Home ଜିଲ୍ଲା ପରିକ୍ରମା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାଉନସିଲର ଗର୍ଜିଲେ , ଭଦ୍ରକ ପୌରପାଳିକାର ୪୦ତମ ସାଧାରଣ ଅଧିବେଶନ

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାଉନସିଲର ଗର୍ଜିଲେ , ଭଦ୍ରକ ପୌରପାଳିକାର ୪୦ତମ ସାଧାରଣ ଅଧିବେଶନ

4

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୌରାଧ୍ୟକ୍ଷା ଓ କାଉନ୍‌ସିଲରମାନଙ୍କ ସହ ଯୋଗାଯୋଗ ରକ୍ଷା କରି ପୌରାଂଚଳର ବିକାଶଧାରା ଜାରି ରଖିବା ପାଇଁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପରାମର୍ଶ ଦେଇଛନ୍ତି। ଭଦ୍ରକ ପୌରପାଳିକାର ସଭାଗୃହରେ ଆଜି ୪୦ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ କାଉନ୍‌ସିଲରମାନେ ପୌରନିର୍ବାହୀଙ୍କ ସ୍ୱେଚ୍ଛାଚାରିତା, ପ୍ରଶାସନିକ ବ୍ୟବସ୍ଥାକୁ ନେଇ ହୋ ହାଲ୍ଲା କରିଥିଲେ। ଫଳରେ ବୈଠକରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସେମାନଙ୍କର ଅଭିଯୋଗ ଥିଲା ପୌରନିର୍ବାହୀ ଅଧିକାରୀ କାଉନ୍‌ସିଲରମାନଙ୍କୁ ଉପେକ୍ଷା କରି ଚାଲିଛନ୍ତି। ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି। ଅଫିସ୍‌ରେ ରହୁନାହାଁନ୍ତି। କାଉନ୍‌ସିଲରମାନେ ନିଜ ୱାର୍ଡର ବିଭିନ୍ନ ସମସ୍ୟା ନେଇ ଫୋନ୍ କଲେ ଉଠାଉନାହାଁନ୍ତି। ବିଭିନ୍ନ ୱାର୍ଡର ଉନ୍ନୟନ ଫାଇଲ୍ ଗୁଡିକ ଦୀର୍ଘଦିନ ଧରି ନିର୍ବାହୀ ଅଧିକାରୀଙ୍କ ଟେବୁଲରେ ପଡିରହୁଛି। ଏହି ହୋ ହାଲ୍ଲା ପରିସ୍ଥିତିରେ ପୌରନିର୍ବାହୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିଲେ। ତେବେ ବିଧାୟକ ଶ୍ରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଅଣାୟତ ପରିସ୍ଥିତି ଶାନ୍ତ ପଡିଥିଲା। ବିଧାୟକ ପୌର ନିର୍ବାହୀ ଅଧିକାରୀଙ୍କୁ କାଉନ୍‌ସିଲର ଓ ପୌରାଧ୍ୟକ୍ଷାଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଧିବେଶନରେ ପୌରାଂଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜନକଲ୍ୟାଣକାରୀ ଯୋଜନା, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆଗକୁ ବର୍ଷାଦିନ ଆସୁଥିବାରୁ ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, ବିପର୍ଯ୍ୟସ୍ତ ହୋଇପଡିଥିବା ବିଭିନ୍ନ ୱାର୍ଡର ରାସ୍ତାଗୁଡିକର ମରାମତି କରାଯିବା ନେଇ ଏହି ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପୌରନିର୍ବାହୀ ଅଧିକାରୀ ତାପସ ସାମଲଙ୍କ ସମେତ ସମସ୍ତ ପାରିଷଦ ଓ ପୌରପାଳିକାର ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.