Home ଓଡ଼ିଶା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସର୍ବସାଧାରଣ ରାସ୍ତା ଅବରୋଧ, ୩ମାସ ବିତିଲା ୩୦ ପରିବାରର ଗୁହାରୀ ଶୁଣୁ...

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସର୍ବସାଧାରଣ ରାସ୍ତା ଅବରୋଧ, ୩ମାସ ବିତିଲା ୩୦ ପରିବାରର ଗୁହାରୀ ଶୁଣୁ ନାହାନ୍ତି ତହସିଲଦାର

93

ହରିଚନ୍ଦନପୁର,ତା ୭ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମପଞ୍ଚାୟତ କମଳାଙ୍ଗି ଗ୍ରାମ ବାଲିପଶି ସାହିର ୩୦ ପରିବାର ଏକ ପ୍ରକାର ଗୃହ ବନ୍ଦୀ ହୋଇ ଜୀବନ ବିତାଉଛନ୍ତି । ଏନେଇ ତହସିଲଦାରଙ୍କୁ ଅନେକଥର ଲିଖିତ ସହ ମୌଖିକ ଅଭିଯୋଗ କରିଆସୁଥିଲେ ମଧ୍ୟ ବାବୁ କିଛି ବୁଝୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ସେହି ଗ୍ରାମର ଜଣେ ମୁଷ୍ଟିମେୟ ଲୋକ ସର୍ବସାଧାରଣ ରାସ୍ତାକୁ ନିଜ ଜାଗା କହି ବାଡ଼ ବୁଜି ରାସ୍ତା ଅବରୋଧ କରିଥିବାରୁ ସେଠାକାର ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବହୁବାର ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର ଏ କଥାକୁ ହାଲୁକା ଭାବରେ ନେଇ କିଛି ପଦକ୍ଷେପ ନନେଇ ଚୁପ୍ ହୋଇ ବସିଛନ୍ତି । ଅଭିଯୋଗକୁ ଦୀର୍ଘ ୩ମାସ ବିତିଲା ପରେ ଗତ ରବିବାର ସେହି ସ୍ଥାନରେ ପୁର୍ନବାର ଆଉ ଏକ ସ୍ଥାୟୀ ବାଡ଼ ପ୍ରସ୍ତୁତ କରିବା ଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ତହସିଲଦାରଙ୍କୁ ଫୋନ୍ କରିଥିଲେ । ହେଲେ ବାବୁ ଏହିଭଳି ବିପତ୍ତି ସମୟରେ ଫୋନ୍ ଉଠାଇନଥିଲେ ଫଳରେ ସୋମବାର ସକାଳେ ଗ୍ରାମବାସୀ ନ୍ୟାୟ ଆଶାରେ ଏକତ୍ରିତ ହୋଇ ତହସିଲ କାର୍ଯ୍ଯାଳୟ ଘେରିଥିଲେ । ତହସିଲଦାର ବାବୁ ପହଞ୍ଚି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କ ସହ ଯୁକ୍ତିତର୍କ କରି ନାଲି ଆଖି ଦେଖାଇ ଥିଲେ । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ତହସିଲଦାରଙ୍କ ମତାମତ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏଥିସହ ରାଗିଯାଇ ମିଡ଼ିଆ ବାଲାଙ୍କୁ କାହିଁକି ଡାକିଛ, ମିଡ଼ିଆ ବାଲାଙ୍କୁ ଡାକିଛ ମାନେ ମୁଁ ଆପଣମାନଙ୍କ ଅଭିଯୋଗ ଶୁଣିପାରିବି ନାହିଁ ବୋଲି କହି ଅଫିସ୍ ଭିତରକୁ ପ୍ରବେଶ କରିଥିଲେ । ଏସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ ପନ୍ଥା ଆପଣେଇବାକୁ ଗ୍ରାମବାସୀଙ୍କ ଚେତାବନୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ‌ ୩୦ ପରିବାରର ସ୍ୱାର୍ଥକୁ ଆଖି ଆଗରେ ରଖି ଯଥାଶୀଘ୍ର ସମାଧାନର ପଦକ୍ଷେପ ଗ୍ରହଣ କରିବାକୁ ଏଅଞ୍ଚଳର ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.