Home ଜିଲ୍ଲା ପରିକ୍ରମା ପୋଖରୀ ଉନ୍ନତିକରଣ ନାଁ ରେ ଚାଲିଛି କି ପୋତିବା ଅଭିଯାନ,୩୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତିର...

ପୋଖରୀ ଉନ୍ନତିକରଣ ନାଁ ରେ ଚାଲିଛି କି ପୋତିବା ଅଭିଯାନ,୩୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତିର ଅଭିଯୋଗ; ସୂଚନା ଫଳକରୁ ଗାଏବ କାର୍ଯ୍ୟର ସମୟସୀମା

3

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଏନଏସି ୫ ନମ୍ବର ୱାର୍ଡ ସ୍ଥିତ ଧାମନଗର ଡାକ୍ତରଖାନା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ‘ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା’ ଅନ୍ତର୍ଗତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଉଥିବା ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ସହରର ଏହି ପ୍ରାଚୀନ ତଥା ବୃହତ ପୋଖରୀଟି ସ୍ଥାନୀୟ ଅଂଚଳର ଜଳ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଚେରି ନିର୍ମାଣ ଆଳରେ ପୋଖରୀର ପ୍ରାୟ ୨୫ ପ୍ରତିଶତ ଅଂଶକୁ ପୋତିବା ପାଇଁ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି। ପୋଖରୀ ମଧ୍ୟ ଭାଗକୁ ମାଡ଼ି ଆସି ପାଚେରି ନିର୍ମାଣ କରା ଯାଉଥିବାରୁ ଏହା ଜଳାଶୟକୁ ସଙ୍କୁଚିତ କରୁଛି, ଯାହା ପରିବେଶବିତ ଙ୍କ ଚିନ୍ତାରେ ପକାଇଛି।ସୂଚନା ଫଳକ ରେ ପ୍ରକଳ୍ପର ଅଟକଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଥିବା ବେଳେ, କାର୍ଯ୍ୟ କେବେ ଆରମ୍ଭ ହେଲା ଏବଂ କେବେ ଶେଷ ହେବ, ସେ ନେଇ ସୂଚନା ଫଳକ ରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ଏହା କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି ଯେ, ନିର୍ଦ୍ଧାରିତ ସମୟ ସୀମା ଲୁଚାଇ କାର୍ଯ୍ୟରେ ମନ୍ଥରତା କିମ୍ବା ଅର୍ଥ ହରିଲୁଟ ପାଇଁ ବାଟ ଫିଟା ଯାଉଛି। କନିଷ୍ଠ ଯନ୍ତ୍ରୀ ନୀଳକଣ୍ଠ ନାୟକ କହିଛନ୍ତି ଯେ, ସେଠାରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ପୋଖରୀର କିଛି ଅଂଶ ପୋତା ଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ଧାମନଗରରେ ଅନ୍ୟାନ୍ୟ ଅନେକ ସରକାରୀ ଜାଗା ଥିବା ସତ୍ୱେ ଏକ ପୁରାତନ ଜଳା ଶୟକୁ ନଷ୍ଟ କରି ମାର୍କେଟ କମ୍ପେ୍ଲକ୍ସ କରିବାର ଯଥାର୍ଥତା କ’ଣ ଜଳାଶୟ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଧାମନଗରରେ ବିକାଶ ନାମରେ ବିନାଶ ଚାଲିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ପୋଖରୀର ମୂଳ ସ୍ୱରୂପ ବଜାୟ ରଖିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.