Home ଜିଲ୍ଲା ପରିକ୍ରମା ପୁଣି ଡରାଇଲା କରୋନା ସଂକ୍ରମଣ, ଲକ୍‌ଡାଉନକୁ ନେଇ ସହରବାସୀ ଆତଙ୍କିତ, ତଥାପି ମାନୁନାହାନ୍ତି କଟକଣା, କଠୋର...

ପୁଣି ଡରାଇଲା କରୋନା ସଂକ୍ରମଣ, ଲକ୍‌ଡାଉନକୁ ନେଇ ସହରବାସୀ ଆତଙ୍କିତ, ତଥାପି ମାନୁନାହାନ୍ତି କଟକଣା, କଠୋର ଆଭିମୁଖ୍ୟ ଗ୍ରହଣ କଲା ପ୍ରଶାସନ

71

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଡରାଇଲାଣି କରୋନା ସଂକ୍ରମଣ । ସମ୍ଭାବ୍ୟ ଲକ୍‌ଡାଉନକୁ ନେଇ ସହରବାସୀ ଆତଙ୍କିତ । ପ୍ରଶାସନ ମଧ୍ୟ ଚିନ୍ତାରେ । ଆଜି ଗଣମାଧ୍ୟମକୁ ଶାସକ ଦଳର ବରିଷ୍ଠ ସଦସ୍ୟ ଦିନ କର୍ଫ୍ୟୁ ସମ୍ପର୍କରେ ବିବୃତ୍ତି ରଖିବା ପରେ ଏପରି ଆଶଙ୍କା ବଢ଼ି ଯାଇଛି । ତଥାପି ସରକାରଙ୍କ କୋଭିଡ କଟକଣାକୁ ମାନୁ ନାହାନ୍ତି ସହରବାସୀ । ଇତିମଧ୍ୟରେ ପ୍ରଶାସନ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଗୋଟେ ପଟେ ଟୀକାକରଣ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିବାବେଳେ, ବିଭିନ୍ନ ବ୍ଲକ ପ୍ରଶାସନ ଓ ପୌର ପ୍ରଶାସନ ସହ ଘନଘନ ବୈଠକ କରି ଏଦିଗରେ ଅମାନିଆଙ୍କୁ ସାବାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟ୍ୟୁଟ୍ କରି କେତେକ କୋଭିଡ କଟକଣାକୁ ଅଧିକ କଠୋର କରାଯାଇଥିବାର ନିର୍ଦ୍ଦେଶାନାମା ଜାରୀ କରିଛନ୍ତି । ଜିଲାପାଳ ଜାରୀ କରିଥିବା ନିର୍ଦ୍ଦେଶାନାମା ଅନୁଯାୟୀ ସମସ୍ତ ଧାର୍ମିକ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରୀ କରାଯାଇଛି । ଚଳିତ ଏପ୍ରମିଲ ମାସ ରାମ ନବମୀ, ହନୁମାନ ଜୟନ୍ତୀ, ମହା ବିଷୁଭ ସଂକ୍ରାନ୍ତି, ଝାମୁଯାତ୍ରା, ପବିତ୍ର ରମଜାନ, ଛୋଟେ ସରକାର ବାବାଙ୍କ ବାର୍ଷିକ ଉସବବ ପଡ଼ୁଥିବାରୁ ଏସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ଓ ବିନା ଶ୍ରଦ୍ଧାଳୁଙ୍କ ସମାଗମରେ କରାଯିବାକୁ ନିର୍ଦ୍ଦେଶ ଜାରୀ ହୋଇଛି । ସେହିପରି ବିଭିନ୍ନ ମଠ, ମନ୍ଦିର, ମସଜିଦ, ଖାନକା, ଚର୍ଚ୍ଚ ପରିସରରେ ପାରମ୍ପରିକ ପୂଜାର୍ଚ୍ଚନା ସିମୀତ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଷ୍ଠିତ ହେବ । ଅନୁରୂପ ଦଣ୍ଡ ଯାତ୍ରାରେ ସର୍ବାଧିକ ୨୫ଜଣ ଯୋଗଦେବାକୁ କୁହାଯାଇଛି ।

ସେହିପରି ବିବାହ ଉତ୍ସବରେ ଶହେ, ମୃତ୍ୟୁକାଳୀନ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଭାଗନେବାକୁ ତାହା ପୁଣି ସ୍ଥାନୀୟ ଥାନାଧିକାରୀଙ୍କ ଅନୁମତିରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପ୍ରକାର ସମ୍ମିଳନୀ, ଶିକ୍ଷାନୁଷ୍ଠାନର ରୌପ୍ୟ, ସୁବର୍ଣ୍ଣ, ହରକ ଜୟନ୍ତୀ ପରି କାର୍ଯ୍ୟକ୍ରମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ତେବେ କୌଣସି ଜରୁରୀକାଳୀନ କାର୍ଯ୍ୟକ୍ରମ ଉପଜିଲାପାଳଙ୍କ ଅନୁମତି କ୍ରମେ କରାଯାଇ ପାରିବ ବୋଲି କୁହାଯାଇଛି । ତେବେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ ପୌର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରବିବାର ଛୁଟିଦିନ ଥାଇ ମଧ୍ୟ ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ବିଭିନ୍ନ ଜନଗହଳୀପୂର୍ଣ୍ଣ ମାର୍କେଟରେ ନିଜର ଏନଫୋର୍ସମେଣ୍ଟ ଟିମ ସହିତ ପହଞ୍ଚିଛନ୍ତି । ମାଛ ମାର୍କେଟ, ପରିବା ମାର୍କେଟ, ଏକତା ମାର୍କେଟ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲରେ ପହଞ୍ଚି ବ୍ୟବସାୟୀ ଓ ଲୋକମାନଙ୍କୁ କୋଭିଡ କଟକଣା ବିଶେଷ କରି ମାସ୍କ ପରିଧାନ ଓ ସେନିଟାଇଜର ବ୍ୟବହାର ଦିଗ ଉପରେ ସତର୍କ କରାଇଛନ୍ତି । ଅପରପକ୍ଷେ କୋଭିଡ କଟକଣାକୁ କଡାକଡି ପାଳନ ପାଇଁ ପ୍ର।।ସନ ପକ୍ଷରୁ ଗଠିତ ଏନଫୋର୍ସମେଣ୍ଟ ଟିମ ଓ ପୁଲିସକୁ ଯଥେଷ୍ଟ କ୍ଷମତା ପ୍ରଦାନ କରାଯାଇଛି । ଏପରିପ୍ରେକ୍ଷୀରେ ଜିଲାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ।

ଗତକାଲି ସୁଦ୍ଧା ୭୪ ହଜାର ୮୦୩ ବରିଷ୍ଠ ନାଗରିକଙ୍କ ସମେତ ୧ଲକ୍ଷ ୧୧ହଜାର ୪୨୫ଜଣ କୋଭିସିଲ୍ଡର ପ୍ରତମ ଡୋଜ ନେଇ ସାରିଥିବା ସୂଚନା ଦିଆଯାଇଛି । ଗତମାସର ପ୍ରତମାର୍ଦ୍ଧ ଜିଲା କରୋନା ଶୂନ୍ୟ ରହିବା ପରେ, ଏହା ପର ଠାରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଜି ପୁଣି ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ସତ୍ତ୍ୱେ ସହରବାସୀଙ୍କ ମଧ୍ୟର ସଚେତନତା ପରିଲକ୍ଷିତ ହେଉ ନାହିଁ । ଅଧିକାଂଶ ମାସ୍କ ପରିଧାନ କରୁ ନାହାନ୍ତି କିମ୍ବା ସାମଜିକ ଦୂରତ୍ୱ ବଜାୟ ରଖୁ ନାହାନ୍ତି । ତେଣୁ ପରିସ୍ଥିତି ଗତବର୍ଷ ପରି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ କେବଳ ସହର ନୁହେଁ, ସମଗ୍ର ଜିଲାବାସୀ ସଚେତନ ବେହାର ଆବଶ୍ୟକତା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.