Home Top News ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି

39

ପ୍ରତ୍ୟାଖ୍ୟାତ ହେବା ପରେ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମନିଜେ ହିଂସାର ତାଣ୍ଡବ ସୃଷ୍ଟି କରି ଏବେ ପାଲଟା ଅଭିଯୋଗରେ ବ୍ୟସ୍ତ
ଭୁବନେଶ୍ୱର, ୨୫/୦୩ (ଓଡ଼ିଆ ପୁଅ) : ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ ଏବଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି। ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପିପିଲି ଠାରୁ ନେଇ ଧାମନଗର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା।

ଓଡ଼ିଶା ବିଜେପିର ପ୍ରରୋଚନାରେ ଯୋଜନାବଦ୍ଧ ଭାବେ ବିଜେଡି କର୍ମୀଙ୍କ ଠାରୁ ନେଇ ପୁଲିସ, ସାମ୍ବାଦିକ, ସରକାରୀ ଅଫିସର ଏବଂ ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରାଯାଇଥିଲା। ଏପରିକି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବିଜେଡି କର୍ମୀଙ୍କୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ସେତେବେଳେ ଏ ବାବଦରେ ବିଜେଡି ପକ୍ଷରୁ ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହିଭଳି ହିଂସାକାଣ୍ଡ ପାଇଁ ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ପୌର ନିର୍ବାଚନରେ ବଡ଼ ପରାଜୟ ଆଶଙ୍କାରେ ନିଜର ସ୍ଥିତି ରକ୍ଷା ପାଇଁ ଓଡ଼ିଶା ବିଜେପି ବିଭିନ୍ନ ଆଳ ଖୋଜୁଛି ଏବଂ ହତାଶ ହୋଇ ବିଜେଡି ବିରୋଧରେ ନାନା ଅମୂଳକ ଅଭିଯୋଗ କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.