Home ଜିଲ୍ଲା ପରିକ୍ରମା ପ୍ରତିପକ୍ଷଙ୍କ ଆକ୍ରମଣରେ ଶମ୍ଭୁନାଥ ଗୁରୁତର, ଆମ୍ବୁଲାନ୍ସ ନଆସିବାରୁ ପିତାଙ୍କୁ ୪୦ କିମି ଟ୍ରଲିରେ ବୋହି ମେଡିକାଲକୁ...

ପ୍ରତିପକ୍ଷଙ୍କ ଆକ୍ରମଣରେ ଶମ୍ଭୁନାଥ ଗୁରୁତର, ଆମ୍ବୁଲାନ୍ସ ନଆସିବାରୁ ପିତାଙ୍କୁ ୪୦ କିମି ଟ୍ରଲିରେ ବୋହି ମେଡିକାଲକୁ ଆଣିଲା ନାବାଳିକା କନ୍ୟା

13

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଧୁଷୁରୀ ଥାନା ନଦୀଗାଁରେ ଜମିବାଡି ବିବାଦକୁ ନେଇ ଅପରପକ୍ଷଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ପିତା ଟ୍ରଲି ଚାଳକ ଶମ୍ଭୁନାଥଙ୍କୁ ଶତ୍ରୁପକ୍ଷଙ୍କ ଦୃଷ୍ଟିକୁ ଏଡାଇ ତାଙ୍କର ୧୦ମ ଶ୍ରେଣୀରେ ପଢୁଥିବା ନାବାଳିକା କନ୍ୟା ସୁଜାତା ଟ୍ରଲି ଯୋଗେ ଦୀର୍ଘ ୪୦ କିମି ଆଣି ଭଦ୍ରକ ମେଡିକାଲରେ ଚିକିତ୍ସିତ କରାଇବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣା କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଖିକୁ ଆସିବା ପରେ ସୂଚନା କ୍ରମେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଝିଅଟି ଚିକିତ୍ସିତ ପିତାଙ୍କୁ ପୂର୍ବଭଳି ଟ୍ରଲିରେ ଘରକୁ ନେବା ରାସ୍ତାରେ ଭଦ୍ରକ ସହରର ମହତାବ ଛକରେ ସାମ୍ବାଦିକ ମାନେ ଘେରିଥିବା ଉଭୟ ପିତା-ପୁତ୍ରୀଙ୍କ ନିକଟରେ ପହଞ୍ôଚ ସମସ୍ତ ବିଷୟ ଶୁଣିଥିଲେ । ଏବଂ ପୂର୍ବତନ ବିଧାୟକ ଶ୍ରୀ ଦାସ ଝିଅଟିକୁ କିଛି ଆର୍ଥିକ ସହାୟତା ଦେଇଥିବାବେଳେ ବିଧାୟକ ସଂଜୀବ ମଲ୍ଲିକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ରୋଙ୍କୁ ଡକାଇ ଆହତ ପିତା ଶମ୍ଭୁନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ସୁସ୍ଥ ହେବା ପର୍ଯ୍ୟନ୍ତ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ହେବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଏଥିସହ ଅପରପକ୍ଷଙ୍କ ଭୟରେ ଘରକୁ ଫେରିପାରୁନଥିବା ପରିବାରଟି କିଭଳି ସ୍ଥାନୀୟ ଥାନାରୁ ନ୍ୟାୟ ପାଇବେ, ସେ ସଂପର୍କରେ ପୁଲିସ୍ ପ୍ରଶାସନକୁ ଅବଗତ କରାଇଛନ୍ତି ।

ଏ ସଂପର୍କରେ ଗୁରୁତର ଶମ୍ଭୁନାଥ, ତାଙ୍କ କନ୍ୟା ସୁଜାତା ଓ ଭାଇବୋହୂ ବବିଲତା ସେଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ନଦୀଗାଁରେ ଥିବା ପୈତୃକ ଜମିରେ ଅପରପକ୍ଷ ବାବାଜୀ ସେଠୀ, ତାଙ୍କ ଦୁଇଭାଇ ଧୁଣ୍ଡୁରା ସେଠୀ ଓ ଏଣ୍ଡୁ ସେଠୀ ବଳପୂର୍ବକ ଘରକରି ଏମାନଙ୍କ ସଂପତ୍ତିକୁ ଜବରଦଖଲ କରି ରଖିଛନ୍ତି । ଏ ସଂପର୍କରେ ଶମ୍ଭୁନାଥ ସେଠୀ ଓ ତାଙ୍କ ମସ୍ତିଷ୍କ ବିକୃତ ଥିବା ସାନଭାଇ ସୁରେଶର ପତ୍ନୀ ବବିଲତା ପ୍ରତିବାଦ କରିଥିଲେ ମଧ୍ୟ ସେମାନେ ପ୍ରଭାବଶାଳୀ ଥିବାରୁ ମାଡ ମାରି ଭୟଭୀତ ଅବସ୍ଥାରେ ରଖିଛନ୍ତି । ଏହି ଘଟଣାରେ ପୂର୍ବରୁ ବିବାଦ ଘଟି ଶମ୍ଭୁନାଥ ଓ ତାଙ୍କ ଭାଇଙ୍କ ପକ୍ଷରୁ ସ୍ଥାନୀୟ ଧୁଷୁରୀ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅପରପକ୍ଷଙ୍କ ପ୍ରଭାବ ଯୋଗୁଁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ଗତ ରବିବାର ଦିନ ଏହିଭଳି ଅପରପକ୍ଷ ଅଭିଯୁକ୍ତ ଓ ତାଙ୍କର ପତ୍ନୀ ବାଙ୍ଗ, କାମିନୀ ଓ ବାସନ୍ତୀ ଶମ୍ଭୁନାଥ ଉପରେ ମରଣାନ୍ତକ ଆକ୍ରମଣ କରି ଘରୁ ବାହାର କରିଦେଇଥିଲେ । ଫଳରେ ତାଙ୍କର ଭାଇବୋହୂ ନିଜର ମସ୍ତିଷ୍କ ବିକୃତ ସ୍ୱାମୀଙ୍କୁ ନେଇ ଭୟରେ ପଳାୟନ କରିଥିଲା । ଏପରିକି ଶମ୍ଭୁନାଥର ୭ମ ଶ୍ରେଣୀରେ ପଢୁଥିବା ପୁତ୍ର ବାପୁନୁ କେଉଁଆଡେ ଲୁଚିଯାଇଥିବାବେଳେ ୧୦ମ ଶ୍ରେଣୀରେ ପଢୁଥିବା ୧୫ ବର୍ଷର୍ିୟା କନ୍ୟା ସୁଜାତା ଏକ ସ୍ଥାନରେ ଲୁଚିରହି ନିଜ ଗୁରୁତର ପିତାଙ୍କୁ ବଂଚାଇବାକୁ ତାଙ୍କ ଟ୍ରଲିରେ ପ୍ରଥମେ ଧାମନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଡାକ୍ତରମାନେ ଗୁରୁତର ଅବସ୍ଥା ଦେଖି ଭଦ୍ରକ ଯିବାକୁ କହିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଶମ୍ଭୁନାଥର ଗୁରୁତର ଅବସ୍ଥା ଦେଖି ପ୍ରଥମେ ନଦୀଗାଁର କେତେକ ବ୍ୟକ୍ତିଙ୍କ ସହାୟତାରେ ସୁଜାତା ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ କେହି ଆସିନଥିଲେ । ଏପରିକି ଧାମନଗରରୁ ଭଦ୍ରକ ମଧ୍ୟ କୌଣସି ଆମ୍ବୁଲାନ୍ସ ନଆଣିବାରୁ ବାଧ୍ୟହୋଇ ସୁଜାତା ଝିଅ ହୋଇ ମଧ୍ୟ ଦୀର୍ଘ ୪୦ କିମି ଟ୍ରଲିରେ ଆଣି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବା ମଧ୍ୟରେ ୬ ଦିନ ପରେ ଆସି ଅପରେସନ ହେବ ବୋଲି ପରାମର୍ଶ ଦେବାରୁ ପୁନର୍ବାର ସୁଜାତା କୌଣସି ଆମ୍ବୁଲାନ୍ସର ସହାୟତା ନପାଇ ସେହି ଟ୍ରଲିରେ ପିତାଙ୍କୁ ଆଣିବା ମଧ୍ୟରେ ସହରର ପ୍ରବେଶ ପଥ ମହତାବ ଛକଠାରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସିଥିଲେ । ସର୍ବଶେଷ ସୂଚନା ଅନୁଯାୟୀ ଶମ୍ଭୁନାଥ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପ୍ରତିପକ୍ଷ ତାର ଘରଟିକୁ ଭାଙ୍ଗିରୁଜୁ ସେଥିରେ ଥିବା ଟିଭି, ସାଇକେଲ୍ ଓ ମୋବାଇଲ୍ ନେଇଯାଇଥିବା ବିଷୟ ତାଙ୍କର ଭାଇବୋହୂ ବବିଲତା ଗଣମାଧ୍ୟମକୁ କହିଛନ୍ତି । ସେ ମଧ୍ୟ ପ୍ରତିପକ୍ଷଙ୍କ ଆକ୍ରମଣ ଭୟରେ ଏବେ ଶମ୍ଭୁନାଥ ସହ ଡାକ୍ତରଖାନାରେ ରହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.