Home ଜିଲ୍ଲା ପରିକ୍ରମା ପୋଲିସର ନିଷ୍କ୍ରିୟତା ଯୋଗୁଁ ମଠ ମନ୍ଦିରରୁ ଚୋରି ବଢୁଛି, ନୂଆ ଆଇଆଇସି ଆସିବା ଦିନରୁ ୨୮ଟି...

ପୋଲିସର ନିଷ୍କ୍ରିୟତା ଯୋଗୁଁ ମଠ ମନ୍ଦିରରୁ ଚୋରି ବଢୁଛି, ନୂଆ ଆଇଆଇସି ଆସିବା ଦିନରୁ ୨୮ଟି ଚୋରି ମାମଲା, ଅନେକର ଅଭିଯୋଗ ହୋଇନି

14

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନନ୍ଦପୁର ପଂଚାୟତ ଉତରବାହିନୀ ମଠରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗୁରୁବାର ରାତି ଓ ଶୁକ୍ରବାର ପାହାନ୍ତାରୁ କେହି ଚୋରି କରିଥିବା ନେଇ ଅଭିଯୋଗରୁ ଜଣାପଡ଼ିଛି। ମଠରେ ଥିବା ଠାକୁରଙ୍କ ଗହଣା ଗାଣ୍ଠି, ବାସନକୁସନ ଓ ପୂଜା ସାମଗ୍ରୀ ସବୁ ଦୁର୍ବୃତ ନେଇଯାଇଛନ୍ତି। ମଠ ପରିଚାଳକ ଅଜୟ କୁମାର ଦାସଙ୍କ ସୂଚନା ଅନୁସାରେ, ତାଙ୍କ ଗାଁ ପାଖର ଜଣେ ବ୍ୟକ୍ତି ଶୁକ୍ରବାର ଭୋର ୩ଟା ୩୦ ବେଳକୁ ବୈତରଣୀ ନଦୀ ପୋଲ ଉପର ଦେଇ ଯାଜପୁରକୁ ପରିବା ଆଣିବା ଲାଗି ଯାଉଥିଲେ। ଏତେ ରାତିରେ ମଠ ବାହାରେ ବାଇକ୍ ଗୋଟିଏ ଛିଡ଼ା ହୋଇଥିବା ସନ୍ଦେହ ହେବାରୁ ସେ ପୋଲ ଉପରେ ନିଜ ଗାଡ଼ିକୁ ରଖି ମଠ ପାଖକୁ ଯିବାରୁ ଜଣେ ଲୋକ ଗୋଟିଏ ପ୍ଲାଷ୍ଟିକ ଅଖାରେ କଣ ମେଂଚାଏ ଭର୍ତି କରି ବାଇକରେ ବାହାରି ଯିବାକୁ ଚେଷ୍ଟା କରୁଥିଲା। ତେବେ କିଛି ଦିନ ପୂର୍ବରୁ ବଢ଼ି ପାଣି ଛାଡ଼ିଥିବାରୁ ସେ ଯାଇ ମନ୍ଦିର ପାଖରେ ପହଂଚିଲା ବେଳକୁ ଚୋରଟି ବାଇକରେ ବସ୍ତାକୁ ଲଦି ଫେରାର ହୋଇଯାଇଥିଲା। ତଥାପି ସେ ପିଛା କରିଥିଲେ ବି ଚୋରଟି ଯାଜପୁର ପଟେ ଥିବା ବୈତରଣୀ ବନ୍ଧରେ କଟିକଟା ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲା। ଅପର ପକ୍ଷରେ ସକାଳ ହେବାରୁ ଜଣାପଡ଼ିଲା ଯେ, ଏହି ଜଗନ୍ନାଥ ମନ୍ଦିରଠାରୁ ଉତରକୁ ୬୦୦ ମିଟର ଦୂରରେ ଥିବା ହନୁମାନ ମନ୍ଦିରରୁ ମଧ୍ୟ ଚୋରି ହୋଇଛି। କେହି ଦୁର୍ବୃତ ମନ୍ଦିରରୁ ପୂଜା ସାମଗ୍ରୀ, ଘଂଟ, ଘଂଟି, ପିତଳ ବାଲଟି, ତମ୍ବା ବଲଟି, ରୁପା ମୁକୁଟ, ଦାନବାକ୍ସରୁ ଟଙ୍କା ନେଇ ଯାଇଛନ୍ତି। ଏନେଇ ଗାଁ ଲୋକେ ଥାନାରେ ଅଭିଯୋଗ କରିବାରୁ ଧାମନଗର ଏସଡିପିଓ ଓ ପୋଲିସ ଟିମ୍ ପହଂଚି ତଦନ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। ଏହି ଦୁଇଟି ଘଟଣା ନୁହଁ, ଗତ ମାସକ ମଧ୍ୟରେ ପାଖାପାଖି ୧୦ରୁ ଅଧିକ ମନ୍ଦିରରୁ ଚୋରି ହୋଇଛି। କିଛିଦିନ ପୂର୍ବରୁ ଆନ୍ଦପୁର ପଂଚାୟତ ଉତେଇପୁରରେ ଥିବା ଜାନକେଶ୍ୱର ମନ୍ଦିର, ଗାର୍ଲସ ହାଇସ୍କୁଲ ପାଖରେ ଥିବା ରାସ୍ତା କଡ଼ ହନୁମାନ ମନ୍ଦିର, ହାତିଢିଅ ସ୍କୁଲ ପଡ଼ିଆ ପାଖ ହର ମହାଦେବ ମନ୍ଦିର, ଖଡ଼ିପଦା ପଂଚାୟତ ଅଫିସ ପାଖ କାବେଶ୍ୱର ମନ୍ଦିର, ଦକ୍ଷିଣକୁରୁଆ ଛକ ମହାଦେବ ମନ୍ଦିର, ଦକ୍ଷିଣକୁରୁଆ ଗାଁ ମୁହଁରେ ଥିବା ଗ୍ରାମଦେବତୀ ଶଶିମୁଖି ମନ୍ଦିର, ଆନନ୍ଦପୁର ପଂଚମୁଖି ହନୁମାନ ମନ୍ଦିର, ମାନଲାପୁର ତାରିଣୀ ମନ୍ଦିର ଓ ଦଳାଙ୍ଗର ସନ୍ତୋଷୀ ମାଆ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ମନ୍ଦିରର କେହି ପରିଚାଳକ ନଥିବା କି କମିଟି ନଥିବାରୁ ଚୋରି ସଂପର୍କରେ ଏତଲା ମଧ୍ୟ ଦିଆଯାଇନାହିଁ। ଚୋରମାନେ ମନ୍ଦିରରେ ଥିବା ଦାନବାକ୍ସ, ଅଳଙ୍କାର, ବାସନକୁସନ ଓ ପୂଜା ଉପକରଣ ସବୁକୁ ଚୋରି କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ସିସିଟିଏନ୍‌ଏସ ୱେବସାଇଟ୍ ଦେଖିଲେ ଜଣାପଡ଼ିଛି ଯେ, ଧାମନଗର ଥାନାରେ ମାର୍ଚ୍ଚ ପହିଲାରୁ ଥାନା ଅଧିକାରୀ ଭାବେ ଗୋପାଳକୃଷ୍ଣ ଜେନା ଯୋଗଦେବା ପରଠାରୁ ଥାନା ଅଂଚଳରେ ଚୋରି ଡକାୟତି ଭଳି ଅପରାଧ ବଢ଼ିଯାଇଛି। ମାର୍ଚ୍ଚ ପହିଲାରୁ ଅଗଷ୍ଟ ପହିଲା ମଧ୍ୟରେ ଗତ ୫ ମାସରେ ୨୮ଟି ଚୋରି ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ତା ଭିତରୁ ୫ଟି ଠାକୁର ମନ୍ଦିର ବା ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ମାମଲା ରହିଛି। ବଡ଼କଥା ହେଲା ମାର୍ଚ୍ଚ ୧୦ରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ମନ୍ମୟ ସାମନ୍ତସିଂହାର ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଚୋର ଧରାପଡ଼ିଲାନି କି ଜିନିଷ ମିଳିଲା ନାହିଁ। ଧାମନଗର ଥାନା କେଶ୍ ନଂ. ୯୨, ୧୪୦, ୧୭୬, ୨୦୪, ୨୩୧ ଓ ୨୭୮ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ କିମ୍ବା ୩୦୫ (ଘ) ଓ ୩୩୧ରେ ମାମଲା ରୁଜୁ ହୋଇଛି। ବାକି ୨୩ଟି ମାମଲା ବିଏନ୍‌ଏସ୍ ଧାରା ୩୦୩ କିମ୍ବା ୩୦୩ (୨)ରେ ମାମଲା ରୁଜୁ ହୋଇଛି। ଏଭଳି ମାମଲାର ସଠିକ ତଦନ୍ତ ହେଉନାହିଁ କି ଚୋର ଧରାପଡୁନି। ପୋଲିସର ନିଷ୍କ୍ରିୟତା ଯୋଗୁଁ ଧାମନଗର ଥାନା ଅଂଚଳରେ ଚୋରି ବୃଦ୍ଧି ପାଉଛି। ବିଶେଷ କରି ଆନନ୍ଦପୁର, ଖଡ଼ିପଦା, ପଧାନି ଓ ସୋହଡ଼ା ପଂଚାୟତ ଅଂଚଳ ଯାଜପୁର ଜିଲ୍ଲାକୁ ଲାଗିଛି। ଜୟନ୍ତରା, ଷେଣ୍ଢପୁର ଓ ଆନନ୍ଦପୁରରେ ବୈତରଣୀ ନଦୀ ଉପରେ ପୋଲ ହୋଇସାରିଛି। ତା ସାଙ୍ଗକୁ ଆନନ୍ଦପୁରରୁ ଦାଣ୍ଡକୂଳ ହୋଇ ଯାଜପୁରକୁ ପିଚୁ ରାସ୍ତା ଲମ୍ବିଛି। ଏଣୁ ଚୋରମାନେ ଧାମନଗର ଅଂଚଳରେ ଚୋରି କରି ସହଜରେ ଖସି ଯାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.