Home ଓଡ଼ିଶା ପୋଲିସ ହାବୁଡ଼ରେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଲିଙ୍କ ଥିବା ଡକାୟତ

ପୋଲିସ ହାବୁଡ଼ରେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଲିଙ୍କ ଥିବା ଡକାୟତ

101

ବଲାଙ୍ଗୀର ୨୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ପୋଲିସର ହାତରେ ଲାଗିଛି ବଡ଼ ସଫଳତା। ଏୟାର୍‌ଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ। ସ୍ଥାନୀୟ ଆଦର୍ଶ ଟାଉନ୍‌ ଥାନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବଲାଙ୍ଗିର ପୋଲିସ ଉପରୋକ୍ତ ଦୁଇ ଘଟଣାର ପର୍ଦ୍ଦାଫାଶ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିବା ସହ ତିନୋଟି ବାଇକ୍‌, ଦୁଇଟି ବ୍ୟାଟେରୀ, ଗୋଟିଏ ପିସ୍ତଲ ଓ ତିନୋଟି ଅଫୁଟା ଗୁଳି ଅଭିଯୁକ୍ତମାନଙ୍କଠୁ ଜବତ୍‌ କରିଛି। ଗିରଫ୍‌ ଅଭିଯୁକ୍ତମାନେ ଉଭୟ ଘଟଣାରେ ସାମିଲ୍‌ ଥିବା ବେଳେ ଏଥିରେ ଆନ୍ତଃଜିଲ୍ଲା ତଥା ଆନ୍ତଃରାଜ୍ୟ ଲିଙ୍କ୍‌ ରହିଥିବା ସ୍ପଷ୍ଟ ହୋଇଛି। ପୋଲିସ ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂତି ଭୂଷଣ ସୁନା ଓରଫ୍‌ ବଂଟି(୩୪), ବୌଦ୍ଧର ଅମିତ ଝାଙ୍କର ଓରଫ୍‌ ମଙ୍ଗ୍‌ଲୁ(୨୭), ବଲାଙ୍ଗିର ଜୁନ୍‌ହାଁଡିହିର ମମିଲ ମହାଲିଙ୍ଗ(୩୩) ଓ ମେଘନାଦପଡ଼ାର ମହାଦେବ ସାହୁ(୨୩)ଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୧ ଜାନୁଆରୀରେ ରେଲୱେ ଷ୍ଟେସନ୍‌ ରୋଡ଼୍‌ ସ୍ଥିତ ଏୟାର୍‌ଟେଲ୍‌ ଅଫିସ୍‌ରେ ଡକାୟତି ହୋଇଥିଲା। ଏହି ଡକାୟତିରେ ପିସ୍ତଲ ଦେଖାଇ ଟେବୁଲ୍‌ ଡ୍ର’ରୁ ୪ ଲକ୍ଷ ଟଙ୍କା ଓ ୯ଟି ମୋବାଇଲ୍‌ ସହିତ ସୁନା ଚେନ୍‌ ଧରି ଡକାୟତମାନେ ଫେରାର୍‌ ମାରିଥିଲେ। ସେହିପରି ୧୩ ସେପ୍ଟେମ୍ବର ଆଉ ଏକ ଘଟଣାରେ ରେଲୱେ ଷ୍ଟେସନ୍‌ ରୋଡ଼୍‌ ସ୍ଥିତ ମେହେର ବ୍ୟାଟେରୀରୁ ୫ ହଜାର ଟଙ୍କା, ସୁନା ଚେନ୍‌, ତିନୋଟି ମୋବାଇଲ ଓ ତିନୋଟି ବ୍ୟାଟେରୀ ଡକାୟତି ହୋଇଥିଲା। ଟାଉନ୍‌ ଥାନା ପୋଲିସ ଡକାୟତି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରି ଏହାର ସଂଧାନରେ ଲାଗି ପଡ଼ିଥିଲା। ସଂଧାନରୁ ଜଣାପଡ଼ିଥିଲା ଯେ, ଉଭୟ ଘଟଣାରେ ଅଭିଯୁକ୍ତ ମମିଲ ମହାଲିଙ୍ଗ ସଂପୃକ୍ତ ଥିଲା। ସେ ଆନ୍ତଃଜିଲ୍ଲା ଡକାୟତଙ୍କ ସହ ସଂପର୍କ ରଖି ଉଭୟ ଘଟଣା ଘଟାଇବାରେ ମାଷ୍ଟର୍‌ ମାଇଣ୍ଡ ଥିଲା। ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ବଂଟି ସୁନା ସହିତ ଅଭିଯୁକ୍ତ ମମିଲର ସୁସଂପର୍କ ରହିଥିଲା। ମମିଲ ପ୍ରଥମେ ଏୟାର୍‌ଟେଲ୍‌ ଅଫିସ୍‌ରେ କାମ କରୁଥିବା ବେଳେ ବଡ଼ ଆର୍ଥିକ କାରବାରର ସୂଚନା ଦେବା ସହ ଏହି ଡକାୟତି ଘଟାଇଥିଲା। ଏହି ଡକାୟତିରେ ବଂଟି ସୁନା, ମମିଲ ମହାଲିଙ୍ଗ, ଅମିତ୍‌ ଝାଙ୍କର ସହ ଆଉ ଦୁଇ ଜଣ ବିହାରର ଆନ୍ତଃରାଜ୍ୟ ଡକାୟତ ବିକି ଓ ଲଖନ୍‌ଙ୍କ ମଧ୍ୟ ସଂପୃକ୍ତି ରହିଥିଲା।

ପରେ ପରେ ମମିଲ ମହାଲିଙ୍ଗ ପୁଣି ଯାଇ ମେହେର ବ୍ୟାଟେରୀରେ କାମ କରିଥିଲା। ପୁଣି ଥରେ ବଂଟି ସୁନା ସହ ମେହେର ବ୍ୟାଟେରୀରେ ଡକାୟତି ଯୋଜନା ରଚିଥିଲା। ଏହି ଡକାୟତିରେ ବଂଟି ସୁନା, ମମିଲ ମହାଲିଙ୍ଗ, ମଙ୍ଗଲୁ ଝାଙ୍କର, ମହାଦେବ ସାହୁ ସହ ଆଉ ଦୁଇ ଜଣଙ୍କୁ ବୌଦ୍ଧରୁ ଡକା ଯାଇଥିଲା। ମେହେର ବ୍ୟାଟେରୀରୁ ଡକାୟତି ପରେ ସମସ୍ତେ ଫେରାର୍‌ ମାରିଥିଲେ ବୋଲି ପୋଲିସ ସୂଚନା ଦେଇଛି। ତେବେ ବଲାଙ୍ଗିରରେ ହୋଇଥିବା ଡକାୟତିରେ ଆନ୍ତଃରାଜ୍ୟ ସହ ଆନ୍ତଃଜିଲ୍ଲା ଡକାୟତ ଲିଙ୍କ୍‌ ରହିଥିବା ପୋଲିସ ସଂଧାନ କରିବାରେ ସଫଳ ହୋଇଛି। ଏହା ସହ ଚିପ୍‌ଲିମା ବ୍ୟାଙ୍କ ଡକାୟତି, ଝାର୍‌ସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ମାମଲାରେ ସଂଶ୍ଲିଷ୍ଟ ଦୁର୍ଦ୍ଦାନ୍ତ ଅପରାଧୀ ବଂଟି ସୁନାକୁ ମଧ୍ୟ ଗିରଫ୍‌ କରି ବିଶେଷ ସଫଳତା ହାସଲ୍‌ କରିଛି ପୋଲିସ୍‌।

ତେବେ ପୋଲିସ ପକ୍ଷରୁ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀମନ୍ତ ବାରିକ, ଆଦର୍ଶ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହ ଅନେକ ପୋଲିସ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.