Home ଓଡ଼ିଶା ପୋଲିସର ଦମନ, ଅତ୍ୟାଚାରକୁ ସିପିଆଇର ନିନ୍ଦା

ପୋଲିସର ଦମନ, ଅତ୍ୟାଚାରକୁ ସିପିଆଇର ନିନ୍ଦା

55

ଭୁବନେଶ୍ୱର, ୧୨/୦୮– (ଓଡ଼ିଆ ପୁଅ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଗତକାଲି ଏକ ପ୍ରତିନିଧି ଦଳ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ପୋଲିସର ଦମନ, ମହିଳାମାନଙ୍କ ଉପରେ ନିର୍ମମ ଅତ୍ୟାଚାର ଓ ଅନ୍ୟାୟ ଗିରଫ ସମ୍ପର୍କରେ ଅନୁଧ୍ୟାନ କରି ଫେରିଆସିଛନ୍ତି।

ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ, ଗୋଟିଏ ବାଛୁରୀ କୁଣ୍ଡା ଖାଇଯିବା ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଦ୍ୱନ୍ଦ୍ୱର ସମାଧାନ ପରିବର୍ତ୍ତେ ଗୋପ ପୋଲିସର ମାତ୍ରାଧିକ କାର୍ଯ୍ୟ ଉକ୍ତ ଗ୍ରାମରେ ଦେଖିବାକୁ ମିଳିଛି। ଗୋପ ପୋଲିସ ଗତ ଅଗଷ୍ଟ ୭ ତାରିଖ ରାତି ୨ଟା ସମୟରେ ଗ୍ରାମରେ ପଶି ଗ୍ରାମର ୪ଜଣ ଲୋକଙ୍କୁ ଗିରଫ କରିବା ଫଳରେ ଲୋକେ ପ୍ରତିବାଦ କରିଥିଲେ ଓ ଗ୍ରାମ ରାସ୍ତା ମଧ୍ୟ ଅବରୋଧ କରିଥିଲେ। ଉକ୍ତଦିନ ନିମାପଡ଼ା ଡିଏସପି ଘଟଣାସ୍ଥଳରେ ପହଞ୍ôଚ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। ମାତ୍ର ଅଗଷ୍ଟ ୯ ତାରିଖ ରାତ୍ରି ୨ଟା ସମୟରେ ଶତାଧିକ ପୋଲିସ ଉକ୍ତ ଗ୍ରାମରେ ପ୍ରବେଶ କରି ଶାନ୍ତିରେ ଶୋଇଥିବା ଲୋକଙ୍କ କବାଟ ଭାଙ୍ଗିି ବୃଦ୍ଧ, ବୃଦ୍ଧା, ମହିଳା ଓ ଶିଶୁମାନଙ୍କୁ ଲାଠି ପ୍ରହାର କରି ଅନ୍ୟାୟ ଭାବରେ ୧୯ଜଣ ମହିଳାଙ୍କ ସମେତ ୩୦ଜଣଙ୍କୁ ଗିରଫ କରିନେଇଛନ୍ତି। ବୃଦ୍ଧା ଓ ମହିଳାମାନଙ୍କୁ ପୁରୁଷ ପୋଲିସ ନିର୍ମମ ଭାବରେ ଲାଠି ପ୍ରହାର କରିଥିବା ଘଟଣା ଦେଖିବାକୁ ମିଳିଥିଲା। ବହୁ ବୃଦ୍ଧାଙ୍କର ପିଠି ଫାଟିଯାଇଥିବା ମଧ୍ୟ ସେମାନେ ଦେଖାଇଥିଲେ। ଅନେକ ଲୋକଙ୍କ ଘର କବାଟ ଭାଙ୍ଗିଦେଇଥିବା ଦେଖିବାକୁ ମଧ୍ୟ ମିଳିଥିଲା। ବର୍ତ୍ତମାନ ପୋଲିସର ଦମନ ବିରୁଦ୍ଧରେ ଉକ୍ତ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। କେତେକ ମହିଳାଙ୍କ ୬ ମାସର ଶିଶୁ କ୍ଷୀର ନ ଖାଇ ଘରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ଜନସାଧାରଣଙ୍କ ବନ୍ଧୁ ବୋଲି ସରକାର ଡିଣ୍ଡିମ ପିଟୁଥିଲାବେଳେ ଗୋପ ପୋଲିସର ଏତାଦୃଶ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସିପିଆଇ ନେତାମାନେ କହିଛନ୍ତି ଓ ଏଥିରେ ଲୋକଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା, ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିଃସର୍ତ୍ତରେ ଖଲାସ କରିବା, କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ମନୋଜ ପରିଜା, ପ୍ରଦୀପ ମହାନ୍ତି, ସୁକାନ୍ତ ମହାନ୍ତି, ପ୍ରଶନ୍ନ ଦାସ, ବ୍ରହ୍ମାନନ୍ଦ ଦାସ, ସରପଞ୍ଚ ରାଜଶ୍ରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ୟାର ସମାଧାନ ନ ହେଲେ ଏହା ଜନ ଆନ୍ଦୋଳନର ରୂପ ନେଇପାରେ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.