Home କନ୍ଧମାଳ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଦେଲେ ଅଯୋଗ୍ୟଙ୍କ ନାମରେ ଅଭିଯୋଗ

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଦେଲେ ଅଯୋଗ୍ୟଙ୍କ ନାମରେ ଅଭିଯୋଗ

101

ଅଭିଯୋଗକାରୀମାନଙ୍କୁ ଥାନାରେ ପୁରାଇଦେବାକୁ ବିଡିଓଙ୍କ ଧମକ ଅଭିଯୋଗ

ବାଲିଗୁଡା, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଅଯୋଗ୍ୟଙ୍କ ସଂପର୍କରେ କ-ନୂଆଗାଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଅଭିଯୋଗକାରୀ ମାନଙ୍କୁ ଥାନାରେ ପୁରାଇଦେବାକୁ ବିଡିଓ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର କ-ନୂଆଗାଁରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ହିତାଧିକାରୀମାନଙ୍କୁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାରକୁ କ-ନୂଆଗାଁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଆଗାମୀ ଦିନରେ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯିବ ବୋଲି ବ୍ଲକ କଂଗ୍ରେସ ସଭାପତି ଜିତେନ୍ଦ୍ର ଦିଗାଲ ଚେତାବନି ଦେଇଛନ୍ତି। ତେବେ ବିଡିଓ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଖବର ପ୍ରକାରେ, କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ପଞ୍ଚାୟତର ୧୨ ନମ୍ବର ୱାର୍ଡ଼ରେ ବସବାସ କରୁଥିବା ପ୍ରାୟ ୪୦ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ୍କରିବା ପାଇଁ ଏକାଧିକ ଥର ବ୍ଲକ ପ୍ରଶସାନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ତାଲିକାରେ ସେମାନଙ୍କ ନାମ ଅନ୍ତର୍ଭୁତ ହୋଇନାହିଁ ବୋଲି ହିତାଧିକାରୀ ଅରୁଣ ନାୟକ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ୱାର୍ଡ଼ର ଏହି ହିତାଧିକାରୀମାନେ ପଞ୍ଚାୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯେଜାନାରେ ସାମିଲ୍କରିବା ପାଇଁ ଆବେଦନ କରିଥିବା ବଙ୍କଳ ପଞ୍ଚାୟତ ପକ୍ଷରୁ ସମସ୍ତ ପରିବାରଙ୍କ ନାମ ଯୋଗ୍ୟ ତାଲିକାରେ ସ୍ଥାନ ପାଇଥିଲା। ପଞ୍ଚାୟତରୁ ବ୍ଲକକୁ ଯେଉଁ ତାଲିକା ଆସିଥିଲା ଉକ୍ତ ତାଲିକାରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାରଣ ଯୋଗୁଁ ତାଲିକାରେ ଥିବା ହିତାଧିକାରୀମାନଙ୍କର ନାମ କାଟି ଦିଆଯାଇଛି। ଏହା ଜଣାପଡ଼ିବା ପରେ ପଞ୍ଚାୟତରେ ଯୋଗ୍ୟ ହୋଇଥିବା ହିତାଧିକାରୀମାନେ କେଉଁ କାରଣ ଯୋଗୁଁ ସେମାନଙ୍କର ନାମ ବାଦ୍ଦିଆଗଲା ତାହାର ତଦନ୍ତ କରିବାପାଇଁ ଲିଖିତ ଭାବେ ବିଡିଓଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ।ଅଭିଯୋଗ ପ୍ରକାରେ, ବିଡିଓ ତୁରନ୍ତ ସଂପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପଚାରି ବୁଝିଥିଲେ। ତେବେ ଅଭିଯୋଗ ପତ୍ର ଦାଖଲ ପାଇଁ ବହୁ ବ୍ୟକ୍ତି ସେଠାରେ ପହଞ୍ଚିଥିବା ବେଳେ ଏକାଧିକ ବ୍ୟକ୍ତି କାହିଁକି ଏଠାକୁ ଆସିଛ ବୋଲି ପଚାରିବା ସହିତ କୋଭିଡ଼୍ନିୟମ ପ୍ରକାରେ ତୁରନ୍ତ ଏଠାରୁ ଚାଲିଯାଅ ନହେଲେ ଥାନାରେ ପୁରାଇଦେବି ବୋଲି ଧମକ ଦେଇଥିବା ହିତାଧିକାରୀ ନିରଞ୍ଜନ ନାୟକ, ଅଞ୍ଜନା ଦିଗାଲ, ଜହନ ଦିଗାଲ, ଫିଲିମୋହ ଦିଗାଲ, ରଘୁନାଥ ପ୍ରଧାନ, ୱାର୍ଡ଼ ମେମ୍ବର ରମାକାନ୍ତ ଦିଗାଲ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା କହୁଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ଏଭଳି ଭାବେ ଦୁର୍ବ୍ୟବହାର ଅତ୍ୟନ୍ତ ନିନ୍ଦାଜନକ ବୋଲି କଂଗ୍ରେସ ପ୍ରକାଶ କରିଛି। ତେବେ ଏ ସଂପର୍କରେ ପଂଚାୟତ ନିର୍ବାହୀ ଅଧିକାରୀ କସବ କାମ୍ପଙ୍କୁ ପଚାରିବାରେ, ଗତ ୨ ବର୍ଷ ତଳେ ଫିରିଙ୍ଗିଆ ବ୍ଲକ ପକ୍ଷରୁ ସର୍ଭେ କରାଯାଇଥିଲା। ଏହାପରେ କିଛି ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରେ ସାମିଲ୍ପାଇଁ ଗତ ୬ ମାସ ତଳେ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବକ୍ସରେ ଆବେଦନ ଫର୍ମ ପକାଇଛନ୍ତି। ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲାଯାଇନାହିଁ। ଏହା ଖୋଲିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଅଭିଯୋଗକାରୀମାନଙ୍କୁ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇ ନାହିଁ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଏହି ଘଟଣାରେ ବିଡିଓ ମନୋଜ କୁମାର ତ୍ରିପାଠୀଙ୍କୁ ପଚାରିବାରେ, ବ୍ଳକ କାର୍ଯ୍ୟାଳୟ ପରିସରରେ ୪୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆଧାରକାର୍ଡ଼ ଓ ଅନ୍ୟାନ୍ୟ କାମରେ ଆସି ଜମା ହୋଇଥିଲେ। କୋଭିଡ଼୍ନିୟମ ପ୍ରକାରେ ସେମାନଙ୍କୁ ଯିବାପାଇଁ କହିଥିଲି। କିନ୍ତୁ ଯେଉଁମାନେ ଆବାସ ଯୋଜନା ପାଇଁ ଦାବିପତ୍ର ଦେବାକୁ ଆସିଥିଲେ ସେମାନଙ୍କୁ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ସମାଜସେବୀ ସରୋଜ ପଟାନାୟକ, ଉମେଶ ଚନ୍ଦ୍ର ଦିଗାଲ, ବିଜୟ କୁମାର ସାହୁ ଓ ଅନ୍ୟମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.