Home ଜିଲ୍ଲା ପରିକ୍ରମା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ, ୨ମାସ ହେଲା ଦୂଷିତ ପାଣିରେ ସ୍ନାନ କରୁଛନ୍ତି ବାବାମଣି, ପ୍ରଦୂଷିତ ଶିବଗଙ୍ଗା...

ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ, ୨ମାସ ହେଲା ଦୂଷିତ ପାଣିରେ ସ୍ନାନ କରୁଛନ୍ତି ବାବାମଣି, ପ୍ରଦୂଷିତ ଶିବଗଙ୍ଗା ପୁଷ୍କରିଣୀ ପାଣିରେ ମେଂଟୁଛି ଶୋଷ, ପ୍ରହସନ ପାଲଟିଛି ଜଳଛତ୍ର କେନ୍ଦ୍ର, ପିଇବା ପାଣି ପାଇଁ ହାହାକାର

11

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମ ପ୍ରଭାବରେ ସାରା ରାଜ୍ୟରେ ଡହଡହ ଖରାକୁ ଗୁଳୁଗୁଳି ଲାଗି ରହିଛି। ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପରିକି ବିଭିନ୍ନ ଛକ ଓ ବଜାରରେ ଜଳଛତ୍ର ଖୋଲାଯିବା ସହ ସମସ୍ତ ନଳକୂପକୁ ସଚଳ କରି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ ଏହା ପ୍ରହସନ ପାଲଟିଛି। ବ୍ଲକ ପ୍ରଶାସନ ପକ୍ଷରୁ ହାତ ଗଣତିରେ ଥିବା ୩ଟି ଜଳଛତ୍ର ଖୋଲାଯାଇଛି। ହେଲେ ସୂଚନା ଫଳକ ମାରି କାମ ସାରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ। ଜଳଛତ୍ରରେ କେଉଁଠି ପାଣିବିନା ମାଠିଆ ଗଡୁଛି ତ ଆଉ କେଉଁଠି ମାଠିଆ କିମ୍ବା ପାଣି ନାହିଁ। ଜଳଛତ୍ରରେ ଯେଉଁ ମାଠିଆ ବସାଯାଇଛି ତାର ଆକାର ଛୋଟ ଥିବାରୁ ୪ଦ୫ଜଣଙ୍କର ଶୋଷ ମେଂଟାଇ ପାରୁନି। ସେହିପରି ବସୁଧା ଯୋଜନାରେ ଆସୁଥିବା ଭୂତଳଜଳ ସ୍ଥାନୀୟ ଲୋକଙ୍କ ଶୋଷ ମେଂଟାଇବା ତ ଦୂରର କଥା ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକଙ୍କ ଶୋଷ ମେଂଟାଇ ପାରୁନାହିଁ। ଫଳରେ ଭକ୍ତ ଓ ସ୍ଥାନୀୟ ଲୋକ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ଦୂଷିତ ଜଳରେ ଶୋଷ ମେଂଟାଉଛନ୍ତି। ବିଶେଷକରି ମନ୍ଦିର ପ୍ରାଙ୍ଗଣରେ ଥିବା ନଳକୂପ ୨ମାସ ହେବ ଅଚଳ ହୋଇ ପଡିଥିବା ବେଳେ ପୁଷ୍କରିଣୀ ମଧ୍ୟକୁ ନଦୀର ଜୁଆରପାଣି ଆସୁନଥିବାରୁ ଦୂଷିତ ପାଣିରେ ବାବାମଣିଙ୍କ ସ୍ନାନ(ଜଳାଭିଷେକ) ସହ ଘର୍ଷଣ ଓ ନୀତିଭୋଗ ପ୍ରସ୍ତୁତ ହେଉଛି। ଏବେ ପୁଷ୍କରିଣୀର ଜଳ ନୀଳ ପଡିଯାଇ ଅନାବନା ପତ୍ର ପଲିଥିନି ଭାସୁଛି। ଏଥିପ୍ରତି ଯେପରି କାହାରି ନଜର ପଡୁନି ବୋଲି ଆଗନ୍ତୁକ ଭକ୍ତ ଦୁଃଖର ସହ କହିଛନ୍ତି। ଆସୁଥିବା ଭକ୍ତ ପ୍ରଥମେ ମନ୍ଦିର ଯିବା ପୂର୍ବରୁ ପୁଷ୍କରିଣୀ ଜଳରେ ସ୍ନାନ, ଶୌଚ କରି ଯାଇଥାନ୍ତି। ହେଲେ ପୁଷ୍କରିଣୀ ପାଣି ଏତେ ଦୂର୍ଗନ୍ଧମୟ ଯାହାକି ସ୍ନାନ କରିବା ତ ଦୂରର କଥା ନାକରେ ଦେଇହେବ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ବସୁଧା ଯୋଜନାରୁ ମଟର ଯୋଗେ ୨ଟି ଟାଙ୍କିରେ ପାଣି ରଖୁଥିଲେ ମଧ୍‌ଯ ଟାଙ୍କି ଦ୍ୱୟ ସଫା ହେଉନଥିବାରୁ ତାହା ପିଇବା ପାଣି ପାଇଁ ଅନୁପଯୋଗୀ ହୋଇପଡିଛି। ସୋମବାର ଓ ପୂଜାପର୍ବାଣୀରେ ପୀଠରେ ନାହିଁନଥିବା ଭକ୍ତଙ୍କ ସମାଗମ ହେଉଛି। ହେଲେ ଆବଶ୍ୟକତା ଅନୁଯାୟୀ ପିଇବାପାଣିର ବ୍ୟବସ୍ଥା ନଥିବାରୁ ଶୋଷ ମେଂଟାଇବା ପାଇଁ ଭକ୍ତଙ୍କ ମଧ୍ୟରେ ହାହାକାର ଦେଖାଦେଉଛି। ପିଇବାପାଣି ପାଣି ଟୋପାଏ ପାଇଁ ମନ୍ଦିର ଠାରୁ ୩/୪ଶହ ମିଟର ଯିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ବସୁଧା ଯୋଜନାରେ ଆସୁଥିବା ଭୂତଳଜଳ ଅନେକ ସାହିକୁ ଯାଉନାହିଁ ଫଳରେ ପିଇବା ପାଣିର ଘୋର ସଂକଟ ଦେଖାଦେଉଛି। ରାଜ୍ୟର ପୁରାତନ ଶୈବକ୍ଷେତ୍ର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପ୍ରତିଦିନ ହଜାରହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପୀଠରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରାଯାଉଛି। ସାମାନ୍ୟ ପିଇବାପାଣି ମିଳୁନଥିବାରୁ ହଟହଟା ହେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.