟ, ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ସାରଳା ମହାଭାରତ, ଶ୍ରୀଜଗନ୍ନାଥ ମଙ୍ଗଳ, ଦେଉଳ ତୋଳା, ଦାରୁବ୍ରହ୍ମ ଗୀତା ଓ ହରୀବଂଶ (ଅଚ୍ୟୁତାନନ୍ଦ) ପ୍ରଭୃତି ବହୁ ପୁରାଣ ବ୍ୟତୀତ ତିଦ୍ଦତ, ବ୍ରହ୍ମଦେଶ, ହୁଏନସାଂ ଓ ଲାମ୍ବା ତାରାନାଥଙ୍କର ବିବରଣୀରେ ଦେଉଳ ତୋଳା ଆଖ୍ୟାନ ପରି ଆଖ୍ୟାନର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ଆମ୍ଭର ପ୍ରାଚୀନ ପୁରାଣ ସାରଳା ମହାଭାରତରେ ଶ୍ରୀକ୍ଷେତ୍ରର ଦେଉଳ ତୋଳା ଓ ଶବରୀ ନାରାୟଣଙ୍କ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ସାରଳା ଦାସ ମହାଭାରତରେ କୃଷ୍ଣ ଓ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ଭିତରେ କୌଣସି ପ୍ରଭେଦ ଦେଖି ନାହାନ୍ତି। ସାରଳା ମହାଭାରତରେ ହରିବଂଶ ପର୍ବରେ କୁହାଯାଇଛି ଯେ ଶ୍ରୀକୃଷ୍ଣ ଶିଆଳି ଲତାରେ ଶୋଇଥିବା ଅବସ୍ଥାରେ ଜରାଶବରର ଶରା ଘାତରେ ତାଙ୍କର ମୃତ୍ୟୁ ହେଲା ଓ ଜରା ବିଷ୍ଣୁ ଅଙ୍ଗରେ ଲୀନ ହେଲେ। ଶ୍ରୀକୃଷ୍ଣଙ୍କର ପିଣ୍ଡ ଦହନ ପାଇଁ ଉଭୟ ଅର୍ଜ୍ଜୁନ ଓ ଜାରା ଅଗ୍ର ବୃକ୍ଷ ଖୋଜିଲେ। କାଳେବର ପର୍ବତରେ ଏକ ଅଗ୍ରବୃକ୍ଷ ଥିଲା। ଜାରାର ଅଜା ରାଜ ଶବର ବଣରେ ବୁଲୁଥିବା ବେଳେ ସେ ସେହି ଅଗ୍ର ବୃକ୍ଷ ତଳେ ଶଂଙ୍ଖ ଚନ୍ତ୍ର ଗଦା ପଦ୍ମଧାରୀ ଶବରୀ ନାରାୟଣଙ୍କୁ ଦର୍ଶନ କଲେ। ଏହି ଶବରୀ ନାରାୟଣ କ୍ରମେ ଶବର ଶବରୀଙ୍କ ଦ୍ୱାରା ପୂଜିତ ହେଲେ ଓ ଲୋକେ ତାଙ୍କୁ ଦର୍ଶନ କରି ମୁକ୍ତିଲାଭ କଲେ। ଲୋକେ ଅକ୍ଳେଶରେ ମୁକ୍ତି ପାଉଥିବା ବିଷୟ ମହାଦେବ ଯମରାଜାଙ୍କୁ କହନ୍ତେ ଯମରାଜ ଶବରୀ ନାରାୟଣଙ୍କୁ ଯମପୁରକୁ ନେଇଗଲେ। ସେଠାରେ ମଧ୍ୟ ପାପୀମାନେ ତାଙ୍କୁ ଦର୍ଶନକରି ମୁକ୍ତି ପାଇବାରୁ ସେ ଶବରୀ ନାରାୟଣଙ୍କୁ ତାଙ୍କ ସଭାରେ ରଖିଲେ ନାହିଁ। ଜରା କିଛିଦିନପରେ ଅଗ୍ରବୃକ୍ଷର ସଂଧାନ ପାଇଁ ଗୁପ୍ତରେ ସେ ଗଛ ହାଣି ତହିଁରେ ଶ୍ରୀକୃଷ୍ଣଙ୍କର ଶରୀର ଦଗ୍ଧ କଲେ କିନ୍ତୁ ଅଗ୍ନିରେ ଶ୍ରୀକୃଷ୍ଣଙ୍କର ପିଣ୍ଡ ପୋଡିଲା ନାହିଁ। ଶୂନ୍ୟବାଣୀ ହେଲା ଯେ ସେ ପିଣ୍ଡ ଅଗ୍ନିରେ ଦଗ୍ଧ ହେବନାହିଁ। ସେହି ଶରୀରକୁ ମହୋଦଧିରେ ଭସାଇ ଦେଲେ ତାହା ଯାଇ ନୀଳସୁନ୍ଦର ପର୍ବତରେ ଲାଗିବ ଓ ସେଠାରେ ତାହା ପୂଜା ପାଇବ। ପିଣ୍ଡ ଦହନ କାଳରେ ଶ୍ରୀକୃଷ୍ଣଙ୍କର କର, ଚରଣ, ନାସିକା ନୟନ, ଲଲାଟ ପୋଡିଗଲା ଓ ଶରୀରର ଅନ୍ୟସବୁ ଅଂଶ ସେହି ପରି ରହିଗଲା। ସାରଳା ମହାଭାରତରେ ପୁଣି ଲେଖା ଅଛି ଯେ ଧଉଳୀ ପର୍ବତ ଉପରେ ଥିଲା ଏକ ଅଗ୍ରବୃକ୍ଷ ଓ ସେଠାରେ ଜରା ଶବରୀ ନାରାୟଣଙ୍କ ପୂଜା କରୁଥିଲା। ସ୍କନ୍ଧ ପୁରାଣରେ ଲିଖିତ ଯେ ଓଡିଶାର ଗାଲବ୍ୟ ରାଜା ଖବର ପାଇଲେ ଯେ ଧଉଳି ପର୍ବତର ଅଗ୍ରରୁ ବୃକ୍ଷତଳେ ନୀଳମାଧବ ମୂର୍ତ୍ତି ପୂଜା ପାଉଛନ୍ତି। ସେହି ମୂର୍ତ୍ତି ଆଣିବା ପାଇଁ ରାଜାଙ୍କ ଦୂତ ବ୍ରାହ୍ମଣ ବେଶରେ ଶବର ପଲ୍ଲୀକୁ ଯାଇ ଜରାର ପୁଅ ବସୁ ଶବର ସହିତ ମିତ୍ର ବସି ଗୁପ୍ତରେ ପୂଜା ପାଉଥିବା ନୀଳମାଧବଙ୍କ ସନ୍ଧାନ ପାଇଥିଲେ କିଛିଦିନ ପରେ ଗାଲବ୍ୟ ରାଜା ସୈନ୍ୟ ସାମନ୍ତଙ୍କ ସହ ଆସି ଶବର ପଲ୍ଲି ଆକ୍ରମଣ କଲେ। ଯୁଦ୍ଧରେ ବହୁ ଶବର ନିହତ ହେଲେ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା ଯେ ବିନା ଦୋଷରେ ଶବର ମାନଙ୍କୁ ସେ ବିନାଶ କରିଥିବା ହେତୁ ଭବିଷ୍ୟତରେ ତାଙ୍କ ବଂଶରେ କେହି ରହିବେ ନାହିଁ କିନ୍ତୁ ତାଙ୍କ ପୁଅ ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ନୀଳଗିରିରେ ସ୍ଥାପନ କରିବେ ଗଲମାଧବ ରାଜାଙ୍କୁ ଶୂନ୍ୟବାଣୀ ହେଲା। ଅଳ୍ପଦିନ ପରେ ମହୋଦଧିରେ ଦାରୁ ଭାସି ଆସିବ ଓ ସେଥିରେ ନିର୍ମିତ ହେବେ ଶ୍ରୀଜଗନ୍ନାଥ। ଏହି ସବୁ ବିଷୟ ସାରଳା ମହାଭାରତରେ ବନପର୍ବରେ ରହିଛି ଓ ସେ ପୁଣି ଲେଖିଛନ୍ତି ଯେ ବିଶ୍ୱକର୍ମା ଯେଉଁ ତିନି ମୂର୍ତ୍ତି ଗଠନ କଲେ ତାହା ବିଷ୍ଣୁ ମୂର୍ତ୍ତି ଭାବେ ଆଖ୍ୟାତ ହେଲେ। ସେହି ମୂର୍ତ୍ତିଙ୍କର କର ଚରଣ ନାହିଁ ଓ ମହା ବଉଦ ଜ୍ୟୋତି ଅଟନ୍ତି। ସାରଳା ଦାସ ଏହି ତ୍ରିମୂର୍ତ୍ତିଙ୍କୁ ବୁଦ୍ଧ ନାରାୟଣ ବୋଲି କହିଛନ୍ତି। ଏହି ସବୁ ଉପାଖ୍ୟାନରୁ ଜଣା ପଡେ ଯେ ଶ୍ରୀଜଗନ୍ନାଥ ଚେତନା ପ୍ରାଗଐତିହାସିକ କାଳରୁ ରହିଥିଲା ଓ ପରେ ବ୍ରାହ୍ମଣ୍ୟ ଓ ବୌଦ୍ଧଧର୍ମର ପ୍ରଭାବ ସେହି ଧର୍ମକୁ ପ୍ରଭାବିତ କଲା। ବିଶିଷ୍ଟ ଐତିହାସିକ, ସାହିତ୍ୟିକ, ଗବେଷକ ସର୍ବଶ୍ରୀ ସତ୍ୟନାରାୟଣ ରାଜଗୁରୁ, ବଂଶୀଧର ମହାନ୍ତି, ବେଣୀମାଧବ ପାଢୀ, କେଦାରନାଥ ମହାପାତ୍ର, ହରିହର ବାହିନୀ ପତି ପ୍ରମୁଖଙ୍କ ସନ୍ଦର୍ଭରେ ଏ ସଂପର୍କରେ ବିଷଦ ଆଲୋଚନା କରାଯାଇଛି।
ଦାରୁ ଦେବତା ଜଗନ୍ନାଥ, ଆଦି ଦେବତା। ଏହାଙ୍କର ସ୍ଥିତି ଆଦିମ କାଳରୁ। ଏହାଙ୍କର ସଂସ୍କୃତି, ପରମ୍ପରା କେବଳ ସାର୍ବଜନୀନ ନୁହେଁ, ବରଂ ଏ ହେଉଛନ୍ତି ଆଦିମତମ ଧର୍ମ-ଚେତନା, ପ୍ରାଚୀନତମ ଅଧିବାସୀ ଆଦିବାସିଙ୍କ ପରମାରାଧ୍ୟ ଦେବତା। ପରବର୍ତ୍ତୀ କାଳ ବା ପର୍ଯ୍ୟାୟରେ ଏହି ଚିନ୍ତା, ଚୈତନ୍ୟ ବା ଦର୍ଶନ ସହିତ ଅନ୍ୟାନ୍ୟ ଚିନ୍ତା, ଚୈତନ୍ୟ ବା ଦର୍ଶନର ସମନ୍ୱୟ ହୁଏତ ସକଳ ଏକାକାର ହୋଇ ଯାଇଛି। କିନ୍ତୁ ଏହାର ମୌଳିକତା ଯାହାକୁ କହନ୍ତି ନିର୍ଯ୍ୟାସ, ତାହା ଯୁଗ ଯୁଗ ଧରି ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ଏବଂ ଭବିଷ୍ୟତକୁ ରହିବ ମଧ୍ୟ। ଜଗନ୍ନାଥ ଧର୍ମଧାରଣାର ପରିବ୍ୟାପ୍ତି ବର୍ଦ୍ଧମାନ କ୍ରମ ପରିଣତି ଏବେ ଯେଉଁ ସ୍ତରରେ ପହଞ୍ଚି ଥାଉନା କାହିଁକି, ଏହି ପ୍ରବାହର ପ୍ରଥମ ଭକ୍ତ ପ୍ରବର ଆଦ୍ୟ ସେବକ ବିଶ୍ୱାବସୁ, ନିଳକନ୍ଦର, ନିଳମଣି ବା ନୀଳମାଧବ ପ୍ରଭୃତି ପରବର୍ତ୍ତୀ କାଳରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆବିର୍ଭାବ ସତ୍ତ୍ୱେ ଅପରିହାର୍ଯ୍ୟ ହୋଇ ରହିଛନ୍ତି। ବିଶ୍ୱାବସୁର ପୂର୍ବଜନ୍ମ ଜରାଶବର ସମ୍ବନ୍ଧୀୟ ପୌରାଣିକ ପ୍ରଖ୍ୟାନ କିମ୍ବା ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ବୃତ୍ତାନ୍ତ ଅଥବା ପୂଜାପଦ୍ଧତି, ଚଳଣି ଏବଂ ପାରମ୍ପାରିକ ରୀତିନୀତି ମଧ୍ୟରେ ଏହି ଆଦିମ ଅଧିବାସୀମାନଙ୍କର ସଂସ୍କୃତି ପ୍ରତିଫଳିତ ହୋଇଛି, । ବିଭିନ୍ନ ପୁରାଣ ଏବଂ ଅନେକ ପ୍ରଖ୍ୟାତ ଗବେଷକଙ୍କର ମତାମତ ଏ ଦିଗରେ ସୁସ୍ପଷ୍ଟ। ସମ୍ବଲପୁର ଜିଲ୍ଲା, କୁଚିଣ୍ଡାରେ ଆଦିବାସୀ-ଗଣ୍ଡ ଉପଜାତିଙ୍କର ବାର୍ଷିକ ଜଂଘା ପୂଜା ହୁଏ। ପାରଳାଖେମୁଣ୍ଡିର ସଅଁରମାନଙ୍କର ନିମ୍ବକାଠର ହାତ ଆଙ୍ଗୁଠି ଇତ୍ୟାଦି ନ ଥିବା ପୂଜିତ ଏବଂ ପର୍ବପର୍ବାଣିରେ ଚିତ୍ରିତ ସେହି ଦାରୁଦେବତା କେବଳ ନୁହନ୍ତି; ଗଣ୍ଡମାନଙ୍କର ପ୍ରତ୍ୟେକ ବର୍ଷ ପୌଷ ମାସ ଶୁକ୍ଳ ଦଶମୀ, ଶାମ୍ବ ଦଶମୀ ଦିନ ଯେଉଁ ଦିନ କି ସୂର୍ଯ୍ୟପୂଜା ପାଇଁ ପ୍ରସିଦ୍ଧ ଏବଂ ରଥ ଉପରେ ଶ୍ରୀଜଗନ୍ନାଥ ଶାସ୍ତ୍ରୋକ୍ତ ମତାନୁସାରେ ବାମନ ବା ସୂର୍ଯ୍ୟ ରୂପରେ ଉପାସିତ ସେହିଦିନ ଯେଉଁ ଜଂଘା ପୂଜା ହୁଏ, ତାହା ଶ୍ରୀଜଗନ୍ନାଥ ସ୍ନାନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ସହିତ ଅନେକାଂଶରେ ସମାନ ପରି ମନେ ହୁଏ। ଆମ ଓଡିଶାର ସୁନ୍ଦରଗଡ ଜିଲ୍ଲାର ବଡଗାଁ ଥାନାର ଭୋଇପାଲି ଗାଁ ଗଣ୍ଡମାନଙ୍କର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ। ସେହି ପବୀତ୍ର ପୀଠରେ ଅବସ୍ଥାନ କରିଛନ୍ତି ଗଣ୍ଡ ଜାତିର ଆରାଧ୍ୟ ଦେବତା ଜଂଘା। ଜଂଘା ଆକାରର ଦୁଇଖଣ୍ଡି ଶୁଷ୍କ କାଷ୍ଠ ଶିଆଳି ଲଟାରେ ବନ୍ଧା ହୋଇ ଜଂଘା, ଲିଂଘା ଦେବତା ଭାବରେ ପୂଜିତ। ସେହି ଗାଁର ଗଣ୍ଡଜାତିର ଜଣେ ପ୍ରଧାନ ବ୍ୟକ୍ତିଙ୍କ ଘରେ ରହିଥାନ୍ତି ସେହି ଠାକୁର। ପ୍ରତ୍ୟେକ ବର୍ଷ ଶାମ୍ବଦଶମୀ ଦିନ ସାର୍ବଜନୀନ ପୂଜା ହୁଏ ସେହି ଜଂଘା, ଲିଂଘା ଦେବତାମାନଙ୍କର ଶ୍ରୀଗୁଣ୍ଡିଚା ଭଳି ଏକ ଆନୁଷ୍ଠାନିକ ମହୋତ୍ସବରେ ଅବଶ୍ୟ ରଥ ହୁଏନି, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ଭଳି ଜଂଘା ବର୍ଷ ତମାମ ରହୁଥିବା ସ୍ଥାନରୁ ସେହିଦିନ ବିଜେ ହୁଅନ୍ତି, ପୂଜା ମଣ୍ଡପକୁ ମଣ୍ଡପଟି ଖୋଲା ମୁକ୍ତ ଆକାଶ ତଳେ ଜଂଘା, ଲିଂଘା ଆସୀନ ହୋଇ ଦର୍ଶନ ଦିଅନ୍ତି। ସେମାନଙ୍କର ଅଗଣିତ ଭକ୍ତମାନଙ୍କୁ, ବିଶେଷତଃ ଭାରତର କୋଣ କୋଣରୁ ସମବେତ ହୋଇଥିବା ଗଣ୍ଡଜାତିର ବ୍ୟକ୍ତିମାନେ। ଏହା ବୋଲି ଯେ, ଏହି ଠାକୁରଙ୍କୁ କେବଳ ଗଣ୍ଡଜାତିର ଲୋକମାନେ ପୂଜା ବା ଦର୍ଶନ କରିପାରିବାର ଅଧିକାର ରହିଛି, ଅନ୍ୟ କାହାର ନାହିଁ, ତାହା ନୁହେଁ ବରଂ ଅଛି ସମସ୍ତଙ୍କର। ଏହି ପୂଜା ହେଉଛି ସର୍ବଜନୀନ। ଧର୍ମ, ଜାତି ଓ ବର୍ଣ୍ଣ ନିର୍ବିଶେଷରେ ଯେ ଚାହିଁବେ, ସେ ପୂଜା କରିପାରିବେ। ଭୋଗ ଲଗେଇ ସମର୍ପଣ କରିପାରିବେ ଯେ କୌଣସି ଫଳ, ନଡିଆ, କଦଳୀ, ସେଉ, ନାସପାତି ଯିଏ ଯାହା ପାରିଲା। ଜଂଘା ଆଦିବାସୀ ଠାକୁର ହୋଇଥିବାରୁ ଠାକୁରଙ୍କ ପାଖରେ କୌଣସି ବଳି ପଡେ ନାହିଁ କେବଳ ଫଳ ମୂଳର ଭୋଗ ସାଙ୍ଗକୁ ଧୂପ, ଦୀପ ଇତ୍ୟାଦି ଯିଏ ଦେଇପାରିବ। ଜଣା ଯାଏ ଓଡିଆ ଲିପିରେ ସେଠାରେ ସେ ଠାକୁରଙ୍କ ସମ୍ବନ୍ଧରେ ଶାସ୍ତ୍ରୀୟ ପ୍ରମାଣ ଉଲ୍ଲେଖ ରହିଛି। ଜରାଶବରଦ୍ୱାରା ଶରାଘାତ ହୋଇ ଅର୍ଜୁନଙ୍କ ଚିତା ସଂଯୋଗ ସତ୍ତ୍ୱେ ତାଙ୍କର ଅର୍ଧଦଗଧୀଭୂତ ଶରୀର ଅବଶେଷରେ ସମୁଦ୍ରରେ ଭାସି ଭାସି ଦାରୁ ଆକାରରେ ଶ୍ରୀକ୍ଷେତ୍ରରେ ଉପଗତ ହେବାରୁ ସେଥିରେ ଦାରୁବ୍ରହ୍ମଙ୍କର ଉତ୍ପତି ସମ୍ପର୍କରେ ଯେପରି ବର୍ଣ୍ଣନା କରାଯାଇଛି, ସେହି ଅଦଗଧୀଭୂତ ଶ୍ରୀକୃଷ୍ଣ ଊର୍ଦ୍ଧ୍ୱାଂଶ, ଜଗନ୍ନାଥ ବଳଭଦ୍ର ବିଗ୍ରହ ହୋଇଥିଲେ ହେଁ ନିମ୍ନାଂଶ ଅର୍ଥାତ୍ ଦୁଇ ଜଂଘ ଏହି ଜଂଘା ଓ ଜିଂଘା ହୋଇଛନ୍ତି। ଓଡିଶାରେ ଜଗନ୍ନାଥ, ଲିଙ୍ଗରାଜ ( ଜଗତର ନାଥ ଓ ଭୁବନର ଈଶ୍ୱର ) ଶାସ୍ତ୍ରୀୟ ମତ ( କପିଳ ସଂହିତା ) ଓ ଲୋକାଚାରରେ ଏକ ଓ ଅଭିନ୍ନ ଥିବାରୁ, ଜଂଘା ଲିଂଘା ଗଣ୍ଡଜାତିର ଏହି ଦୁଇ ଦେବତା ଶିଆଳିଲଟାରେ ବନ୍ଧା ହୋଇ ରହିଥିବାରୁ ( ଜରାଶବର ଭ୍ରମରେ ଶ୍ରୀକୃଷ୍ଣଙ୍କୁ ଶରାଘାତ କଲା ବେଳେ, ସେ ଶିଆଳିଲଟାରେ ଶୋଇଥିବାର ପ୍ରଖ୍ୟାନ ଏବଂ ପରେ ଅର୍ଜୁନ ଅଗ୍ନି ସଂଯୋଗ କରି ଶ୍ରୀକୃଷ୍ଣ ମୃତ ଦେହ ବହନ କରିବାକୁ ଚେଷ୍ଟା କଲେ ହେଁ, ତାହା ସମ୍ଭବ ନ ହେବାରୁ ଶୂନ୍ୟବାଣୀର ନିର୍ଦ୍ଦେଶ ଅନୁସାରେ ତାହାକୁ ଭସାଇ ଦିଆଯିବ ) ଜଗନ୍ନାଥ, ବଳଭଦ୍ର ବା ଜଗା ବଳିଆ ଭଳି ଜଂଘା ଲିଂଘା ନାମରେ ପରିଚିତ। ଅବଶ୍ୟ ଏହି ଜଂଘା ଲିଂଘା ସଂମ୍ପୃକ୍ତ ଶାସ୍ତ୍ର, ଶାମ୍ବଦଶମୀରେ ସାର୍ବଜନୀନ ପୂଜା ଓ ଯାତ୍ରା ବା ଉତ୍ସବ ସମ୍ପର୍କରେ ଅଧିକ ଗବେଷଣା କରାଯାଇପାରେ। କିନ୍ତୁ ଏକଥା ନିଶ୍ଚିତ ଯେ, ଜଗନ୍ନାଥ ସଂସ୍କୃତିର ଶାଶ୍ୱତ ଧର୍ମ-ଧାରଣା, ଚିନ୍ତା ଚୈତନ୍ୟ ଓ ପାରମ୍ପାରିକ ରୀତିନୀତି ଆଦିବାସୀଭିର୍ତ୍ତିକ ଏବଂ ପରେ ସମୟାନୁକ୍ରମେ ଏହା ବିଶ୍ୱର ସାମଗ୍ରିକ ଓ ସାର୍ବଜନୀନ ପରିବେଶ ମଧ୍ୟରେ ଅଧିକୃତର ସମନ୍ୱିତ ପରିବର୍ଦ୍ଧିତ ଓ ପରିମାର୍ଜିତ ହୋଇଛି, ଏହା ନିଃସନ୍ଦେହ।
ଦେବପ୍ରସାଦ ମିଶ୍ର
ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮