ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକ ଆରଟିଓଙ୍କ ‘ମେରି ରାଏ’ ନୀତି ଯୋଗୁଁ ପରିବହନ କାର୍ଯ୍ୟକୁ ଆପଣେଇ ପରିବାର ପ୍ରତିପୋଷଣ କରିଆସୁଥିବା ବହୁ ବେକାରୀ କିଭଳି ରାଜ୍ୟ ସରକାର, ରାଜ୍ୟ ପରିବହନ ଆୟୁକ୍ତ ଓ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶରୁ ବଂଚିତ ହୋଇ କିଭଳି କରୋନା ସମୟରୁ ଭୋକ ଓପାସରେ କାଳ କାଟୁଛନ୍ତି ତାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ । ଏହା ମୂଳରେ ଯେଉଁ ରହସ୍ୟ ଲୁଚି ରହିଛି, ତାହାକୁ ତର୍ଜମା କଲେ ସବୁରି ମୂଳରେ ଏହି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କରୋନା ସମୟରେ କାର୍ଯ୍ୟ କରି ଏବେ ଭୁବନେଶ୍ୱର ଓଡି-୩୩ ପଟିଆ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଥିବା ଜିଲା ପରିବହନ ଅଧିକାରୀ ସନତ କୁମାର ଜେନାଙ୍କ ଏକ ଛତ୍ରବାଦୀ ‘ମେରି ରାଏ’ ନୀତି କାରଣ ବୋଲି ଜଣାପଡିଛି । ଏ ସଂପର୍କରେ ଯଦିଓ ବହୁ ଛୋଟ ବଡ ଗାଡି ମାଲିକଙ୍କ ଅଭିଯୋଗ ଶୁଣିବାକୁ ମିଳେ, ତେବେ ବିଶେଷକରି ଏହି ଜିଲାର ଭଣ୍ଡାରିପୋଖରୀ ଅଂଚଳର ଗାଡି ମାଲିକ ଗୋପୀନାଥ ଦାସ ରାଜ୍ୟ ପରିବହନ ଆୟୁକ୍ତଙ୍କ ନିକଟରେ ଦେଇଥିବା ପତ୍ରରୁ ଯାହା ଜଣାଯାଏ ଭୁବନେଶ୍ୱର ଆରଟିଓ ଓଡି-୩୩ ପଟିଆ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଥିବା ବର୍ତ୍ତମାନର ଶ୍ରୀ ଜେନା ଭଦ୍ରକରେ କରୋନା ସମୟରେ ଅଧିକାରୀ ଥିବାବେଳେ ଗାଡିର ଭିସିଆର, ଚାଲାଣ କାଟିବା କ୍ଷେତ୍ରରେ ରାଜ୍ୟ ସରକାର ଓ ରାଜ୍ୟ ପରିବହନ ଆୟୁକ୍ତ ଓ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଫୁ ରେ ଉଡାଇଦେଇଥିଲେ ।
ରାଜ୍ୟ ସରକାର ସେତେବେଳେ ମହାମାରୀ କରୋନାକୁ ଆଖି ଆଗରେ ରଖି ବିନା ଜରିମାନାରେ ବିନା ଲାଞ୍ଚରେ କାର୍ଯ୍ୟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଶ୍ରୀ ଜେନା କେତେକ କୁଚକ୍ରୀ ବ୍ୟକ୍ତିଙ୍କ ସହ ମିଶି ସେମାନଙ୍କ କୁପରାମର୍ଶ ଦ୍ୱାରା ରାଜ୍ୟ ପରିବହନ ବିଭାଗ ଆୟୁକ୍ତ, କଟକଙ୍କୁ ଉଚ୍ଚ ନ୍ୟାୟାଳୟ ସାର୍କୁଲାର ନଂ ୩ ବଳରେ ପ୍ରତ୍ୟେକ ଗାଡି ମାଲିକଙ୍କୁ ହଇରାଣ ହରକତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ଗାଡିର ଭିସିଆର ଓ ଚାଲାଣ ହୋଇଥିଲେ ତାଙ୍କୁ କୌଣସି ହଇରାଣ ନକରି ଫିଟ୍ନେସ୍ କାର୍ଯ୍ୟକୁ ଅଗ୍ରାଧିକାର ଦେବାପାଇଁ ସୂଚାଇଥିଲେ । ଏହି ସାର୍କୁଲାର ୩ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଭିସିଆର ଚାଲାଣ ଥାଇ ଗାଡିର ସମସ୍ତ କାର୍ଯ୍ୟ ଯଥା ଫିଟନେସ୍, ପରମିଟ୍ ଓ ମାଲିକାନା ପରିବର୍ତ୍ତନ ଭଳି ସମସ୍ତ କାର୍ଯ୍ୟ ହୋଇପାରିବ । ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ମୂଳେ ରାଜ୍ୟର ସମସ୍ତ ଆରଟିଓମାନେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଆସୁଥିବାବେଳେ ଶ୍ରୀ ଜେନା ଭଦ୍ରକରେ ୨୦୨୦ ରୁ ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ରହିବା ମଧ୍ୟରେ ଉକ୍ତ ନିର୍ଦ୍ଦେଶକୁ ଅବମାନନା ପୂର୍ବକ ବିନା ଫରୱାଡିଂରେ କୌଣସି ଗାଡିର ଫିଟନେସ୍ ହେବନାହିଁ ବୋଲି କାର୍ଯ୍ୟାଳୟର ଅଧସ୍ତନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିପାଇଁ ଭଦ୍ରକର ଗାଡି ମାଲିକମାନେ ସରକାରଙ୍କ ନୀତି ନିୟମରୁ ବଂଚିତ ହୋଇ ଭିସିଆର ଚାଲାଣ ଥାଇ ଫିଟନେସ୍ ଓ ଫରୱାଡିଂ ବାବଦ ୩/୪ ହଜାର ଟଙ୍କା ଅଯଥା ହାତଗୁଞ୍ଜା ଦେଇ ନିଜର ଗାଡିଗୁଡିକ ଚଳାଇଆସୁଥିବାବେଳେ ବହୁ ମାଲିକ ସେଥିରୁ ବଂଚିତ ହୋଇଥିଲେ ।
ଏଭଳି ଅବସ୍ଥାରେ କିଛି ଗାଡି ମାଲିକ ସହକାରୀ ଅଧିକାରୀଙ୍କୁ ସାକ୍ଷାତ୍ କରି ନିଜର ଦୁଃଖ ଜଣାଇବା ପରେ ମଧ୍ୟ କୌଣସି ପ୍ରତିକାର ହୋଇପାରିନଥିଲା । ଯେଉଁଥିପାଇଁ ଶ୍ରୀ ଦାସ ରାଜ୍ୟ ପରିବହନ କାର୍ଯ୍ୟାଳୟକୁ ଯାଇ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବଂ ସହକାରୀ ଆରଟିଓଙ୍କୁ ଦେଖାକରି ଭିସିଆର ଚାଲାଣ ଥାଇ ସବୁକାର୍ଯ୍ୟ ରାଜ୍ୟର ଅନ୍ୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହୋଇଆସୁଥିବାରୁ ଭଦ୍ରକରେ ତାର ବ୍ୟତିକ୍ରମର ପ୍ରତିକାର କରିବା ପାଇଁ ଅନୁରୋଧ କରିଥିଲେ । ଏବଂ ବର୍ତ୍ତମାନ ଜିଲା ଆଞ୍ଚଳିକ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏମ୍ଭିଆଇ ଖଗେଶ୍ୱର ମୁର୍ମୁଙ୍କୁ ସାକ୍ଷାତ୍ କରି ସମସ୍ତ ବିଷୟ ଅବଗତ କରାଇଥିଲେ । କିନ୍ତୁ ଶ୍ରୀ ମୁର୍ମୁ ‘ଥା ଥା ମା ମା’ ରେ କାର୍ଯ୍ୟ ନକରି ତାହା ଜୁନିୟର ଏମ୍ଭିଆଇଙ୍କ ଉପରକୁ ଠେଲିଦେଇଥିଲେ । ସେ ମଧ୍ୟ ତାହା ନକରି ସମୟ ଗଡାଇ ଚାଲିବା ଭିତରେ ବାଧ୍ୟହୋଇ ଗୋପୀନାଥ ପଡୋଶୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଯାଜପୁରରେ କାର୍ଯ୍ୟକାରୀ କରାଇଥିଲେ । ଇତିମଧ୍ୟରେ ପୂର୍ବତନ ଭଦ୍ରକ ଆରଟିଓ ସନତ ଜେନାଙ୍କ ସମୟର ହୁଇପ୍ ଭଦ୍ରକରେ ଏପର୍ଯ୍ୟନ୍ତ ଜାରି ସଂପର୍କିତ ଖବର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିବା ପରେ ତାହା ପ୍ରକାଶ ପାଇବାରୁ ବର୍ତ୍ତମାନର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଚେତା ପଶିଛି । କିନ୍ତୁ ଖୋଦ୍ ରାଜ୍ୟ ସରକାର, ରାଜ୍ୟ ପରିବହନ ଆୟୁକ୍ତ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସନତ ଜେନାଙ୍କ ଭଳି ଜଣେ ଦାୟିତ୍ୱସଂପନ୍ନ ଅଧିକାରୀ ଯେଭଳି ଭାବେ ଅପବ୍ୟବହାର କରି ଶହ ଶହ ଗାଡି ମାଲିକଙ୍କ ପେଟରେ ଲାତ ମାରିଛନ୍ତି, ତାହାର ଉଚିତ୍ ଜବାବ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କିଏ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।