ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣବର୍ଷା ଯୋଗୁ ପୁଣି ଆରଡି ଅଂଚଳରେ ବୈତରଣୀନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଉଛୁଳିବାରେ ଲାଗିଛି। ଆଖୁପଦା ନିକଟରେ ବୈତରଣୀନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ଲଗାଣବର୍ଷା ଓ ପୂର୍ଣ୍ଣିମାତିଥି ପାଇଁ ସମୁଦ୍ର ଜୁଆରିଆ ଥିବାରୁ ନଦୀର ଜଳସ୍ତର ବଢିବା ସହ ବିଭିନ୍ନ ଏସକେପ ଓ ନଈଯୋର ଦେଇ ଚାଷଜମିକୁ ମାଡିଚାଲିଛି। ଗତ ୫ଦିନ ତଳେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରୁ ଆରଡି ସମେତ ବୋଡକ, ମୁଆଁ, ଷାଠିବାଙ୍କୁଡା, ଅମୃତମଣୀ, ଦୋହରାପାଟଣା, ସୁନ୍ଦରପୁର, ଶୀତଳପୁର, ପାଲଟପୁର ଆଦି ଅଂଚଳର ଶହଶହ ଏକର ସାରଦଧାନ ତଳି ବୁଡିଯାଇଥିଲା। ଏବେ ବୈତରଣୀନଦୀର ଉପରମୁଣ୍ଡରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ କୁଆଖିଆପଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ବୋଡକ ନିକଟରେ ବୁଡିଯିବା ଆଶଙ୍କା ଦେଖାଦେଇଥିବାରୁ ଜାତୀୟରାଜପଥ ବିଭାଗ ପକ୍ଷରୁ ରାସ୍ତାର ସୁରକ୍ଷା ପାଇଁ ନଦୀ କଡରେ କେଇଖଣ୍ଡ ବାଉଁଶ ଓ ବାଲିବସ୍ତା ପକାଯାଇଛି। ଉକ୍ତ ରାସ୍ତା ଦୀର୍ଘବର୍ଷ ହେବ ବୈତରଣୀ ବନ୍ଯାରେ ଧୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇନଥିବାରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକ ବର୍ଷାଦିନ ଆସିଲେ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି। ଏପରିକି ବୈତରଣୀନଦୀର ଛୋଟବଡ ବନ୍ୟାରେ ବିଛିନ୍ନ ରାସ୍ତା ବିଛିନ୍ନ ହୋଇଯାଉଛି।








