Home ଓଡ଼ିଶା ପୋଲିସ କ୍ୱାଟର ସାଜିଛି ଭୋଗଶାଳା : ୫-ଟି ଏବଂ ମୋ ସରକାରରେ ରକ୍ଷକ ସାଜିଛି ଭକ୍ଷକ...

ପୋଲିସ କ୍ୱାଟର ସାଜିଛି ଭୋଗଶାଳା : ୫-ଟି ଏବଂ ମୋ ସରକାରରେ ରକ୍ଷକ ସାଜିଛି ଭକ୍ଷକ :ବିଜେପି

622

ଭୁବନେଶ୍ୱର, ତା.୦୩/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି। ଅନ୍ୟପଟେ ରାଜ୍ୟସରକାର ୫-ଟି ଏବଂ ମୋ ସରକାର ଦ୍ୱାହି ଦେଇ ବାହା ବାଃ ମାରୁଥିବା ବେଳେ ବାସ୍ତବ ଘଟଣା ଅନ୍ୟ କିଛି ବୟାନ କରୁଛି। ନିମାପଡା ଅଂଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି କି, ଗୋଟିଏ କେସ୍‌ରେ ସେ ଥାନାକୁ ବାରମ୍ବାର ଯାଇଛନ୍ତି। ଗତ ୩ମାସ ଭିତରେ ପୋଲିସ ଅଫିସର ତାଙ୍କୁ ସହଯୋଗ କରିବାକୁ ପ୍ରତିଶୃତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇ ଚିତରଂଜନ ଦାସ ଜୈନକ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ଘଟଣା ପୂରା ସମାଜ ପାଇଁ ଲଜ୍ଜାର ବିଷୟ। ପୋଲିସ ସୁରକ୍ଷା ଦେବା ଆଳରେ ମହିଳାଙ୍କ ଇଜ୍ଜତ ଲୁଟିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ଓ ପୋଲିସ ଉପରେ ଲୋକଙ୍କର ଆସ୍ଥା ଉଠିଗଲାଣି। ପୁରୀରେ ଗତ କିଛିଦିନ ତଳେ ପୋଲିସ ଜଣେ ମହିଳାଙ୍କୁ କ୍ୱାଟର ଭିତରେ ଦୁଷ୍କର୍ମ କରିଥିଲା। ଏବେ ପୋଲିସ ଏସଏସଆଇ ମହିଳାଙ୍କୁ ନ୍ୟାୟ ଦେବାକୁ ଯାଇ ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗ ପ୍ରମାଣ କରୁଛି କି, ମୋ ସରକାର, ୫ଟି, ମୋ ପୋଲିସ୍ ଏ ସବୁ କେବଳ ପ୍ରଚାର ସର୍ବସ୍ୱ। ପୋଲିସର ଦାୟୀତ୍ୱ ହେଉଛି ରକ୍ଷକ ସାଜି ସୁରକ୍ଷା ଯୋଗାଇବା କିନ୍ତୁ ସେ ଏବେ ଭକ୍ଷକ ସାଜି ଲୋକମାନଙ୍କୁ ଆତଙ୍କିତ କରିଚାଲିଛି। ନିମାପଡା ଅଂଚଳର ଜଣେ ବିଜୁ ଜନତାଦଳର ନେତା ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଅହରହ ପ୍ରୟାସ ଚଲାଇଛନ୍ତି।

ସେହିପରି କେନ୍ଦ୍ରାପଡା ଅଂଚଳର ନିକିରାଇ ଥାନାର ଜଣେ ମହିଳା ତାଙ୍କ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି। ଗତ କିଛିଦିନ ତଳେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଇ ମାଡ ମାରିବା ସହ ତାଙ୍କ ସିନ୍ଦୂର ଓ ସଙ୍ଖା ଭାଙ୍ଗି ତାଙ୍କୁ ବିଧବା କରିବା ପାଇଁ କହିଛି ବୋଲି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହା ପ୍ରମାଣିତ କରୁଛି କେଉଁଠି ନା କେଉଁଠି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କୁ ସୁରକ୍ଷା ନଦେବାପାଇଁ ଶପଥପାଠ କରିଛନ୍ତି। ପୋଲିସର କ୍ୱାଟର ବର୍ତମାନ ଭୋଗଶାଳାରେ ପରିଣତ ହୋଇଛି। ପୋଲିସର କ୍ୱାଟର ଯଦି ଭୋଗଶାଳାରେ ପରିଣତ ହେବ ପୋଲିସ ଯଦି ଜଣେ ମହିଳାର ଶଙ୍ଖା ସିନ୍ଦୂର ପୋଛି ତାକୁ ବିଧବା କରିଦେବ ବୋଲି କହିବ ତେବେ ମହିଳାଙ୍କୁ ସୁରକ୍ଷା କେଉଁମାନେ ଯୋଗାଇଦେବେ। ଜଣେ ଉଚ୍ଚପଦସ୍ତ ଅଧିକାରୀ ଏହି ଘଟଣାର ତଦନ୍ତ କରି ଘଟଣାର ସତ୍ୟତା ସଂପର୍କରେ ସାଧାରଣଜନତାଙ୍କୁ ଅବଗତ କରାଇବା ଦରକାର ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ରାଜ୍ୟରେ ଜଣେ ମହିଳା ୩ମାସ ଧରି ଗୋଟେ କେସ୍‌ର ସମାଧାନ ପାଇଁ ଥାନାକୁ ଯାଉଛି ତାହାର ପ୍ରତିବଦଳରେ ଥାନାର ଅଧିକାରୀ ତାଙ୍କୁ କଣ ବଳାତ୍କାର କରିବେ? ଆଉ ଗୋଟେ ପଟେ ସ୍ୱାମୀଙ୍କୁ ମାଡ ମାରି ସ୍ତ୍ରୀ ର ଶଙ୍ଖା ଭାଙ୍ଗି ସିନ୍ଦୂର ପୋଛି ବିଧବା କରିବା କଣ ପୋଲିସର ଦାୟୀତ୍ୱ କି ? ଏବେ ବି କଣ ବିଜେଡି ପ୍ରବକ୍ତାମାନେ କହିବେ କି ଏହାକୁ ରାଜନୀତି କରଣ କରା ନଯାଉ କି ମହିଳାଙ୍କୁ ସୁରକ୍ଷା ଦିଆ ନଯାଉ? ଆଉ କେତେଦିନ ଦୁଷ୍କର୍ମକାରୀଙ୍କୁ ଘଂଟ ଘୋଡାଇବେ ରାଜ୍ୟସରକାର? ଆଉ କେତେ ବଳତ୍କାରୀଙ୍କୁ ପୋତ୍ସାହନ ଯୋଗାଇବେ ଗୃହ ମନ୍ତ୍ରୀ? ମହିଳା ପ୍ରସଙ୍ଗରେ ସବୁ ସମୟରେ ଚୁପ ରହୁଖିବା ମୁଖ୍ୟମନ୍ତ୍ରୀ କେବେ ମହିଳାଙ୍କ ସୁରକ୍ଷାକୁ ନେଇ କଠୋର ଆଇନ ଆଣିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ରାଜ୍ୟର ଅସହାୟ ଗରିବ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ବଳାତ୍କାର କରିବା ପୋଲିସର କୁତ୍ସିତ ମାନସିକତାକୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପ୍ରୟାସ କରନ୍ତୁ। ମହିଳା ମାନଙ୍କୁ ଅଣଦେଖା ନକରି ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ। ରାଜ୍ୟସରକାର ତୁରନ୍ତ ଏହି ଦୁଇଟି ଘଟଣାର ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.