Home ଓଡ଼ିଶା ପୌର ନିର୍ବାଚନର ଅନ୍ତିମ ଦିନରେ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର, ଶାସକ...

ପୌର ନିର୍ବାଚନର ଅନ୍ତିମ ଦିନରେ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର, ଶାସକ ବିଜେଡି ପକ୍ଷରୁ ନୂଆ ମୁହଁ ସମିତାଙ୍କ ପ୍ରାର୍ଥୀପତ୍ର ଦାଖଲ

26

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାରେ ଦୁଇ ପୌରପାଳିକା ଓ ଦୁଇ ବିଜ୍ଞାପିତ ପରିଷଦ ଅଂଚଳ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ଦିନରେ ଭଦ୍ରକ ପୌରପାଳିକାରେ ୭୨ ଜଣ କାଉନ୍‌ସିଲର ଓ ୩ ଜଣ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୋଟ ୧୪୫ ଜଣ କାଉନ୍‌ସିଲର ଚଳିତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୭ ଜଣ ଅଧ୍ୟକ୍ଷା ପଦ ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି ବାସୁଦେବପୁର ପୌରପାଳିକାରେ ଆଜି ୩୯ ଜଣ କାଉନ୍‌ସିଲର ଓ ୨ ଜଣ ଚେୟାରମେନ୍ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସମୁଦାୟ ୮୭ ଜଣ କାଉନ୍‌ସିଲର ଓ ୪ ଜଣ ଚେୟାରମେନ୍ ପଦବୀ ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ସେହିଭଳି ଚାନ୍ଦବାଲିରେ ଆଜି ୩୨ ଜଣ କାଉନ୍‌ସିଲର ଓ ୫ ଜଣ ଚେୟାରମେନ୍ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ମୋଟ ୬୫ ଜଣ କାଉନ୍‌ସିଲର ଓ ୭ ଜଣ ଚେୟାରମେନ୍ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିଭଳି ଧାମନଗରରେ ଆଜି ୩୯ ଜଣ କାଉନ୍‌ସିଲର ଓ ୪ ଜଣ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମୁଦାୟ ୪୯ ଜଣ କାଉନ୍‌ସିଲର ଓ ୫ ଜଣ ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଗତକାଲି ଏକଦା ବିଜୁ ପରିବାରର ସଦସ୍ୟ ଓ ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା ବିିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ଆଇନ୍‌ଜୀବୀ ଅମିତାବାଳା ଆଚାର୍ଯ୍ୟ ବିଜେଡିରୁ ଅଧ୍ୟକ୍ଷା ପାଇଁ ଦଳୀୟ ଟିକେଟ ନପାଇବାରୁ ବିଧିବଦ୍ଧ ଭାବେ ଦଳଛାଡି କଂଗ୍ରେସକୁ ଆପଣାଇଛନ୍ତି। ଦଳର ଜଣେ ଶୃଙ୍ଖଳିତ କର୍ମୀ କହୁଥିବା ଅମିତାବାଳା ଆଚାର୍ଯ୍ୟଙ୍କର ବିଜେଡିରୁ ଦଳୀୟ ଟିକଟ ଆଶା ମଉଳିଗଲା ପରେ ସେ କଂଗ୍ରେସର ହାତ ଧରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଏବଂ କଂଗ୍ରେସକୁ ଆପଣାଇବା ପରେ ଦଳ ପକ୍ଷରୁ ଆଜି ସେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପୂର୍ବରୁ ସେ ବିଜେଡି ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବେ ମିଶିବା ବିଷୟ ଗଣମାଧ୍ୟମକୁ କହିଛନ୍ତି। ତେବେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ପଦ ପାଇଁ ସ୍ୱାଧୀନ ଭାବେ ଅଂଜନା ମିଶ୍ର ଓ ପୁରୁଣାବଜାର ଅଂଚଳର ଯୁବ ଶିକ୍ଷିତା ଗୁଲମାକୀ ଦଲୱାଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗୁଲମାକୀ ଦଲୱାଜ ବିଜେଡିରୁ ଦଳୀୟ ଟିକେଟ୍ ନପାଇବାରୁ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ତାଙ୍କୁ ସ୍ୱାଧୀନ ଭାବେ ଠିଆ କରାଯାଇଥିବା ବିଷୟ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ପ୍ରାର୍ଥୀପତ୍ର ଦାଖଲର ଶୋଭାଯାତ୍ରା ସହରବାସୀଙ୍କୁ ଚକିତ କରିଛିି। ସେହିଭଳି ବିଜେପିରୁ ଗୀତାଞ୍ଜଳି ପଢିଆରୀ ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ଆଜି ଅମିତାବାଳା ଆଚାର୍ଯ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଆଜିର ଅନ୍ତିମ ଦିନରେ ଶାସକ ବିଜେଡି ଦଳ ପକ୍ଷରୁ ଭଦ୍ରକ ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ସମିତା ମିଶ୍ରଙ୍କ ନାମାଙ୍କନ ପତ୍ର ଦାଖଲର ଶୋଭାଯାତ୍ରା ସମସ୍ତଙ୍କୁ ବଳିଯାଇଛି। ତାଙ୍କର ଏହି ନାମାଙ୍କନ ପତ୍ର ଦାଖଲର ଶୋଭାଯାତ୍ରରେ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ବିଜେଡି ଉପସଭାପତି ମଳୟ ଜେନା, ରାଜ୍ୟ ମହିଳା ବିଜେଡି ସଂପାଦିକା ତାହେରା ଖାତୁନ ପ୍ରମୁଖ ରହିଥିବାବେଳେ ଶୋଭାଯାତ୍ରା ସମୟରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ମିଶ୍ର ଚଉଦ ମହଲା ମୁସ୍‌ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ତେବେ ଭଦ୍ରକ ପୌରାଧ୍ୟକ୍ଷା ପଦ ପାଇଁ ବହୁ ଛକାପଞ୍ଝା ଲାଗି ରହିଥିବାବେଳେ ଶେଷରେ ଭଦ୍ରକ ରାଜନୀତିରେ ସଂପୂର୍ଣ୍ଣ ନୂତନ ମୁହଁ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସଂପର୍କୀୟ, ଭଦ୍ରକ ଚରମ୍ପାର ବିଶିଷ୍ଟ ସମାଜସେବୀ ଶିଶିର ମିଶ୍ରଙ୍କ ଧର୍ମପତ୍ନୀ ସମିତା ଦଳୀୟ ଟିକେଟ୍ ପାଇବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା। ଭଦ୍ରକରେ ଏବେ ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ସମିତା, ଅମିତା, ଗୀତା, ଗୁଲମାକୀଙ୍କୁ ନେଇ ରାଜନୈତିକ ପରିବେଶ ସରଗରମ ହୋଇଛି। ତେବେ ଆଗାମୀ ପୌର ଫଳାଫଳରେ କିଏ କାହାକୁ ମାତ୍ ଦେଇ ପୌରାଧ୍ୟକ୍ଷା ପଦ ହାତେଇବେ, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.