Home ଜିଲ୍ଲା ପରିକ୍ରମା ପ୍ରଶାସନର ରାତି ଅଧିଆ ନିର୍ଦ୍ଦେଶନାମା ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ଘଟାଇଲା : ପ୍ରଶାସନର ନିର୍ଦ୍ଦେଶକୁ...

ପ୍ରଶାସନର ରାତି ଅଧିଆ ନିର୍ଦ୍ଦେଶନାମା ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ଘଟାଇଲା : ପ୍ରଶାସନର ନିର୍ଦ୍ଦେଶକୁ ଫୁ, ମହତାବ ଛକରେ କରୋନାକୁ ନିମନ୍ତ୍ରଣ କଲେ ଉଠାଦୋକାନୀ

238

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର କରୋନା ସଂକ୍ରମଣକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ପ୍ରତିଦିନ କଟକଣାରେ ପରିବର୍ତ୍ତନ କରିବାରେ ଲାଗିଛି। ତେବେ ପ୍ରଶାସନର ଏହି କଟକଣା ଜନିତ ନିର୍ଦ୍ଦେଶକୁ କେତେକ ଅମାନିଆ ଯେଭଳି ଫୁତ୍କାରରେ ଉଡାଇ ଚାଲିଛନ୍ତି, ତାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଜିଲାପାଳଙ୍କୁ ସଚେତନ କରାଇ ପୂର୍ବଭଳି କଠୋର ନୀତି ନିୟମ ଜାରି କରିବାକୁ ଅନୁରୋଧ କରିଆସୁଥିଲେ। ମାତ୍ର ଏହାକୁ ପାଳନ କରିବାରେ ଜିଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିଲା। ଯେଉଁଥିପାଇଁ ଭଦ୍ରକ ଜିଲାରେ କରୋନା ସଙ୍ଗରୋଧ କେନ୍ଦ୍ରରୁ ଆସି ଏବେ ଗୋଷ୍ଠୀ ସଂକ୍ରମଣର ଦ୍ୱାରଦେଶରେ ପହଞ୍ଚିଛି। ଫଳରେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ରାତି ଅଧିଆ ଯେଉଁ କଟକଣାର ପରିବର୍ତ୍ତନ କରିଛନ୍ତି, ସେଥିରେ ବଳିପଡିଛନ୍ତି ବହୁ ବ୍ୟବସାୟୀ। ଯାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ସହରର ପ୍ରତିଷ୍ଠିତ ମିଷ୍ଠାନ୍ନ ବ୍ୟବସାୟ କେନ୍ଦ୍ର ‘ସ୍ୱସ୍ତିତୃପ୍ତି’ କ୍ଷେତ୍ରରେ। ଏହି ବ୍ୟବସାୟ ପ୍ରତିଷ୍ଠାନ ସହରର ୩ଟି ସ୍ଥାନରେ ତାର ଦୋକାନ ଖୋଲିଥିବାବେଳେ ଗତକାଲି ରାତିଅଧିଆ ପ୍ରଶାସନିକ ପରିବର୍ତ୍ତନ ଯୋଗୁଁ ସେ ପ୍ରାୟ ୩ ଲକ୍ଷ ଟଙ୍କାର କ୍ଷତି ସହିଛି। ଏହିଭଳି ବହୁ ମିଷ୍ଠାନ ଓ ହୋଟେଲ ପ୍ରଶାସନର ଅପାରଗତାର ଶୀକାର ହୋଇଛନ୍ତି। ଯଦିଓ କରୋନା ସକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନକୁ ବହୁ ପୂର୍ବରୁ ସହରର କେତେକ ଆଗଧାଡିର ବୁଦ୍ଧିଜୀବୀଙ୍କ ମଧ୍ୟରେ ଶିକ୍ଷାବିତ୍, ଆଇନ୍ଜୀବୀ, ସାମ୍ବାଦିକ, ସଚେତନ ନାଗରିକ ଓ ସମାଜସେବୀମାନେ ସର୍ତକ କରାଇ ଆସୁଥିଲେ। ମାତ୍ର ଜିଲା ପ୍ରଶାସନ ଏ ଦିଗରେ ନୀରବତା ଅବଲମ୍ବନ କରିଥିଲା। ଗୋଟିଏ ପଟେ କରୋନାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନେଉଥିବା ଜିଲା ପ୍ରଶାସନ ଅଧୀନରେ ଥିବା ପୌରପାଳିକା, ତହସିଲ, ଡାକ୍ତରଖାନା, ଥାନା ଏପରିକି ଖୋଦ୍ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଂକ୍ରମଣର ଶୀକାର ହୋଇଥିବାରୁ କେବଳ ଯାହା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପରିବା ଦୋକାନୀଙ୍କୁ ଉଠାଇବା ସହ ଆଜିଠାରୁ କଚେରୀ ବଜାରର ଉଠା ପରିବା ଦୋକାନ ଗୁଡିକ ପୁରୁଣା ବସ୍ଷ୍ଟାଣ୍ଡ ଭିତରକୁ ସ୍ଥାନାନ୍ତର କରି ପ୍ରଶାସନ ନିଜର କର୍ତ୍ତବ୍ୟ ସାରିଦେଇଛି।

ମାତ୍ର ଏହାଫଳରେ ଉକ୍ତ ସ୍ଥାନରେ ନିଜର ଜୀବନ ଜୀବିକା ପାଇଁ ବିଭିନ୍ନ ଉଠା ଦୋକାନ କରିଆସିଥିବା ବ୍ୟକ୍ତିବିଶେଷ ଆଜି ମହତାବ ଛକଠାରୁ ଏସ୍ବିଡି ସ୍କୁଲ ପର୍ଯ୍ୟନ୍ତ ଯେଭଳି ରାସ୍ତାର ଉଭୟପାଶ୍ୱର୍ରେ ନିଜର ବିପ୍ପଣୀ ଖୋଲି ଭିଡ ଜମାଇଛନ୍ତି, ତାହା କରୋନାକୁ ନିମନ୍ତ୍ରଣ କରୁଥିବା ଭଳି ମନେହୁଏ। କଲେଜ ଛକରେ ଥିବା ମାଛ ମାର୍କେଟ୍ଟିକୁ ପ୍ରଶାସନ ବନ୍ଦ କରିବା ଫଳରେ ସେଠାରେ ବ୍ୟବସାୟ କରିଆସୁଥିବା ମାଛ ଦୋକାନୀ, ଜିଲାପାଳଙ୍କ ଗେଟ୍ ସମ୍ମୁଖରେ ବସିଆସୁଥିବା ପରିବା ଦୋକାନୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଟ୍ରଲି ରିକ୍ସାରେ ବ୍ୟବସାୟ କରିଆସୁଥିବା ଲୋକଙ୍କ ସମେତ ଚିକେନ୍ ଦୋକାନୀ ଗୁଡିକ ଯେଭଳି ଭାବେ ଏହି ରାସ୍ତାର ଉଭୟ ପାଶ୍ୱର୍କୁ ଅବରୋଧ କରି କୌଣସି ଯାତ୍ରା ଓ ମେଳାର ଗହଳି ସୃଷ୍ଟି କରିଚାଲିଛନ୍ତି, ତାହା ନିଜେ ନଦେଖିଲେ ଆଖିକୁ ବିଶ୍ୱାସ କରିହେବନି। ଏ ଦିଗରେ ମହତାବ ଛକରେ ପ୍ରତିଦିନ ଡ୍ୟୁଟି କରିଆସୁଥିବା ପୁଲିସ୍ ପାଟ୍ରୋଲିଂ ଗାଡି ଓ କାର୍ଯ୍ୟରତ ଟ୍ରାଫିକ୍ ପୁଲିସ୍ କେବଳ ଯାହା ନୀରବଦର୍ଶକ ସାଜିଛନ୍ତି। ଏ ଦିଗରେ ସେମାନଙ୍କୁ ପ୍ରଶ୍ନ କଲେ, ସେମାନେ କେବଳ ଯାହା ଜନସାଧାରଣଙ୍କୁ ଦୋଷ ଦେଇ ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି। ଗତ ସୋମବାର ଜିଲ୍ଲାପାଳ ନର୍ଦ୍ଦେଶ ଜାରି କଲେ ଯେ ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍ଏସିକୁ ଲକ୍ ଡାଉନ କରାଗଲା। ଏହି ସମୟରେ ଦୋକାନ ବଜାର ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ହେବ। ତେବେ ଦିନ ତମାମ ପାର୍ସଲ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରି ଯେଉଁ ଜଳଖିଆ ଦୋକାନୀ ତାହାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିବା ବେଳେ ଦିନ ଗୋଟାଏ ମଧ୍ୟରେ ସେତିକି ସାମଗ୍ରୀ ବିକ୍ରି ହେବା ସମ୍ଭବ ନୁହେଁ। ଯାହା ଫଳରେ ସେମାନଙ୍କ ବହୁ ଖାଦ୍ୟ ସାମଗ୍ରୀ ନଷ୍ଟ ହେଲା। ସେହିପରି ଗତକାଲି ରାତି ୯ଟାରେ ନିର୍ଦ୍ଦେଶ ଜାରି ହେଲା ଯେ ଆଜିଠାରୁ ସମ୍ପୂର୍ଣ୍ଣ ଲକ୍ଡାଉନ। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବନ୍ଦ। ତେବେ ଆଜି ପାଇଁ ଯେଉଁ ଜଳଖିଆ ଦୋକାନୀ ମିଠା ଆଦି ପ୍ରସ୍ତୁତ କରିଥିଲେ, ସେ ସବୁ ନଷ୍ଟ ହେଲା। ସେହିପରି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ରାସ୍ତା କଡରେ ବିକ୍ରି (ଷ୍ଟ୍ରିଟ ଭେଣ୍ଡିଂ) ବନ୍ଦ। ତେବେ ଯେଉଁ ରାସ୍ତାକଡ ପରିବା ଦୋକାନୀମାନେ ପରିବା କିଣି ଆଜି ବିକିବାକୁ ରଖିଥିଲେ, ତାକୁ ଆଜି ବିକ୍ରି କରିବାକୁ ନ ଦେବାରୁ ସେମାନଙ୍କର ପରିବା ନଷ୍ଟ ହୋଇଛି। ଏହା ବ୍ୟତୀତ ବଜାରର କେତେକ ଉଠା ପରିବା ଦୋକାନୀ ସେମାନଙ୍କ ପରିବା ନେଇ ମହତାବ ଛକ ଠାରୁ ଆରଡି ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବସିଛନ୍ତି। ତେବେ ଏହି ଅଞ୍ଚଳ ହେଉଛି ପଞ୍ଚାୟତ ଅଞ୍ଚଳ। ଯଦି ବା ଏହା ପଞ୍ଚାୟତ ଅଞ୍ଚଳ ଜିଲ୍ଲାପାଳ ଏହି ଅଞ୍ଚଳକୁ ଲକ୍ଡାଉନ ଅଞ୍ଚଳ ଭାବେ ଘୋଷଣା କରିଥିଲେ ବି ପ୍ରଶାସନର ଏହି ନିର୍ଦ୍ଦେଶକୁ ମଧ୍ୟ ଉଠା ଦୋକାନୀ ମାନୁ ନାହାନ୍ତି। ବନ୍ତ ଛକ ମାଛ ମାର୍କେଟ, ଚିକେନ ଦୋକାନ ବନ୍ଦ ହେବା ପରେ ଏହି ଦୋକାନୀ ସବୁ ମହତାବ ଛକରୁ ଆରଡି ଛକ ରାସ୍ତା କଡରେ ବସୁଛନ୍ତି। ତେବେ ଅଳ୍ପ ଜାଗାରେ ଏତେ ଦୋକାନ ବସିବା ଏବଂ ଗ୍ରାହକ କିଣାକିଣି କରୁଥିବାରୁ ଏଠାରେ ଭିଡ ପ୍ରବଳ ହେଉଛି। ଯାହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଅସମର୍ଥ ହୋଇଛି। ଏହି ଅଞ୍ଚଳରେ ଲାଗୁଥିବା ଭିଡ କରୋନକୁ ନିମନ୍ତ୍ରଣ କରୁଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.