Home ଓଡ଼ିଶା ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ

ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ

33

ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲଡ଼ ଏୟାରପୋର୍ଟ। ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ହେବ ଏୟାରପୋର୍ଟ। ଇତି ମଧ୍ୟରେ ଇଡକୋର ଏକ ୩ ଜଣିଆ ଟିମ୍ ପୁରୀ ଆସି ଜମି ଅଧିଗ୍ରହଣ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଥିବାରୁ ସବୁ ପ୍ରତିବନ୍ଧକକୁ ଦୂର କରି ଖୁବଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପୁରୀରେ ହେବ ଆର୍ନ୍ତଜାତୀୟ ବିମାନ ବନ୍ଦର। ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆର ଏକ ପ୍ରତିନିଧି ଦଳ ପୁରୀ ଆସି ସ୍ଥାନ ଦେଖିବା ପରେ ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ ହୋଇଛି। ଗିରଳ ଛକଠାରେ ଥିବା ପ୍ରାୟ ୧୫୦୦ ଏକର ଜମି ଚିହ୍ନଟ ହୋଇଛି। ପୂର୍ବରୁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପୁରୀ ଆସୁଥିଲେ। କିନ୍ତୁ ଏବେ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ପର୍ଯ୍ୟଟକ ମାନେ ଆଉ ଭୁବନେଶ୍ୱରରେ ନଓହ୍ଲାଇ ପୁରୀକୁ ସିଧାସଳଖ ଆସିପାରିବେ। ଏହାଦ୍ବାରା ପର୍ଯ୍ୟଟନଶିଳ୍ପ ସହ ଜଡିତ ବ୍ୟବସାୟୀ ମାନେ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇପାରିବେ। ଅନ୍ୟପକ୍ଷରେ ପୁରୀରେ ବିମାନ ବନ୍ଦର ନିର୍ମାଣକୁ ନେଇ ସାଧାରଣରେ ସ୍ୱାଗତ କରାଯାଇଛି।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପରାମର୍ଶକୁ ଭିତ୍ତି କରି ଆବଶ୍ୟକୀୟ ସର୍ଭେ ପାଇଁ ରାଜ୍ୟ ସରକାର ୧୭ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହି ଅର୍ଥ ପାଇବା ପରେ ଡିଆରଏସ୍ ନାମକ ସ୍ଵୀକୃତ ପ୍ରାପ୍ତ ସଂସ୍ଥା ଦ୍ବାରା ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି। ଏଥିସହ ଏରୋଡ୍ରମ ସର୍ଭେ, ପ୍ରସ୍ତାବିତ ବିମାନ ଅବତରଣ ସ୍ଥାନ (run way), ବିମାନବନ୍ଦର ନିୟନ୍ତ୍ରଣ କକ୍ଷ, ନକ୍ସା ପ୍ରସ୍ତୁତି, ଗାଡ଼ି ପାର୍କିଂ, ବିମାନ ବିଶ୍ରାମସ୍ଥଳ ସ୍ଥାନ ଚିହ୍ନଟ କରାଯାଉଛି। ଖୁବଶୀଘ୍ର ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଜମି ଅଧିଗ୍ରହଣ, ଟେକ୍ନୋ ଫେସିବିଲିଟି ସର୍ଭେ ଓ ସମସ୍ତ ଅନୁମତି ହାସଲ ପରେ ଖୁବଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲଡ଼ ଏୟାରପୋର୍ଟ କାମ ଆରମ୍ଭ ହେବ। ଆସନ୍ତା ଦୁଇବର୍ଷ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.