ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଦାୟିତ୍ୱରେ ଥିବା ପ୍ରମୁଖ ଶାସନ ସଚିବ ଉଷା ପାଢୀ ଆଜି ଭଦ୍ରକ ଗସ୍ତରେ ଆସି ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ଗୁଡିକ ସଂପର୍କରେ ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ଭଦ୍ରକ ଗସ୍ତରେ ଆସିବା ସମୟରେ ବାଟରେ ଥିବା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ପାହିମହୁରାରେ ନିର୍ମାଣ ହେବାକୁ ଥିବା ଟ୍ୟାକ୍ସଟାଇଲ୍ ପାର୍କ ଓ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲ ସ୍ଥାନ ପରିଦର୍ଶନ କରିଥିଲେ । ଭଦ୍ରକ ସଦର ମହକୁମାରେ ପହଂଚିବା ପରେ ଉଦ୍ଘାଟନ ଅପେକ୍ଷାରେ ଥିବା ଭଦ୍ରକ ପୌରାଂଚଳର ଫେଶାଲ ସ୍ଲଜ୍ ଟ୍ରିଟମେଂଟ ପ୍ଲାଂଟ, ମ୍ୟୁନସିପାଲଟି ଲାଇବ୍ରେରୀ ଓ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ବୁଲି ଦେଖିଥିଲେ । ଏହାପରେ ସେ ଅପରାହ୍ନରେ ତିହିଡି ବ୍ଲକ୍ର ଆମ ବସ୍ ପାଇଁ ସ୍ଥିରୀକୃତ ହୋଇଥିବା ସ୍ଥାନ, ଚାନ୍ଦବାଲି ବ୍ଲକ୍ର କ୍ର୍ୟୁ ଟ୍ରେନିଂ ସେଂଟର ଓ ନୂଆ ବସ୍ଷ୍ଟାଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନରେ ନିର୍ମାଣାଧୀନ ଚାନ୍ଦବାଲି ଡିଗ୍ରୀ କଲେଜ, ବଡଓସ୍ତିଆରେ ସଂପୂର୍ଣ୍ଣ ହେବାକୁ ଥିବା ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ, ଇନଲାଣ୍ଡ ୱାଟର ୱେଜ୍ ପରିଦର୍ଶନ କରିଥିଲେ । ପରେ ସେ ସର୍କିଟ୍ ହାଉସ ଠାରେ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି, ସଡକ ସୁରକ୍ଷା ଓ ଗ୍ରାମ୍ୟ ଜଳ ପରିମଳ ବିଭାଜନ, ପୂର୍ତ ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ସମୀକ୍ଷା କରିବା ସହ ଅଟକିଥିବା ଉନ୍ନତିମୂଳକ କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସରୋଜ ଦତ, ପି.ଡି ଡିଆରଡିଏ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ସୌରଜ ଚକ୍ରବର୍ତୀ, ଆରଟିଓ ରାମ ନିବାସ ସିରିକା, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପୌରନିର୍ବାହୀ ଅଧିକାରୀ ତାପସ ସାମଲଙ୍କ ସହ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।