Home ଅପରାଧ ପ୍ରଫେସର ଡ. ଅରୁଣ କୁମାର ଲେଙ୍କାଙ୍କ ଘରେ କଳାକନା ବୁଲାଇଲେ ଦୃବୁର୍ତ୍ତ, ସାଇଣ୍ଟିଫିକ୍ ଟିମ୍ ଓ...

ପ୍ରଫେସର ଡ. ଅରୁଣ କୁମାର ଲେଙ୍କାଙ୍କ ଘରେ କଳାକନା ବୁଲାଇଲେ ଦୃବୁର୍ତ୍ତ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଆରମ୍ଭ କଲା ପୁଲିସ୍‌

47

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୃହକର୍ତ୍ତା ଘରେ ନଥିବାର ସୁଯୋଗରେ କେତେକ ଦୃବୁର୍ତ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ପଞ୍ଚାୟତ ସାମରାଇପୁର ମୌଜାର ପ୍ରାଚୀନଗର ସତସଙ୍ଗ ମାର୍ଗରେ ଥିବା ପ୍ରଫେସର ଡ. ଅରୁଣ କୁମାର ଲେଙ୍କା ଘରେ କଳାକନା ବୁଲାଇ ଦେଇଛନ୍ତି। ଏ ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଡ. ଲେଙ୍କାଙ୍କ ପତ୍ନୀ ତଥା ସାମ୍ବାଦିକା ଅଂଜଳି ଲେଙ୍କା ଦେଇଥିବା ଅଭିଯୋଗ ପତ୍ର ମୂଳେ ସତସଙ୍ଗ ମାର୍ଗରେ ଥିବା ତାଙ୍କ ଗୃହରେ ଦୀର୍ଘବର୍ଷ ଧରି ତାଙ୍କ ପିତା ତଥା କାରା ଅଧୀକ୍ଷକ କମଳାକାନ୍ତ ରାୟ ଓ ମାତା ସ୍ନେହଲତା ରାୟ ରହିଆସୁଥିଲେ। ଏବଂ ତାଙ୍କ ସ୍ୱାମୀ ଡ. ଲେଙ୍କା ଭଦ୍ରକ ରୟାଲ ଆବାସିକ ମହାବିଦ୍ୟାଳୟର ଯୁକ୍ତ ତିନିର ଅଧ୍ୟକ୍ଷ ଥିବାରୁ ସେ ସପରିବାର ଓରିଅନ ହୋଟେଲ ପଛପଟ ଭଡାରେ ରହିଆସୁଥିଲେ। ଇତିମଧ୍ୟରେ ଗତମାସ ୯ ତାରିଖ ଦିନ ତାଙ୍କ ପିତାଙ୍କର ଦେହାନ୍ତ ହେବାରୁ ସେହିଦିନ ଠାରୁ ତାଙ୍କ ମା’ ସ୍ନେହଲତା ଦେବୀ ନିଜର ପୁଅମାନଙ୍କ ପାଖରେ ରହିଆସୁଛନ୍ତି। ତେବେ ଶ୍ରୀମତୀ ଲେଙ୍କା ମଝିରେ ମଝିରେ ଚାବି ପଡିଥିବା ସତସଙ୍ଗ ମାର୍ଗ ଗୃହକୁ ଦେଖାଦେଖି କରିଆସୁଥିବାବେଳେ ହଠାତ୍ ଉକ୍ତ ଘରର ଚାବି ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ।

ଗୃହ ମଧ୍ୟକୁ ଯାଇ ୩ ଟି ଘରର ଚାବି ଭଙ୍ଗାଯିବା ସହ ୨ଟି ଗଡରେଜ୍‌, ଆଟାଚ ଓ ବାକ୍ସ ଗୁଡିକ ଭଙ୍ଗାଯାଇଥିବାର ଦେଖିଥିଲେ। ଏବଂ ତାଙ୍କ ମା’ ଙ୍କ ଆଟାଚିରେ ଥିବା ନଗଦ ୨୯ ହଜାର ଟଙ୍କା ସହ ଗଡରେଜ ଲକରରେ ଥିବା ପ୍ରାୟ ୩ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଫଳରେ ସେ ଏ ସଂପର୍କରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଦେବା ପରେ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଆସି ଆଜି ତଦନ୍ତ କରି ପୁଲିସ୍ ଅଧିକାରିଣୀ ରଶ୍ମିତା ମଲ୍ଲିକଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁରଟି ବିଲ ମଧ୍ୟଦେଇ ନୂଆସାହି ଠାରୁ କିଛିଦୂର ଯିବାପରେ ବାହାର କୁକୁରଙ୍କ ଉତ୍‌ପାତ ଯୋଗୁଁ ଫେରିବାକୁ ବାଧ୍ୟ ହୋଇଥିଲା। ପୁଲିସ୍ ଏହି ଘଟଣାରେ ୨୫/୨୩ ନଂ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଂଚଳରେ ଘଟୁଥିବା ବହୁ ଚୋରି ଡକାୟତି ଘଟଣାରେ ସ୍ଥାନୀୟ ନୂଆସାହି ଅଂଚଳର କେତେକ ଅସାମାଜିକ ଦୃବୁର୍ତ୍ତ ସଂପୃକ୍ତ ଥିବାରୁ ଏହି ଘଟଣାରେ ମଧ୍ୟ ସେମାନେ ଜଡିତ ଥିବା ବିଷୟ ଅନୁମାନ କରାଯାଉଛି। ପୁଲିସ୍‌ର ପ୍ରାଥମିକ ତଦନ୍ତ ଓ ରାସ୍ତା ପାଶ୍ୱର୍ରେ ଥିବା ଏକ ଦୋକାନର ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ପୁଲିସ୍ ଅଭିଯୁକ୍ତମାନଙ୍କର ଠିକଣା ପାଇବ ବୋଲି ଆଶା କରାଯାଉଥିବା ବିଷୟ ଥାନାଧିକାରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.