Home କେନ୍ଦୁଝର ପ୍ରତି ସାମ୍ବାଦିକଙ୍କ ଭିତରେ ସୃଜନଶୀଳତା ଭରି ରହିଛି, ଯୋଡାରେ ଜାତୀୟ ପ୍ରେସ ଦିବସ ପାଳିତ

ପ୍ରତି ସାମ୍ବାଦିକଙ୍କ ଭିତରେ ସୃଜନଶୀଳତା ଭରି ରହିଛି, ଯୋଡାରେ ଜାତୀୟ ପ୍ରେସ ଦିବସ ପାଳିତ

24

ଯୋଡା, ୧୭ା୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ସାମ୍ବାଦିକତା ଭିତରେ ସାହିତ୍ୟ ଲୁଚି ରହିଛି। ପ୍ରତ୍ୟେକ ସାମ୍ବାଦିକ ଜଣେ ଜଣେ ସୃଜନଶୀଳ ପ୍ରତିଭା। ସାହିତ୍ୟ ସମ୍ବାଦକୁ ଶାଣୀତ କରିଥାଏ। ତେଣୁ ସାହିତ୍ୟ ଏବଂ ସାମ୍ବାଦିକତା ଅଭିନ୍ନ ନୁହେଁ। ଯେଉଁ ଦେଶର ଗଣମାଧ୍ୟମ ଯେତେ ମଜବୁତ ସେ ଦେଶର ଗଣତନ୍ତ୍ର ସେତେ ସୁଦୃଢ। ଗଣମାଧ୍ୟମକୁ ସୁଦୃଢ, ନିରପେକ୍ଷ, ସ୍ୱତନ୍ତ୍ର, ଦାୟିତ୍ୱ ସମ୍ମନ୍ନ ଓ ଚାପମୁକ୍ତ କରିବା ପାଇଁ ପ୍ରେସ କାଉନସିଲର ଗଠନ କରାଯାଇଛି। ଗଣମାଧ୍ୟମ ତାର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଛି। ଜନସାଧାରଣ ଅନ୍ୟ ତିନୋଟି ସ୍ତମ୍ବ ଉପରୁ ଯେତେବେଳେ ଜନସାଧାରଣଙ୍କ ଆସ୍ଥା ତୁଟିଯାଏ ସେତେବେଳେ ସେ ଚତୁର୍ଥ ସ୍ତମ୍ବ ଉପରେ ଆଶା ପ୍ରକଟ କରିଥାନ୍ତି। ତେଣୁ ଗଣମାଧ୍ୟମ ଦିନକୁ ଦିନ ଦାୟିତ୍ୱ ସମ୍ପନ୍ନ ହେବାରେ ଲାଗିଛି। ଫଳରେ ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଗଣମାଧ୍ୟମ ଜନଗଣଙ୍କ ଆସ୍ଥା ଅତୁଟ ରଖିବା ଏକ ଆହ୍ୱାନ ପାଲଟିଛି। ପ୍ରଶାସନୀକ ଚାପ ସତ୍ୱେ ଜନସାଧାରଣଙ୍କ ଆସ୍ଥା ପୂରଣ କରିବାରେ ଗଣମାଧ୍ୟମ ସଦା ଚେଷ୍ଟିତ ବୋଲି ଯୋଡାସ୍ଥିତ ଟାଟା ଭ୍ୟାଲି କ୍ଲବ ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏକ ବର୍ଣ୍ଣାଢ୍ୟ ଅଧିବେଶନରେ ଯୋଡା ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ଏଥିରେ ଯୋଗଦେଇଥିବା ବେଳେ ଯୋଡା ସହର ବରିଷ୍ଠ ନାଗରୀକ ଏବଂ ଅଧିକାଂଶ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ। ଜାତୀୟ ପ୍ରେସ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରକାଶ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଯୋଡା ପୌରାଧ୍ୟକ୍ଷ ଡା. ଜଗଦିଶ ପ୍ରସାଦ ସାହୁ ମୁଖ୍ୟ ଅତିଥି, ଟାଟା ଷ୍ଟିଲ ଯୋଡା ମୁଖ୍ୟ ସରୋଜ କୁମାର ବାନାର୍ଜୀ ସମ୍ମାନୀତ ଅତିଥି ଭାବେ ଏବଂ କେନ୍ଦୁଝର ସ୍ୱୟଂ ଶାସିତ ଧରଣୀଧର ମହାବିଦ୍ୟାୟର ଓଡିଆ ପ୍ରାଧ୍ୟାପକ ଡକ୍ତର ସୁଧା ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏଥିରେ ସାମ୍ବାଦିକ ଦୀପକ ଶତପଥି ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ସାମ୍ବାଦିକ ମାନସ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାମ୍ବାଦିକ ଛୋଟ୍ଟରାୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ପରେ ଭୁବନେଶ୍ୱରର ଖ୍ୟାତି ସମ୍ପନ୍ନ ଏକ କଳା ଅନୁଷ୍ଠାନ ଦ୍ୱାରା ଏକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି ଦିବସ ପାଳନ ଉପଲକ୍ଷେ ସକାଳ ୮ଟା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା। ଏଥିରେ ଯୋଡା ସହରରେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଡା. ସାହୁ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.