– ପଙ୍କଜ ପାଣିଗ୍ରାହୀ
ପ୍ରତିଭା କେବଳ ମଣିଷ ଠାରେ ନୁହେଁ ବରଂ ଅନ୍ୟାନ୍ୟ ଜୀବଜଗତ ତଥା ବସ୍ତୁ ବିଶେଷରେ ମଧ୍ୟ ଦେଖିବାକୁ ମିଳିଥାଏ। ମଣିଷର ପ୍ରତିଭା ଏକତ୍ୱ ନୁହେଁ ବରଂ ବ୍ୟାପ୍ତ ଯାହାର କୌଣସି ନିର୍ଦ୍ଧିଷ୍ଟ ସୂଚକ କିମ୍ବା ମାପକ ନଥାଏ। ବିଭିନ୍ନ ପ୍ରାଣୀ, ଉଦ୍ଭିଦ ତଥା ବସ୍ତୁବାଚକ ପ୍ରତିଭା ନିର୍ଦ୍ଧିଷ୍ଟ ଏବଂ ଐକ୍ୟତା ପ୍ରତିଷ୍ଠା କରି ପ୍ରକୃତିଗତ ସୁଚକ ବିଶିଷ୍ଟ ଗୁଣ. ଧର୍ମ ପ୍ରଦାନ କରୁଥିବା ବେଳେ ମଣିଷ ସମାଜରେ ତାହାର ବ୍ୟାପକତା ଅନେକ। ମଣିଷର ମସ୍ତିଷ୍କ ଆଗରେ ସୃଷ୍ଟିର ଅନ୍ୟାନ୍ୟ ସମସ୍ତ ରଚନା କ୍ଷୀଣ ପଡ଼ିଯାଏ। ତେଣୁ ମଣିଷର ଭାବନାର ବିସ୍ତୃତତା ଏବଂ ରାସାୟନିକ ପ୍ରକ୍ରିୟା, ପ୍ରତିକ୍ରିୟା ଉପରେ ନିର୍ଭର ବିଭିନ୍ନ ଗୁଣ, ଧର୍ମ ମଧ୍ୟରୁ ଜାତ ଭିନ୍ନ ଭିନ୍ନ ପରିପ୍ରକାଶର ବୈଚିତ୍ର୍ୟତା ଉପରେ ସନ୍ନିବେଶିତ ଅକଳନ ପ୍ରତିଭା ଦେଖିବାକୁ ମିଳିଥାଏ ଆମ ସମାଜରେ ଯାହା ସେହି ପ୍ରତିଭାଧାରୀ ମାନଙ୍କର ସାମାଜିକ ଉତ୍କର୍ଷତା ବୃଦ୍ଧି କରିଥାଏ।
ପ୍ରାଚୀନ କାଳରୁ ମଣିଷ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା ଯାହା ଆଦ୍ୟ ଏକବିଂଶ ଶତାବ୍ଦୀରେ ତାହାର ଦୌଡ଼ର ପ୍ରଖରତା ଅକଳନିୟ। ଫଳତଃ କୌଣସି କ୍ଷେତ୍ରରେ ଜଣେ ଉତ୍ତମ ପ୍ରଦର୍ଶନ କରିପାରିଲେ ତାହାର ଚରମ ସୀମାରେ ପହଞ୍ଚି ଭିନ୍ନ ଏକ ପାରଦର୍ଶିତା ପ୍ରଦର୍ଶନ କରି ସାମାଜିକ ସ୍ୱୀକୃତି ପାଇବା ଲକ୍ଷ ରହିଥାଏ ସମସ୍ତଙ୍କର। ସମୟର ସ୍ରୋତରେ ସେହି ପ୍ରତିଭା ପ୍ରଦର୍ଶନ ପୂର୍ବକ ସାଧାରଣ ମଣିଷ ମାନଙ୍କ ମଧ୍ୟରେ ଭିନ୍ନତାର ମାନ ଅର୍ଜନ କରି ଅସୀମ ତୃପ୍ତି ଅନୁଭବ କୌଣସି ଏକ ବିରଳ ଦୁର୍ଲଭ ଧନ ପ୍ରାପ୍ତି ସଦୃଶ୍ୟ ହୋଇଥାଏ। ହେଲେ ସେହି ପ୍ରତିଭା ଗୁଡିକ ଆଜିକାଲି କେମିତି ସାମାଜିକ ସ୍ୱୀକୃତି ପ୍ରାପ୍ତ ହୋଇଥାଏ ଏବଂ କିଭଳି ପ୍ରତିଭାଧାରୀ ମଣିଷ ଆଜିକା ସମାଜରେ ଦେଖିବାକୁ ମିଳନ୍ତି, ସବିସ୍ତୃତ ଆଲୋଚନା କରିବା।
କେତେକ ମଣିଷ ବାଲ୍ୟ କାଳରୁ କିଛି ପ୍ରତିଭା ପ୍ରଦର୍ଶନ କରିଥା’ନ୍ତି ଯାହା ହୁଏତ ସେମାନେ ବଡ ହେବାପରେ ଆହୁରି ତୀବ୍ର ରୂପ ଧାରଣ କରି ବିସ୍ମିତ କରିଥା’ନ୍ତି ସମାଜକୁ। ଅଥବା କୌଣସି ବ୍ୟକ୍ତିଗତ କିମ୍ବା ସାମାଜିକ କାରଣରୁ ବାଲ୍ୟ କାଳର ପ୍ରତିଭା ନଷ୍ଟ ହୋଇ ଏକ ଦୁର୍ବଳ ମାନସିକତାର ବଶବର୍ତ୍ତୀ ହେଉଥିବା ମଧ୍ୟ ଲକ୍ଷ କରାଯାଏ ଅନେକ ସମୟରେ। ଅନ୍ୟ କ୍ଷେତ୍ରରେ କେତେକ ପ୍ରାପ୍ତ ବୟସ ପରବର୍ତ୍ତୀ ମାନସିକ ପରିପକ୍ୱତା ପ୍ରାପ୍ତି ପରେ କେତେକ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳେ। କୌଣସିମତେ ଜଣେ ବାସ୍ତବ ପ୍ରତିଭାଧାରୀ ମଣିଷଙ୍କୁ ସାମାଜିକ ସ୍ୱୀକୃତି ମିଳିବା ପରେ ସେ ନିଜ ମାନସିକ ତୃପ୍ତି ତଥା ଆହୁରି ଅଧିକ ପ୍ରଦର୍ଶନ କରିବା କ୍ଷେତ୍ରରେ ଲାଗିପଡ଼ିବା ସହିତ ଅନ୍ୟାନ୍ୟ ସାମାଜିକ ମଣିଷ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭଳି କାମ କରିଥା’ନ୍ତି। ହେଲେ ଆଜିକାଲିର ପ୍ରତିଭା କେମିତି ପ୍ରଦର୍ଶିତ ହୋଇଥାଏ ଏବଂ ତାହାର ସାମାଜିକ ପ୍ରଭାବ କ’ଣ ରହିଛି ବିଚାର ସାପେକ୍ଷ।
ଆଜିକାଲି ପ୍ରତିଭା ନଥାଇ ମଧ୍ୟ ପ୍ରଦର୍ଶନ କରିହେଉଛି ଯାହା ହୁଏତ କାହାଠାରୁ କିଣାଯାଇଥାଏ କିମ୍ବା ଟଙ୍କା ଦେଇ ମଞ୍ଚ ଉପରେ ମିଥ୍ୟା ପ୍ରତିଭାର ପୁରସ୍କାର ପାଇବା ଦେଖିବାକୁ ମିଳୁଥିବା ଅଳ୍ପ ବହୁତେ ସମସ୍ତଙ୍କର ଅଭିଜ୍ଞତା ଥିବ। ଅର୍ଥାତ କିଛି ଅଜ୍ଞାନୀ ଚତୁର ଲୋକ ସମାଜରେ ଦେଖିବାକୁ ମିଳୁଛନ୍ତି ଯେଉଁମାନେ କୌଣସି ପ୍ରତିଭାର ଅଧିକାରୀ ନହୋଇ ମଧ୍ୟ କୌଣସିମତେ ନିଜର ମିଥ୍ୟା ପ୍ରତିଭା ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ସର୍ବ ସମ୍ମୁଖରେ ପୁରସ୍କୃତ ହେଲେ କିଛି ଅଲୌକିକ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳେ। ଅନ୍ୟ ପକ୍ଷରେ କିଛି ଲୋକ ଅନେକ ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ଉପଯୁକ୍ତ ଭିତ୍ତିଭୂମି, ସାମାଜିକ ସ୍ୱୀକୃତି ତଥା ପରିପାର୍ଶ୍ଵିକ ସଂଯୋଗର ସୁଯୋଗ ନଥିବା ହେତୁ କୌଣସି ପ୍ରଦର୍ଶନ କରିନପାରି ଆଶାୟୀ ହୋଇ ରହିଥା’ନ୍ତି ଯାହା ହୁଏତ କେବେ ତାଙ୍କୁ ସମ୍ମାନିତ ହେବାର ସୁଯୋଗ ଦେଇଥାଏ ତ କେବେ ସେମାନଙ୍କର ଆଶା ଆଶାରେ ହିଁ ରହିଯାଇଥାଏ। କିଛି ଲୋକ ନିଜ ପ୍ରତିଭାକୁ ନେଇ ଅନେକ ସାମାଜିକ କର୍ମରେ ନିୟୋଜିତ ଥାଇ କୌଣସି ସମ୍ମାନ ଆଶା ନରଖି କର୍ମ କରି ଚାଲିଥା’ନ୍ତି। କୌଣସି ପରିସ୍ଥିତିରେ ସେମାନେ କାହାର ଅନୁମୋଦନ ହେତୁ ଅଚାନକ କୋଉଠି ସମ୍ମାନିତ ହୋଇଥା’ନ୍ତି ଯାହା ହୁଏତ ସେମାନଙ୍କର ମନ ମାନସରେ ନଥାଏ ଅଥବା କିଏ କିଏ ତାହା ପାଇଁ କିଞ୍ଚିତ ଖୁସି ଅନୁଭବ ସାଙ୍ଗକୁ ଅନୁପ୍ରେରିତ ହୋଇଥା’ନ୍ତି ତ ଆଉ କିଏ ସେହି ସମ୍ମାନକୁ ସାଧାରଣରେ ନେଇଥା’ନ୍ତି ଯାହା ସେମାନଙ୍କୁ ସମ୍ମାନିତ କରିବା ପାଇଁ ଅନୁମୋଦନ କରିଥିବା ଲୋକଙ୍କୁ ସମ୍ମାନ ଦେବାପାଇଁ ହୋଇଥାଏ। ଏମିତି ପୁଣି କିଛି ଲୋକ ଦେଖିବାକୁ ମିଳନ୍ତି ଯେଉଁମାନେ ଅନେକ ପ୍ରତିଭାର ଅଧିକାରୀ ତଥା ସେମାନଙ୍କର ପ୍ରଗାଢ଼ ସାମାଜିକ କର୍ତ୍ତବ୍ୟନିଷ୍ଠତା ତଥା ଅନୁଦାନ ଥାଇ ମଧ୍ୟ କୌଣସି ସମ୍ମାନ ଆଶା ରଖିବା ଦୂରର କଥା, ସେମାନେ କୌଣସି ସମ୍ମାନ ଉପରେ ବିଶ୍ୱାସ ରଖିନଥା’ନ୍ତି କିମ୍ବା କୌଣସି କ୍ଷେତ୍ରରେ ସମ୍ମାନିତ ହେବାପାଇଁ ଆଗ୍ରହୀ ହୋଇ ନଥା’ନ୍ତି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଦିଆଗଲେ ପ୍ରତ୍ୟାଖ୍ୟାନ କରୁଥିବା ଉଦାହରଣ ମଧ୍ୟ ଆମ ସମାଜରେ ଦେଖିବାକୁ ମିଳୁଛି। ବାସ୍ତବ ପ୍ରତିଭା ସାଙ୍ଗକୁ ପ୍ରଗାଢ଼ ବିଚାର ଶକ୍ତି ଜ୍ଞାନ ଥିବା ମଣିଷ ଆଦୌ ମଞ୍ଚ ସମ୍ମାନରେ ବିଶ୍ୱାସ ନରଖିବା ସାଙ୍ଗକୁ କେବେ କୌଣସି ସମ୍ମାନକୁ ପ୍ରତ୍ୟାଖ୍ୟାନ କରନ୍ତି ତ ବେଳେ ବେଳେ ସେମାନଙ୍କୁ ମଞ୍ଚ ଉପରେ ଅପ୍ରତ୍ୟାଶିତ ସମ୍ମାନିତ କରାଗଲେ ସେମାନେ ତାହା ସାମୁହିକ ସ୍ୱାର୍ଥ ତଥା କୌଣସି ପ୍ରୟୋଜନୀୟ ଗୋଷ୍ଠୀ କିମ୍ବା ସଙ୍ଗଠନ ଉଦେଶ୍ୟରେ ଉତ୍ସର୍ଗିକୃତ କରୁଥିବା ଦେଖିବାକୁ ମିଳେ। ବାସ୍ତବିକ ଏତେ ପ୍ରକାର ମାନସିକତା ଉପରେ ଆଲୋଚନା କରାଯିବା ପରେ ଏକ ପ୍ରକାଣ୍ଡ ପ୍ରଜାତିର ମଣିଷ ଦେଖିବାକୁ ମିଳନ୍ତି ଯେଉଁମାନେ ସୀମାହୀନ ସାମାଜିକ କୁକର୍ମରେ ଲିପ୍ତ ତଥା ସମାଜର ଅପାର କ୍ଷତି ସାଧନ କରି ଚାଲୁଥିବା ବେଳେ ସେସବୁ ଓଢଣୀ ପଛରେ ରଖି ତାହାର ବିପରୀତ ଅଜସ୍ର ସମ୍ମାନରେ ସମ୍ମାନିତ ହୋଇଥା’ନ୍ତି ଯାହା ସାଧାରଣ ମଣିଷ ବୁଝି ପାରନ୍ତି ନାହିଁ, ବରଂ ସେମାନଙ୍କୁ ସମାଜର ଜଣେ ପ୍ରତିଭାଧାରୀ ମଣିଷ ବୋଲି ଭାବି ସେମାନଙ୍କ ମିଥ୍ୟା ଚେତନାରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଜୀବନ ହାରିବା ପର୍ଯ୍ୟନ୍ତ ସେମାନଙ୍କ ଭକ୍ତ ହୋଇ ରହିଥା’ନ୍ତି !! ଏମିତି ଆହୁରି ଅନେକ ବୈଚିତ୍ରୀୟତାର ସମାହାର ଆମ ସମାଜ ଯେଉଁଥିରେ ଏସବୁର ଉପଯୁକ୍ତ ଆକଳନ କରିବା ହୁଏତ କମ ସମ୍ଭବ !! ତଥାପି ଚାଲିଛି ଆମ ସମାଜ ଏହା କହି ଯେ…..ଯାହା ହେଉଥିଲା ଭଲ ହେଉଥିଲା, ଯାହା ହେଉଛି ଭଲ ହେଉଛି ଏବଂ ଯାହା ଆଗକୁ ହେବ ଭଲ ହେବ ! (ଗୀତା ସାର) !!! ମଣିଷ ମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ନିଜସ୍ୱ ପ୍ରସ୍ତୁତି ତଥା ଉପସ୍ଥାପନା ଯାହା ଅନ୍ୟମାନେ ଅଜ୍ଞ, ବ୍ୟତୀତ ଏମିତି ମଧ୍ୟ ଦେଖିବାକୁ ମିଳେ ଯେ ପ୍ରକାଣ୍ଡ ଅଜ୍ଞାନତା କାରଣରୁ କିଛି ନବୁଝିସୁଝି ଆମେ ଏକ ରକମ ଅନୁପ୍ରାଣିତ ହୋଇଯାଉ କିଛି ଅବାସ୍ତବ ଅନାବଶ୍ୟକ ପ୍ରତିଭା ପଛରେ ପ୍ରଧବିତ ହୋଇ ଯାହା କିଏ କେବେ ତର୍ଜମା କରନ୍ତି ନାହିଁ ତାହାର ଭଲ ମନ୍ଦ, ଆଵଶ୍ୟକତା ଅନାବଶ୍ୟକତା ବୁଝିବା ପାଇଁ !!
ତେଣୁ କୌଣସି ସାମାଜିକ ବିକାଶ ଦିଗରେ ସହାୟତା ହେଉନଥିବା ତଥା ସାମୁହିକ ସ୍ୱାର୍ଥକୁ ପ୍ରଭାବିତ କରୁନଥିବା ପ୍ରତିଭାଧାରୀ ଆଜିକା ସମାଜରେ 99% ଦେଖିବାକୁ ମିଳନ୍ତି। ସେହି ପ୍ରତିଭା ଗୁଡିକ କେବଳ ମନୋରଞ୍ଜନ ତଥା ମିଥ୍ୟା ତଥ୍ୟ ଉପରେ ଆଧାରିତ ଯାହାଦ୍ୱାରା ସମାଜର କୌଣସି ଉନ୍ନତି କିମ୍ବା ବିକାଶରେ ସହାୟତା ହୋଇନଥାଏ ବରଂ ଅକଳନ ଧନ ସାଙ୍ଗକୁ ସମୟ ନଷ୍ଟ କରି ମାନସିକ ଚାପ ସୃଷ୍ଟି କରିଥଏ ମଣିଷ ମନରେ ! ଉଦାହରଣ ସ୍ୱରୂପ ନାଚ, ଗୀତ, ଖେଳ, ତଥା ମନୋରଞ୍ଜନ ଜନିତ ଏମିତି ଆହୁରି ଅନେକ କାର୍ଯ୍ୟକ୍ରମ ସାଙ୍ଗକୁ କେତେକ ଅବାସ୍ତବ ପ୍ରତିଭା ଯାହା ସାମୁହିକ ସାଧାରଣ ଲୋକଙ୍କ କୌଣସି କାମରେ ଆସେନି କେବେହେଲେ। କିନ୍ତୁ ଯେହେତୁ ବାସ୍ତବିକ ପ୍ରତିଭାଧାରୀ ଆଦୌ ଦେଖିବାକୁ ମିଳୁନାହାଁନ୍ତି କିମ୍ବା ଏହିସବୁ ଅବାସ୍ତବ ପ୍ରତିଭା ଗୁଡିକ ପଛରେ ପଡି ସେତେ ଯେମିତି ବାସ୍ତବତାକୁ ଭୁଲି ଯାଇଛେ ଆମେ ? ଏଠାରେ ସୂଚନା ଯୋଗ୍ୟଯେ ଏକବିଂଶ ଶତାବ୍ଦୀରେ ଆମେ ଆଉ ଏମିତି ଅବାସ୍ତବ ଅନାବଶ୍ୟକ ପ୍ରତିଭା ଗୁଡିକ ପଛରେ ନପଡ଼ି ଆଗକୁ ଉନ୍ନତିରେ ସାହାଯ୍ୟ କରିପାରୁଥିବା ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କୁ ପ୍ରୋତ୍ସାହିତ କରାଗଲେ ମଣିଷ ସମାଜର ଉତ୍ତୋରତ୍ତର ବିକାଶ ହେବା ସାଙ୍ଗକୁ ଏକ ସ୍ଵଚ୍ଚ ମାନବିକ ସମାଜ ଗଠନ ହୋଇପାରିବ ବୋଲି ଆମର ଅନ୍ଦାଜ କେତେଦୂର ସତ୍ୟ ଆପଣ ମାନଙ୍କ ବିଚାରଧାରାରୁ ପ୍ରତିଫଳିତ ହେବ ଆସନ୍ତା ଭବିଷ୍ୟତରେ !! ଅର୍ଥାତ କୌଣସି ପ୍ରତିଭା ଉପରେ ସମ୍ମାନିତ କରାଯିବା ପୂର୍ବରୁ କିଛି ସ୍ୱତନ୍ତ୍ର ନିୟମର ପୃଷ୍ଟ ପୋଷକତା କରି ଜ୍ଞାନୀ ଗୁଣି ଲୋକଙ୍କ ସର୍ବ ସମ୍ମତି କ୍ରମେ କରାଗଲେ ପ୍ରତିଭା ସମ୍ମାନ ଗୁଡିକର ମର୍ଯ୍ୟାଦା ଅକ୍ଷୁର୍ଣ ରହିବା ସହିତ ଲୋକଙ୍କ ମାନସିକତାରେ ବ୍ୟାପକତା ସୃଷ୍ଟି ହେବା ସମ୍ଭବ ହୋଇପାରିବ ବୋଲି ଆମର ମତ।
ପୁନଃ ଏତେବଡ଼ ବିଶାଳ ଚତୁଃର୍ପାର୍ଶ୍ୱରେ କେବଳ ଆଖି ଦୃଷ୍ଟିଆ ପ୍ରଭାବଶାଳୀ ମାନଙ୍କୁ ଅହେତୁକ ମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ସମ୍ମାନିତ କରାନଯାଇ କୋଣ ଅନୁକୋଣରୁ ବିକଶିତ ହୋଇପାରୁନଥିବା ବାସ୍ତବ ପ୍ରତିଭା ଗୁଡିକୁ ଚୟନ କରି ସମ୍ମାନିତ କରାଗଲେ ସାମାଜିକ ଉନ୍ନତ୍ତିର ପଥ ପରିସ୍କାର ହେବା ସହିତ ମଣିଷ ସମାଜକୁ ପ୍ରେରଣା ମିଳିବାରେ ସାହାଯ୍ୟ ହେବ। ଏବଂ ସେହି ପ୍ରତିଭା ଗୁଡିକୁ ସମ୍ମାନିତ କରାଯିବା ପୂର୍ବରୁ ଶତପ୍ରତିଶତ ଉପଯୁକ୍ତ ଯାଞ୍ଚ ଏବଂ ସମୀକ୍ଷା କରାଯିବା ଅତ୍ୟନ୍ତ ଜରୁରୀ। ପୁଣି ସେହି ପ୍ରତିଭା ସମ୍ମାନ କେବଳ ସାମାଜିକ ସାମୁହିକ ସ୍ୱାର୍ଥ ଜନିତ ଅଥବା ବ୍ୟକ୍ତିଗତ ମାନବିକ ପରିଚୟ ଦୃଷ୍ଟିକୋଣରୁ ହୋଇଥିବା ଏକାନ୍ତ ଆବଶ୍ୟକ। ଅଥବା ପ୍ରତିଭା ସମ୍ମାନ ବଜାରରେ ମିଳୁଥିବା କୌଣସି ସାମଗ୍ରୀର ମାନ୍ୟତାରେ ହିଁ ପରିଚିତ ହୋଇ ରହିଯିବ ଯାହା ଆଜିର ମଣିଷ ବୁଝିଛି !!
ସୋସିଆଲ ଫୋରମ (India), ଛତ୍ରପୁର, ଗଞ୍ଜାମ