Home ଜିଲ୍ଲା ପରିକ୍ରମା ପୂରଣ ହେଲା ଭଦ୍ରକ ଜିଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠାର ସ୍ୱପ୍ନ, ଜିଲାରେ ଡାକ୍ତର ମରୁଡି, ସ୍ୱାସ୍ଥ୍ୟସେବା...

ପୂରଣ ହେଲା ଭଦ୍ରକ ଜିଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠାର ସ୍ୱପ୍ନ, ଜିଲାରେ ଡାକ୍ତର ମରୁଡି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଜିଲାପାଳଙ୍କ ରାତିଅଧିଆ ମେଡିକାଲ ଚଢାଉ

12

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାବାସୀଙ୍କ ଦୀର୍ଘ ୧୫ ବର୍ଷର ସଂଘର୍ଷ ଓ ଦାବି ପରେ ଚଳିତ ବିଜେପି ସରକାରଙ୍କ ସମୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ’ ଅଧୀନରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ବଜେଟ୍ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପରେ ଭଦ୍ରକ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଏବଂ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପାଇଁ ତାଙ୍କୁ, ବିଜେପି ରାଜ୍ୟ ସଭାପତି ଏବଂ ସ୍ୱାସ୍ୱ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଭଦ୍ରକ ସାଂସଦ ଓ ସର୍ବୋପରି ଜିଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଭଦ୍ରକ ଜିଲାବାସୀଙ୍କ ସ୍ୱାସ୍ଥ୍ୟସେବା ଦାୟିତ୍ୱରେ ରହୁଥିବା ଡାକ୍ତରଙ୍କ ଅଭାବ ଜନିତ ସଂକଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡା, ଯାଜପୁର ଭଳି ବହୁ ଜିଲାର ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ଆସୁଥିବା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ଶହେ ଭଳି ଡାକ୍ତରଙ୍କ ନିଯୁକ୍ତିକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ଭଦ୍ରକ ଡାକ୍ତରଖାନାରେ ଡାକ୍ତରମାନେ କିଭଳି ରୋଗୀସେବା କରୁଛନ୍ତି, ତାହାକୁ ନେଇ ଜିଲାପାଳ ଦିଲ୍ଲୀପ ରାଉତରାୟ ଗତକାଲି ରାତିଅଧରେ ଡାକ୍ତରଖାନାରେ ପହଂଚି ଡାକ୍ତର ନଥିବାର ଦେଖି ଆକ୍ସନ ମୋଡରେ ରହିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଲୋକଙ୍କର ଅଭିଯୋଗ ପାଇ ଜିଲାପାଳ ଶ୍ରୀ ରାଉତରାୟ ଗତକାଲି ରାତି ଅଧରେ ଭଦ୍ରକ ଗେଲପୁରସ୍ଥିତ ଜିଲା ମାତୃ ଓ ଶିଶୁ ମଙ୍ଗଳ ୟୁନିଟ୍ (ନୂଆ ଡିଏଚ୍‌ଏଚ) ରେ କାର୍ଯ୍ୟ କରୁଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଶିଶୁ ବିଭାଗରେ ପହଂଚିଥିଲେ। ସହର ଠାରୁ ଏହି ଡାକ୍ତରଖାନାଟି ଦୂରରେ ଥିବାରୁ ଏଠାକୁ ଅଧିକାଂଶ ଡାକ୍ତର ଆସୁନଥିବାର ଅଭିଯୋଗ ହୋଇଥିଲା। ରାତିରେ ଶିଶୁଙ୍କୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ପୁଣି ସେଠାରୁ ନୂତନ ଡାକ୍ତରଖାନାକୁ ନିଆଯାଇଥାଏ। ଏଭଳି ପରିସ୍ଥିତିରେ ଗତକାଲି ଡାକ୍ତର ନଥିବା ନେଇ ଜିଲାପାଳ ଶ୍ରୀ ରାଉତରାୟଙ୍କୁ ସୂଚନା ମିଳିଥିଲା। ସେ ସେଠାରେ ପହଂଚି ଦାୟିତ୍ୱରେ ଥିବା ଡାକ୍ତରଙ୍କ ଅନୁପସ୍ଥିତି ଦେଖି ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟ କରୁନଥିବା ସମସ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। କିନ୍ତୁ ବାସ୍ତବରେ ଜିଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ମୂଳେ ଜିଲାର ମୁଖ୍ୟ ଚିକିତ୍ସାଳୟ ସମେତ ୭ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଂଚଳିକ ଡାକ୍ତର ଖାନା, ସହରାଂଚଳ ଡାକ୍ତରଖାନା ଓ ୫୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ୬୩ଟି ଡାକ୍ତରଖାନା ରହିଥିବାବେଳେ ଏଗୁଡିକରେ ବିଭିନ୍ନ ପଦପଦବୀରେ ୩୮୦ଟି ଡାକ୍ତର ପଦବୀ ଅନୁମୋଦନ କରାଯାଇଛି। ମାତ୍ର ଏଗୁଡିକରେ ଏବେ ମୋଟ ୧୨୮ ଜଣ ଡାକ୍ତର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ବହୁ ଡାକ୍ତର ବିନା ନୋଟିସ୍‌ରେ ଅନୁପସ୍ଥିତ ଥାଇ ଉଚ୍ଚତର ଶିକ୍ଷାପାଇଁ ଚାଲିଯାଇଥିବାରୁ ଜିଲାରେ ପ୍ରାୟ ଶହେ ଭଳି ଡାକ୍ତର ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଅନୁରୂପ ଭଦ୍ରକ ଡାକ୍ତରଖାନାର ଆଉଟଡୋର ଓ ଇନଡୋର ଉପରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାରୁ ଏହାର ପରିସ୍ଥିତି ଏବେ ସଂଗୀନ ହୋଇପଡିଛି। ମୁଖ୍ୟ ଚିକିତ୍ସାଳୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅତିରିକ୍ତ ଜିଲା ଚିକିତ୍ସାଧିକାରୀଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ସମେତ ୧୭୧ ଟି ଅନୁମୋଦିତ ପଦବୀ ରହିଥିବାବେଳେ ମାତ୍ର ୨୯ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ଆଖି ଆଗରେ ରଖି ତତ୍‌କାଳୀନ ସରକାର ଜିଲାରେ ଅଧିକ ୫୪ ଜଣ ନୂଆ ଏମ୍‌ବିବିଏସ୍ ଡାକ୍ତର ନିଯୁକ୍ତି କରିଥିଲେ। ମାତ୍ର ସେଥିରୁ ୩୨ ଜଣ କାର୍ଯ୍ୟରେ ଯୋଗ ଦେଇଥିବାବେଳେ ଅଧିକାଂଶ ଚାକିରୀ ଛାଡି ଚାଲିଯାଇଥିବାବେଳେ କେତେକ ଉଚ୍ଚତର ଶିକ୍ଷା (ପିଜି) କରିବାକୁ ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଏବେବି ମାତ୍ର ୧୧ ଜଣ ଡାକ୍ତର ରହିଛନ୍ତି। ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଏହି ଜିଲାର ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ମଧ୍ୟ ନକହିବା ଭଲ। ଚାନ୍ଦବାଲି, ଆଗରପଡାରେ ଦୀର୍ଘବର୍ଷ ହେବ ଜିଲା ଡାକ୍ତରଖାନା ଅଧୀକ୍ଷକଙ୍କ ପଦବୀ ଫାଙ୍କା ପଡିଥିବାବେଳେ ଉପରୋକ୍ତ ଡାକ୍ତର ମରୁଡି କାର୍ଯ୍ୟ କରୁଥିବା ମୁଷ୍ଟିମେୟ ଡାକ୍ତରଙ୍କ ଉପରେ ଅଧିକ ଚାପ ସୃଷ୍ଟି କରୁଛି। ଜିଲାବାସୀ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେବ ଦାବି କରିଆସୁଥିବାବେଳେ ଜିଲାରେ ଏଭଳି ଡାକ୍ତର ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଓ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। ତତ୍‌କାଳୀନ ବିଜେଡି ସରକାରଙ୍କ ସମୟରେ ବର୍ତମାନର ନେତୃତ୍ୱ ହାତେଇଥିବା ଯେଉଁ ନେତାମାନେ ସେତେବେଳେ ବିରୋଧୀ ଭୂମିକାରେ ଗଗନ ପବନ ଫଟାଉଥିଲେ, ଏବେ ସେମାନେ ଜିଲାବାସୀଙ୍କ ସମସ୍ୟା ପ୍ରତି ଆଖି ବୁଜିଦେବା ଘଟଣା ଲୋକଙ୍କ ମାନସିକତା ଉପରେ ଆଘାତ ସୃଷ୍ଟି କରିଛି। ତେବେ ଜିଲାରେ ନୂତନ ଡାକ୍ତରଖାନାର ଶୁଭାରମ୍ଭ ଖୁବଶୀଘ୍ର ହେବାକୁ ଯାଉଛି। ଏବେଠୁ ଏହାର ଶ୍ରେୟ ନେବାକୁ ରାଜନୈତିକ ସ୍ତରରେ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଜୟଯୁକ୍ତ ହୋଇଥିବା ଜନ ପ୍ରତିନିଧିମାନେ ଲୋକଙ୍କ ମୌଳିକ ସେବା ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଚୁପ୍ ରହିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.