ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋର ଧରିବା ଓ ଚୋରି ଜିନିଷ ଉଦ୍ଧାର କରିବା ପୋଲିସର କାମ ହୋଇଥିବା ବେଳେ ପୋଲିସ ହେପାଜତରେ ଥିବା ଟ୍ରକ୍ରୁ ଚକା ଚୋରି ହୋଇଯିବା ଘଟଣା ଏବେ ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନାରେ। ସୂଚନା ମୁତାବକ ଗତ ମାର୍ଚ୍ଚ ୧୮ ତାରିଖରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ରାନ୍ଦିଆ ଓଭରବ୍ରିଜ୍ ନିକଟରେ ଏକ ଟ୍ରକ୍ ଧକ୍କାରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍(ନଂ ଓଡି ୦୪ ଟି ୮୧୨୨)କୁ ପୋଲିସ ଜବତ କରି ଥାନାକୁ ଆଣିଥିଲା। ମାମଲା (ନଂ ୧୩୭/୨୫) ରୁଜୁ କରି ଟ୍ରକ୍ ଡ୍ରାଇଭରକୁ ଜେଲକୁ ପଠାଇଥିଲା। ଉକ୍ତ ଟ୍ରକ୍ଟିକୁ ଗ୍ରାମାଂଚଳ ପୋଲିସ ଥାନା ଠାରୁ ଅଳ୍ପ ଦୂରରେ ଭଦ୍ରକ- ଚାନ୍ଦବାଲି ରାସ୍ତାର ଆର୍ଏମ୍ସି ଗେଟ୍ ନିକଟରେ ରଖିଥିଲା। ଗତ ୩ ତାରିଖ ରାତିରେ କିଛି ଦୁର୍ବୃତ ପୋଲିସକୁ ଚକମା ଦେଇ ଟ୍ରକ୍ର ଡାହାଣପଟ ପଛ ଚକା ୨ଟି ଚୋରି କରି ନେଇଛନ୍ତି। ଟ୍ରକ୍ ରହିଥିବା ସ୍ଥାନଟି ପୁରୁଣାବଜାର ଥାନା ଅଧିନରେ ଯାଉଥିବାରୁ ଏନେଇ ପୁରୁଣାବଜାର ଥାନାରେ ଗ୍ରାମାଂଚଳ ପୋଲିସ ଲିଖିତ ଅଭିଯୋଗ କରିଛି। ଗ୍ରାମାଂଚଳ ଥାନା ଏଏସ୍ଆଇ ଜାମ୍ବବତୀ ପଟ୍ଟାୟତ ପୁରୁଣାବଜାର ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି। ଏହାର ତଦନ୍ତ କରାଯାଇ ଖୁବ୍ଶୀଘ୍ର ଚୋର ମାନଙ୍କୁ ଧରାଯିବ ବୋଲି କହିଛନ୍ତି। ଅପରପକ୍ଷେ ପୋଲିସ ହେପାଜତରେ ଥିବା ଗାଡ଼ିରୁ ଚକା ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜବତ କରିଥିବା ଗାଡ଼ିକୁ ହେପାଜତରେ ନ ରଖି ଏମିତି ରାସ୍ତାକଡ଼ରେ ବେପରୁଆ ଭାବେ ରଖାଯାଇଥିବାରୁ ଚୋର ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।







