Home ଜିଲ୍ଲା ପରିକ୍ରମା ପ୍ରକୃତିର ‘ବିସ୍ମୟ ସନ୍ତକ’ ବାଇଚଢେଇ ବସା

ପ୍ରକୃତିର ‘ବିସ୍ମୟ ସନ୍ତକ’ ବାଇଚଢେଇ ବସା

838

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗ ଯୁଗ ଧରି ପ୍ରକୃତିର ବିସ୍ମୟ ଭାବେ ବିବେଚିତ ହେଉଥିବା ପକ୍ଷୀ ଜଗତର କ୍ଷୁଦ୍ର ପକ୍ଷୀ ବାଇଚଢେଇ ଓ ତାହାର ବସା ବିଲୁପ୍ତ ହୋଇନାହିଁ । ଏହି ପକ୍ଷୀ ଓ ତାହାର ନୀଡ ରଚନା ଶୈଳୀ ଓ କୌଶଳ ସାହିତ୍ୟିକ, ଭାବୁକ, ଦର୍ଶକ ସଭିଁକୁ ସଦାସର୍ବଦା ଆନ୍ଦୋଳିତ କରିଛି । ତାଳଗଛରୁ ସୁଉଚ୍ଚ ବରଡା ପତ୍ର ଅଗ୍ରଭାଗରେ ଜୀବନ୍ତପତ୍ରକୁ ଥଣ୍ଟମୁନରେ ସରୁ ସରୁ କରି ଚିରି ତଳ ମୁହାଁ ଝୁଲନ୍ତା ବସା ନିର୍ମାଣ ଶୈଳୀ ମନୁଷ୍ୟ ଦ୍ୱାରା ସମ୍ଭବ ହୋଇନାହିଁ । ଏହି କାରିଗରି ବିଦ୍ୟା କ୍ଷୁଦ୍ର ପକ୍ଷୀର ଜନ୍ମଜାତ ଓ ପ୍ରକୃତି ଦତ୍ତ ଗୁଣ ବୋଲି ଗ୍ରହଣ କରିଛି ମନୁଷ୍ୟ ସମାଜ । ନିଛାଟିଆ ସ୍ଥାନରେ ଥିବା ଧାଡିଧାଡି ତାଳଗଛରେ କିଚିରି ମିଚିରି ଶବ୍ଦ କରି ବସା ଭିତିରକୁ ପ୍ରବେଶ ଓ ପ୍ରସ୍ଥାନର ଦୃଶ୍ୟ କବି ପ୍ରାଣକୁ ବିମୋହିତ କରେ । ଏହି ଭାବନାକୁ ନେଇ ସୃଷ୍ଟି ହୋଇଚାଲିଛି ସାହିତ୍ୟର ଅପୂର୍ବ ଓ ଅନବଦ୍ୟ ସମ୍ଭାର । ସୌନ୍ଦର୍ଯ୍ୟବୋଧ, ଆଶ୍ଚର୍ଯ୍ୟ ଚକିତ ଦୃଶ୍ୟ, କଳ୍ପନାତୀତ ବସ୍ତୁ ଭାବୁକତାର ମୂଳାଧାର । ବାଇ ଚଢେଇକୁ ଚାଷୀର ମିତ୍ର, ପକ୍ଷୀ ଜଗତର ଶିଳ୍ପୀ, ସାହସିକ ନୀଡ ରଚନାର ନିଚ୍ଛକ ଉଦାହରଣ, ପ୍ରକୃତିର ବିସ୍ମୟ ଭାବେ ଆଖ୍ୟାୟିତ କରାଯାଇଛି । ପ୍ରଖର ବତାସ ଓ ଝଡ ଭଳି ପ୍ରକୃତିର ତାଣ୍ଡବରେ ବାଇଚଢେଇ ବସା କ୍ଷତିଗ୍ରସ୍ତ ନହେବା ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ‘ବାଇ ଚଢେଇର ଅଗ ଡାଳେ ବସା ।

ମା’ ନାହିଁ ବାପା ନାହିଁ ଗୋବିନ୍ଦ ଭରସା, ବାଇଚଢେଇ ପଙ୍‌ନ୍ତି ଉଚ୍ଚାରିତ ହୋଇଥାଏ । ଦିନ ଥିଲା ତାଳଗଛର ଗହଳ ବନରେ ସବୁଠି ଦେଖିବାକୁ ମିଳୁଥିଲା ବାଇଚଢେଇ ବସା । ମାତ୍ର ସେ ଦିନର ଆଉ ସେ ତାଳଗଛର ଗହଳ ବନ ଆଉ ନାହିଁ କି ସର୍ବତ୍ର ବାଇଚଢେଇ ବସା ଆଉ ଦେଖିବାକୁ ମିଳୁନାହିଁ । ହେଲେ ବିଲୁପ୍ତ ହୋଇନାହିଁ ଏହି ପ୍ରାକୃତିକ ଜୀବନ୍ତ ବିଭବ । ଷୋଳମପୁର ପଂଚାୟତ ଅନ୍ତର୍ଗତ ଷୋଳମପୁର ରାଜସ୍ୱ ଗ୍ରାମର ଖପୁରିଆପଦା ପଡା ଗ୍ରାମର ମହାଦେବସାହି ମୁଣ୍ଡରେ ଥିବା କ୍ଷୁଦ୍ର ପୋଖରୀ ଆଡିର ଧାଡି ତାଳଗଛରେ ନିୟମିତ ଭାବେ ଦୃଶ୍ୟମାନ ହେଉଛି ଶହ ଶହ ସଂଖ୍ୟାରେ ବାଇ ଚଢେଇ ବସା ଓ ପକ୍ଷୀ । ଗ୍ରୀଷ୍‌ମ ଋତୁ ଚକ୍ର ଆରମ୍ଭ ହେବା ମାତ୍ରେ ବହୁସଂଖ୍ୟକ ବାଇଚଢେଇ ଉଡିଆସନ୍ତି ଏଠାକୁ । ନିର୍ମାଣ କରନ୍ତି ବସା ଓ ଅଣ୍ଡାଦେଇ ସାବକ ଜନ୍ମ କରନ୍ତି । କିଚିରି ମିଚିରି ଶବ୍ଦ କରି ସାହିମୁଣ୍‌ହକୁ କଳରବରେ ବିମଣ୍ଡିତ କରାନ୍ତି । ଶୀତଋତୁ ହେବା ମାତ୍ରେ ପୁଣି ଉଡିଯାଆନ୍ତି ଅନ୍ୟ ଏକ ସ୍ଥାନର ନୀଡକୁ । ବାଇଚଢେଇର ଏହି ସ୍ଥାନାନ୍ତରୀକରଣ ବହୁ ବର୍ଷ ଧରି ଏଠାରେ ପରିଲକ୍ଷିତ ହେଉଛି । ଗ୍ରାମବାସୀ ଏହି ବିଭବ ରୂପୀ ପକ୍ଷୀମାନଙ୍କୁ ସଦା ସୁରକ୍ଷା ଦିଅନ୍ତି । ବର୍ଷ ବର୍ଷ ଧରି ଏହି ଠାରେ ବାଇଚଢେଇ ବସା ଦେଖିବାକୁ ମିଳିପାରୁଛି । କ୍ରମେ ବିଲୁପ୍ତର ଦ୍ୱାର ଦେଶରେ ପହଞ୍ôଚ ସାରିଥିବା ଏହି ପକ୍ଷୀ କୂଳକୁ ସଂରକ୍ଷଣ କରାଯିବା ଉଚିତ୍ ବୋଲି ଗ୍ରାମବାସୀ ମତ ଦିଅନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.