Home ଜିଲ୍ଲା ପରିକ୍ରମା ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ, ଜମି ଏଗ୍ରିମେଟଂ ପୂର୍ବରୁ ଇଡ୍‌କୋ ଓ ଜିଲ୍ଲା ପ୍ରଶାସନ ର କ୍ଷେତ୍ରୀୟ...

ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ, ଜମି ଏଗ୍ରିମେଟଂ ପୂର୍ବରୁ ଇଡ୍‌କୋ ଓ ଜିଲ୍ଲା ପ୍ରଶାସନ ର କ୍ଷେତ୍ରୀୟ ପରିଦର୍ଶନ

14

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଡ୍‌କୋ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଡ.ସୁରେଶ କୁମାର ଦଳେଇ ଓ ତାଙ୍କ ବିଭାଗୀୟ ଅନ୍ୟ ଅଧିକାରୀମାନେ ଆଜି ପାହିମହୁରା ଠାରେ ହେବାକୁ ଥିବା ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ସ୍ଥାନର କ୍ଷେତ୍ର ପରିଦର୍ଶନ କରିଛନ୍ତି । ନିର୍ଦ୍ଦେଶକଙ୍କ ସହ ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ଭଣ୍ଡାରିପୋଖରୀ ତହସିଲଦାର ରୋଜାଲିନ ବେହେରା, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ଯାଜପୁର ଇଡ୍‌କୋ ଡିଭିଜିଲନାଲ ହେଡ୍ ଅଜୟ କୁମାର ସାହୁ, ଦିପା ର ଟିମ୍ ଲିଡର ସୁବ୍ରତ ସ୍ୱାଇଁଙ୍କ ସମେତ ସୁପରଭାଇଜର ଓ ଆର୍‌.ଆଇ ମାନେ ଏହି ପରିଦର୍ଶନରେ ସାମିଲ ଥିଲେ । ସୂଚନାଯୋଗ୍ୟ, ଏହି ପ୍ରସ୍ତାବିତ ସ୍ଥାନରେ ଆଓସିଏଲ୍ ଓ ଏମସିପିଏଲ୍ କମ୍ପାନୀ ପକ୍ଷରୁ ୪ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏଥିପାଇଁ ଆୟୋସିଏଲ୍ କୁ ପ୍ରଶାସନ ପକ୍ଷରୁ ଇଡ୍‌କୋ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୬୦ଏକର ଜମି ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ ୭୦.୨୩ ଏକର ଜମି ଇଣ୍ଡିଆନ ଅଏଲ କର୍ପୋରେସନକୁ ଜମି ପ୍ରଦାନ ଲାଗି ପ୍ରସ୍ତୁତି ସରିଛି । ଅନ୍ୟପକ୍ଷରେ ଏମସିପିଏଲ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀକୁ ୧୦୫ ଏକର ଜମି ଦେବା ପାଇଁ ପ୍ରସ୍ତାବ ରଖାଯାଇଛି । ତେବେ ଜମି ପ୍ରଦାନ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଇଡ୍‌କୋ କର୍ତୃପକ୍ଷ ଆଜି ମିଳିତ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି । ଏହି ପ୍ରଦାନ କରିବାକୁ ଥିବା ଜମି ମଧ୍ୟରେ ୧ଏକର ୨୪ଡେସମିିଲର ଏକ ସର୍ବସାଧାରଣ ଜଳାଶୟ କିସମ ଜମି ଥିବାରୁ ଏହି ଜଳାଶୟଟିର ପୁର୍ନଉଦ୍ଧାର କରି କମ୍ପାନୀ କିଭଳି ଏହାର ବ୍ୟବହାର କରିବ ସେ ନେଇ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ତହସିଲ ଅଧିନ ହେଲପୁର, ମଜୁରିଗଡିଆ ଓ ପାହିମହୁରା ମୌଜାର ୨୧୭.୭୧ଡେସମିଲ ଜମି ଧରଣୀ ସୁଗାର ପକ୍ଷରୁ ଚିନି କାରଖାନା ଲାଗି ପ୍ରଶାସନ ଜମି ଅଧିଗ୍ରହଣ କରିଥିଲେ । ଏଥିପାଇଁ ୧କୋଟି ୨୧ଲକ୍ଷ ୨୪ହଜାର ୬୯୨ଟଙ୍କା କ୍ଷତିପୂରଣ ଅର୍ଥ ଜମି ମାଲିକମାନଙ୍କୁ ଗତ ୧୯୯୬ମସିହାରେ ପ୍ରଦାନ କରାଯାଇଥିଲା । ତେବ ପ୍ରସ୍ତାବିତ ଚିନି କାରଖାନା କୌଣସି କାରଣରୁ ହୋଇପାରିଲା ନାହିଁ । ଦୀର୍ଘବର୍ଷ ଧରି ଉକ୍ତ ଅଧିଗୃହୀତ ଜମି ଅବ୍ୟବହୃତ ହୋଇ ପଡି ରହିବା ଫଳରେ ସ୍ଥାନୀୟ ଅଂଚଳର ଜମିହରା ମାନେ ଉକ୍ତ ଜମିକୁ ପୁଣି ଜବରଦଖଲ କରିଥିଲେ ଓ ଅଧିକ କ୍ଷତିପୂରଣ ଦାବି କରି ବାରମ୍ବାର ଆନ୍ଦୋଳନ କରିଥିଲେ । ପରବର୍ତୀ ସମୟରେ ଜମିହରାମାନେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସବୁ ଜମିହରାଙ୍କୁ ସରକାରଙ୍କ ତରଫରୁ ୫୦ହଜାର ଟଙ୍କା ଲେଖାଏଁ ଏସ୍‌ଗ୍ରେସିଆ ପ୍ରଦାନ କରାଯାଇଥିଲା । ଏହା ପରେ ମଧ୍ୟ ବହୁ ଜମିହରା ଚାଷୀ ଅଧିକ କ୍ଷତିପୂରଣ ରାଶି ଦାବି କରି ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦ଜଣ ଜମିହରାଙ୍କୁ ପ୍ରଶାସନ ପକ୍ଷରୁ ୭୧ଲକ୍ଷ ୩୨ହଜାର ୪୯୦ଟଙ୍କା ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ୬ଜଣ ଚାଷୀଙ୍କୁ ମଧ୍ୟ ୧୩ଲକ୍ଷ ୪୮ହଜାର ୭୩୪ଟଙ୍କା ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପରେ ୧୭ଏକର ୧୫ଡେସମିଲ ସରକାରୀ ଜମି ଓ ୫ଏକର ୩୨ଡେସମିଲ ଜଙ୍ଗଲ ଜମି ରହିଛି । ଉକ୍ତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେଲେ ୫ହଜାର ନିଯୁକ୍ତି ସୃଷ୍ଟି ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.