ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସବୁଠାରୁ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ଶହେ ବର୍ଷ ତଳୁ ନିର୍ମାଣ ହୋଇଥିବା ଚାରିମହଲା ବିଶିଷ୍ଟ ଅଟ୍ଟାଳିକା (ବିଳାସିନୀ ଏଣ୍ଡ ସନ୍ସ) (ବିଳାସିନୀ ଭବନ) ଟି ଏବେ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଏହାର ତୃତୀୟ ଓ ଚତୁର୍ଥ ମହଲାରେ ବିଶାଳକାୟ କୋଠାଘର ନିର୍ମାଣ କାର୍ଯ୍ୟ କରିବା, ଏହା ମଧ୍ୟରେ ରହୁଥିବା ଶହେରୁ ଉର୍ଦ୍ଧ୍ୱ ଦୋକାନଘର, ଅଫିସ୍ର ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଜୀବିକାକୁ ନେଇ ସଂଶୟ ସୃଷ୍ଟି କରିଛି। ଏହି କୋଠାଟି ଅତ୍ୟନ୍ତ ପୁରୁଣା ହୋଇଯାଇଥିବାରୁ ଭୁଷୁଡି ପଡିବା, ନିଆଁ ଲାଗିବା, ଛାତରୁ ପାଣି ଗଳିବା ଭଳି ଅକସ୍ମାତ ଦୁର୍ଘଟଣାର ଆଶଙ୍କା ଥିବାରୁ ‘ମଡର୍ଣ୍ଣ ସିଭିଲ୍ ଇଂଜିନିୟରିଂ ରେକୋମଣ୍ଡେସନ ଉପରେ ଏହାର ମରାମତି ଓ ସ୍ଥାୟୀତ୍ୱ ନିର୍ଭରଶୀଳ’। କାରଣ ଶହେବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକାର ଭାର ବହନ କରିବା ପାଇଁ କୌଣସି କଂକ୍ରିଟ୍ ପିଲର ନଥିବାରୁ ୫ ହଜାର ବର୍ଗଫୁଟରୁ ଉର୍ଦ୍ଧ୍ୱ ଜାଗାରେ ୩ୟ ଓ ୪ର୍ଥ ମହଲା ଉପରେ ଉକ୍ତ ନିର୍ମାଣାଧୀନ ବେଆଇନ୍ କାର୍ଯ୍ୟ ଅଟ୍ଟାଳିକାର ଭବିଷ୍ୟତ ଓ ଏଥିରେ ରହୁଥିବା ଲୋକଙ୍କ ଜୀବନଜୀବିକା ଉପରେ ପ୍ରଶ୍ନବାଚୀ ଲଗାଇଛି। ଏହି ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଗୋଟିଏ ପକ୍ଷର ଉତରାଧିକାରୀ ସୁଧାନିଧି ପଣ୍ଡା, ତୁଷାରେନ୍ଦୁ ପଣ୍ଡା, ଶୁଭେନ୍ଦୁ ପଣ୍ଡା, ସମରେନ୍ଦୁ ପଣ୍ଡା, କୁମାରେନ୍ଦୁ ପଣ୍ଡା ପ୍ରମୁଖ ମାନ୍ୟବର କୋର୍ଟର ଆଶ୍ରୟ ନେବା ପରେ ଅଦାଲତଙ୍କ ରହିତାଦେଶ ଆଇ.ଏ. ନଂ ୪୬୮/୨୦୨୪ ଓ ସି.ଏସ୍. ନଂ ୧୨୬୧/୨୪, ତା ୨୪.୧୨.୨୪ ରିଖରେ ଜାରି ହୋଇଥିବାବେଳେ ଅପରପକ୍ଷ ଉତରାଧିକାରୀ ଅମରେନ୍ଦ୍ର ପଣ୍ଡା ସେମାନଙ୍କୁ ଜୀବନରୁ ମାରିଦେବାର ଭୟ ଦେଖାଇ ଉପରୋକ୍ତ ବେଆଇନ୍ ନିର୍ମାଣ କାର୍ଯ୍ୟ କରାଉଛନ୍ତି। ଏହି ଅଟ୍ଟାଳିକାରେ ରହୁଥିବା ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ପ୍ରତି ଥିବା ବିପଦକୁ ଲକ୍ଷ୍ୟ ରଖି ପ୍ରଥମପକ୍ଷ ଭଦ୍ରକ ସହରାଂଚଳ ଥାନାରେ ଗତ ଡିସେମ୍ବର ୨୪ ତାରିଖରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଥାନାଧିକାରୀ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏ ସଂପର୍କରେ ପ୍ରଥମପକ୍ଷ ଟାଉନ୍ ପ୍ଲାନିଂ ଓ ଭଦ୍ରକ ପୌରପାଳିକାକୁ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ବିନା ଅନୁମତିରେ ଏକ ବିପଦପୂର୍ଣ୍ଣ ଅଟ୍ଟାଳିକା ଉପରେ ଶହ ଶହ ଟନ୍ର ଭାର କିଭଳି ଲଦି ଦିଆଯାଉଛି, ତାହା ସ୍ଥାନୀୟ ଅଧିବାସୀ ଓ ସଂପୃକ୍ତ ପରିବାର ବର୍ଗଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ସୂଚନାଯୋଗ୍ୟ ଏହି ଅଟ୍ଟାଳିକାର ସମସ୍ତ ଉତରାଧିକାରୀମାନଙ୍କ ମଧ୍ୟରେ ଜାଗା ଭାଗ ବଂଟୁରା ଶାନ୍ତିପୂର୍ଣ୍ଣ ଓ ଲିଖିତ ଭାବେ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଅପରପକ୍ଷ ଅମରେନ୍ଦ୍ର ପଣ୍ଡା ଆଇନ୍କୁ ବେଖାତିର କରି ବଳପୂର୍ବକ ପ୍ରଥମପକ୍ଷଙ୍କ ଭାଗ ଉପରେ ବେଆଇନ୍ ଘର ନିର୍ମାଣ କରିବା କେତେଦୂର ସମୀଚନ। ଏବଂ ଏ ସଂପର୍କରେ ଥାନା ଠାରୁ ଆରମ୍ଭ କରି ଟାଉନ୍ ପ୍ଲାନିଂ ଓ ପୌରପାଳିକା ଅବଗତ ଥିଲେ ମଧ୍ୟ ନୀରବ ରହିବା ସେମାନଙ୍କର ପ୍ରିୟାପ୍ରୀତି ତୋଷଣ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ତେବେ ଶହ ଶହ ଲୋକଙ୍କ ଜୀବନ ହାନିର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ସୁଧାନିଧି ପଣ୍ଡାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସ୍ଥାନୀୟ ଓରିୟନ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭବିଷ୍ୟତରେ ଏହି ଅଟ୍ଟାଳିକାଟି ଭୁଷୁଡିପଡିବା ଜନିତ କ୍ଷୟକ୍ଷତି ହେଲେ, ସେଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ କୋଲକାତା, କଟକ ଓ ହାଇଦ୍ରାବାଦ ଭଳି ବହୁ ପ୍ରାଚୀନ ସହରରେ ବିପଦ ସଂକୁଳ ହୋଇଥିବା ଅଟ୍ଟାଳିକା ଗୁଡିକ ଉପରେ ସ୍ଥାନୀୟ ପ୍ରଶାସନ କଡା ଦୃଷ୍ଟି ରଖି ଆବଶ୍ୟକ ପଡିଲେ ଏହା ଉପରେ ଏଭିକସନ୍ ନୋଟିସ୍ ଜାରି କରିଥାଏ। କିନ୍ତୁ ଉପରୋକ୍ତ ବିପଦସଂକୁଳ ଅଟ୍ଟାଳିକାଟି ଉପରେ ବ୍ୟବସାୟିକ ଲାଭ ଆଶାରେ ଯେଭଳି ପୁନଃ ଗୃହ ନିର୍ମାଣ କରାଯାଉଛି, ତାହା ଆଗାମୀ ଦିନରେ ବହୁ ମୂଲ୍ୟବାନ ଜୀବନ ଓ ଧନ ହାନିର କାରଣ ହେବ। ଏଣୁ ଜିଲାପାଳ ଏହି ଘଟଣାଟିର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଦୋକାନ ଘର କରି ବ୍ୟବସାୟ କରୁଥିବା ଲୋକମାନଙ୍କ ପରିବାର ବର୍ଗ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟହୋଇ ଆମରଣ ଅନଶନ କରିବାର ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଲ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ, ରାଜ୍ୟ ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକଙ୍କୁ ପ୍ରେରଣ କରିଛନ୍ତି।