Home ଜିଲ୍ଲା ପରିକ୍ରମା ପୁଲିସ୍‌ର ନିଷ୍କ୍ରିୟତା ଭଦ୍ରକ ଜିଲାରେ ଧଳା ହଜାର ଗ୍ୟାଙ୍ଗକୁ ସକ୍ରୀୟ କରୁଛି, ୧୦୫ ଗ୍ରାମ ବ୍ରାଉନସୁଗାର...

ପୁଲିସ୍‌ର ନିଷ୍କ୍ରିୟତା ଭଦ୍ରକ ଜିଲାରେ ଧଳା ହଜାର ଗ୍ୟାଙ୍ଗକୁ ସକ୍ରୀୟ କରୁଛି, ୧୦୫ ଗ୍ରାମ ବ୍ରାଉନସୁଗାର ଜବତ, ନାବାଳକ ସମେତ ୩ ଗିରଫ

25

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ଭଦ୍ରକ ଜିଲା ଧୀରେ ଧୀରେ ଧଳା ଜହରର ହବ୍ ପାଲଟିବାକୁ ଯାଉଛି। କାହିଁକିନା ନିକଟରେ ଏସ୍‌ଟିଏଫ୍ ଟିମ୍ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ କରି ଜିଲା ପୁଲିସ୍ ପ୍ରଶାସନର ଅପାରଗତାକୁ ପଦାରେ ପକାଇଥିଲା। ତେବେ ଘଟଣା ଏତିକିରେ ସୀମିତ ରହିନାହିଁ। ପ୍ରତିମାସ ଜିଲା ପୁଲିସ୍ ପ୍ରଶାସନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନ ସମେତ ଏହି ରାକେଟ୍ ତାର ବ୍ୟବସାୟର ମୁଖ୍ୟ ମାଧ୍ୟମ କରିଥିବା ୧୬ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଧଳା ଜହର ଜବତ କରିଆସୁଥିଲେ ମଧ୍ୟ ଏହା ଥମିବାର ନା ଗନ୍ଧ ଧରୁନାହିଁ। ବିଶେଷକରି ଚରମ୍ପା ଅଂଚଳର କେତେକ ମାଫିଆ ଏହାକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଏହାର ଶାଖା ଜିଲାର ବିଭିନ୍ନ ଅଂଚଳକୁ ଖେଳାଇ ସାରିଛନ୍ତି। ଯାହାଫଳରେ କଲେଜ ପଢୁଆ ଛାତ୍ରଙ୍କ ଠାରୁ ଆରମ୍ଭ କରି ବହୁ ଯୁବଗୋଷ୍ଠୀ ଏହାର ଶୀକାର ହୋଇ ଚାଲିଛନ୍ତି। ଗତକାଲି ରାତିରେ ପୁଣି ଥରେ ଏଭଳି ଏକ ରାକେଟ୍‌କୁ ଠାବ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍। ଏ ସଂପର୍କରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଏମ୍‌ଭିଆଇ ଚେକିଂ କରୁଥିବା ସମୟରେ ରାଣୀତାଲ ଛକ ନିକଟରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ଆପାଚି ମୋଟର ସାଇକେଲ୍‌ର ଦୁଇଜଣ ଯୁବକ ବିନା ହେଲମେଟ୍‌ରେ ଆସୁଥିବାର ଦେଖି ସନ୍ଦେହରେ ଅଟକାଇଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୦୫ ଗ୍ରାମ ଓଜନର ବ୍ରାଉନସୁଗାର ସହ ଗୋଟିଏ ଛୁରୀ, ୨ଟି ମୋବାଇଲ୍‌, ୩୦୦ ଟି ଖାଲି ପୁଡିଆ ଓ ନଗଦ ୨ ହଜାର ଟଙ୍କା ଜବତ କରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ବଉଳପୋଖରୀର ବିଜୟ ମଲ୍ଲିକଙ୍କ ପୁତ୍ର ଅନୀଲ (୨୫) ଓ ଗଣେଶ ମଲ୍ଲିକଙ୍କ ପୁତ୍ର ଉମାକାନ୍ତ ଓରଫ ଚୁଇଁ (୨୨)। ଏମାନଙ୍କ ସମେତ ଜଣେ ନାବାଳକକୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏହି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୨୫/୨୨, ୧୮୪/୨୨, ୩୧୫/୨୨ ରେ ତିନୋଟି ମାମଲା ରହିଥିବାବେଳେ ଗତକାଲିର ଘଟଣାରେ କେଶ୍ ନଂ ୪୦୧/୨୨, ଦଫା ୨୧ (ବି) / ୨୯ ଏନ୍‌ଡିପିଏସ୍ ଆକ୍ଟ ମୂଳେ ମାମଲା ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.