Home ଜିଲ୍ଲା ପରିକ୍ରମା ପୌରାଞ୍ଚଳର ଅର୍ଦ୍ଧାଧିକ ଅଞ୍ଚଳରେ ଅନ୍ଧାରୀ ବିଜେ, ଜଳୁନି ଷ୍ଟ୍ରୀଟ ଲାଇଟ୍‌, ଠିକା ସଂସ୍ଥା ଉପରେ କର୍ତ୍ତୃତ୍ୱ...

ପୌରାଞ୍ଚଳର ଅର୍ଦ୍ଧାଧିକ ଅଞ୍ଚଳରେ ଅନ୍ଧାରୀ ବିଜେ, ଜଳୁନି ଷ୍ଟ୍ରୀଟ ଲାଇଟ୍‌, ଠିକା ସଂସ୍ଥା ଉପରେ କର୍ତ୍ତୃତ୍ୱ ହରାଇଛନ୍ତି ପୌର କର୍ତ୍ତୃପକ୍ଷ

65

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ଆଲୋକୀକରଣ ବ୍ୟବସ୍ତାକୁ ଅଢ଼େଇ ବର୍ଷ ପୁରିନି । ପୌରାଞ୍ଚଳର ସମସ୍ତ ୱାର୍ଡ଼ରେ ଲଗାଯାଇଥିବା ଏଲଇଡି ଷ୍ଟ୍ରୀଟ ଲାଇଟ ମଧ୍ୟରୁ ଅର୍ଦ୍ଧାଧିକ ଏବେ ଜଳୁନି । ତେଣୁ ସମଗ୍ର ପୌରାଞ୍ଚଳର ଅଧିକାଂଶ ଅଞ୍ଚଳ ଏବେ ଅନ୍ଧାରରେ । ଏ ସମସ୍ତ ଏଲଇଡି ଲାଇଟ ସ୍ଥାପନ ସହିତ ଏଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ଠିକା ସଂସ୍ଥା ଇଇସିଏଲ ଓ ସବଲେଟିଂ ନେଇଥିବା ଆସ୍ଥା ଇଲେକ୍ଟ୍ରିକାଲ୍‌ସ ଅଧୀନରେ ରହିଛି । ବହୁ କୋଟି ଟଙ୍କା ବ୍ୟୟରେ ଏହି ସହରାଞ୍ଚଳ ଆଲୋକୀକରଣ ଯୋଜନାର ସୁଫଳରୁ ସହରବାସୀ ବଞ୍ଚିତ ହୋଉଛନ୍ତି । ତେବେ ଉକ୍ତ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଠିକା ନେଇଥିବା ସଂସ୍ଥା ଉପରେ ଭଦ୍ରକ ପୌର କର୍ତ୍ତୃପକ୍ଷଙ୍କର ସମ୍ଭବତଃ କୌଣସି କର୍ତ୍ତୃତ୍ୱ ନଥିବା ପରି ମନେ ହେଉଛି । ଯାହାର ଉଦାହରଣ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ଦେଖିବାକୁ ମିଳୁଛି । ନିମ୍ନମାନର ଲାଇଟ କିମ୍ବା ପରକ୍ଷଣାବେକ୍ଷଣ ଅଭାବରୁ ଏପରି ଅବସ୍ଥା ଦେଖାଦେଇଛି ବୋଲି କୁହାଯାଉଛି । ଅପରପକ୍ଷେ ବର୍ଷା ଯୋଗୁଁ କାର୍ବନ ହୋଇଯାଉଥିବାରୁ କେତେକ ଲାଇଟ ଜଳୁ ନାହିଁ । ଅଭିଯୋଗ ଆସିବା ପରେ ପୌର କର୍ତ୍ତୃପକ୍ଷ ଏଗୁଡ଼ିକ ମରାମତି କରୁଛନ୍ତି । କିନ୍ତୁ କରୋନା ସମୟରେ ବିଭିନ୍ନ କାର୍ଯ୍ୟାଳୟକୁ ଯିବା ଆସିବା ଉପରେ କଟକଣା ଲାଗି ରହିଛି । ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ସିମୀତ କର୍ମଚାରୀଙ୍କୁ ନେଇ ଚାଲିଛି । ତେଣୁ ନିର୍ଦ୍ଧିଷ୍ଟ ଅଭିଯୋଗ କିପରି ଓ କାହା ନିକଟରେ କରାଯିବ ତାହାକୁ ନେଇ ପୌରବାସୀ ସନ୍ଧିହାନ । ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଆଲୋକିକରଣ କରିବା ପାଇଁ ଗ୍ରେଟର ନୋଏଡ଼ାର ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ଼ (ଇଇସିଏଲ) ନାମକ ଏକ ସଂସ୍ଥା ରାଜ୍ୟ ସରକାରଙ୍କ ସହ ୨୦୧୭ ମସିହା ଅଗଷ୍ଟ ମାସ ଚୁକ୍ତିନାମା କରିଥିଲା ।

ଏହିକ୍ରମରେ ୨୦୧୮ ମସିହା ମଇ ମାସ ୧ତାରିଖରୁ ଭଦ୍ରକ ପୌରାଞ୍ଚଳରେ ସଂପୃକ୍ତ ସଂସ୍ଥାର ସହଯୋଗୀ କମ୍ପାନୀ (ସବ୍‌ଲେଟ୍ ନେଇଥିବା) ‘ଇଓଏନ’ କମ୍ପାନୀ ପୌରାଞ୍ଚଳର ୩୦ଟି ୱାର୍ଡ଼ରେ ଏଲଇଡ଼ି ଲାଇଟ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଠିକା ସଂସ୍ଥା ପକ୍ଷରୁ ପୂର୍ବରୁ ପୌର କର୍ତ୍ତୃପକ୍ଷ ସ୍ଥାପନ କରିଥିବା ସମସ୍ତ ଲାଇଟକୁ କାଢ଼ିନେଇ ନୂତନ ଏଲଇଡ଼ି ଲାଇଟ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲା । ଅପେକ୍ଷାକୃତ କମ୍ ବିଦ୍ୟୁତ୍ ଖର୍ଚ୍ଚ ହେଉଥିବା କାରଣରୁ ରାଜ୍ୟ ସରକାର ଏଲଇଡ଼ି ଲାଇଟ ଲାଗାଇବାର ପରିକଳ୍ପନା କରିଥିଲେ । ପ୍ରଥମାବସ୍ଥାରେ ମୋଟ ୬ହଜାର ୩୦ଟି ବିଦ୍ୟୁତ୍ ଖୁଣ୍ଟରେ ଏହି ଉଜ୍ଜ୍ୱଳ ଆଲୋକ ଲଗାଯିବାକୁ ସଂପୃକ୍ତ ସଂସ୍ଥାକୁ କୁହାଯାଇଥିଲା । ତେବେ ମଝିରେ ସବ୍‌ଲେଟ ନେଇଥିବା କମ୍ପାନୀ କାମ ଛାଡ଼ି ପଳାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମୂଳ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ ଆଉ ଏକ ସଂସ୍ଥା ‘ଆସ୍ଥା ଇଲେକ୍ଟ୍ରିକାଲସ’ ୭ବର୍ଷ ପାଇଁ ଅର୍ଥାତ୍ ୨୦୨୪ ପର୍ଯ୍ୟନ୍ତ ଏସମସ୍ତ ଲାଇଟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛି । ପୌର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସମସ୍ତ ୩୦ଟି ଯାକ ୱାର୍ଡ଼ରେ ପାଖାପାଖି ୭ହଜାର ଖୁଣ୍ଟରେ ଏହି ଲାଇଟ ଲାଗିଛି । ଯେଉଁ ଲାଇଟ ଗୁଡ଼ିକ ଖରାପ ହୋଇଯାଉଛି ନିର୍ଦ୍ଧିଷ୍ଟ ଅଭିଯୋଗ ଆସିବା ପରେ ସେଗୁଡ଼ିକୁ ମରାମତି ଅଥବା କମ୍ପାନୀ ବଦଳାଉଛି । କିନ୍ତୁ ରାସ୍ତ।।ପାଶ୍ୱର୍ରେ ଥିବା ବହୁ ସଂଖ୍ୟକ ବିଦ୍ୟୁତ୍ ଖୁଣ୍ଟରେ ଏହି ସମସ୍ୟା ଦେଖାଦେଲେ, ଅଭିଯୋଗ କିଏ ଓ କାହାକୁ କରିବ ସେଥି ନେଇ ଦ୍ୱନ୍ଦ ଦେଖାଦେଇଛି । ସେହିପରି ଲକଡାଉନ ସମୟରେ ଉକ୍ତ ସମସ୍ୟାର ସମାଧାନ କିପରି ହେବ ସେଥିପ୍ରତି ନିକଟରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.