ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ଯୁବନେତା ଶୁଭେନ୍ଦୁ ରାୟ ମହାପାତ୍ର ଆଜି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏ ସଂପର୍କରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ସେ ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଦଳ ପାଇଁ କାର୍ଯ୍ୟ କରିସାରିବା ପରେ ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପରିସ୍ଥିତିରେ ସ୍ୱତନ୍ତ୍ର ଭାବେ ସମାଜ ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇଥିବାରୁ ଏଭଳି ପନ୍ଥା ବାଛିଛନ୍ତି। ଏଠାରେ ସୂଚନାଯୋଗ୍ୟ ଶ୍ରୀ ମହାପାତ୍ର ଛାତ୍ର କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଭାବେ ନିର୍ବାଚିତ ହେବା ଠାରୁ ଆରମ୍ଭ କରି ଭଦ୍ରକ ନଗର କଂଗ୍ରେସ କମିଟିର ସଭାପତି, ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଓ ମୁଖପାତ୍ର ଭାବେ ବିଭିନ୍ନ ସମୟରେ ଦାୟିତ୍ୱ ନିର୍ବାହ କରି ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ତେଣୁ ସେ ସେଥିପାଇଁ କଂଗ୍ରେସ ଦଳକୁ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନରେ ଐତିହାସିକ ଭଦ୍ରକ ଜିଲା ଓ ଓଡ଼ିଶା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ପୁରୁଷାର୍ଥ କରିବା ନିମନ୍ତେ ଶତଚେଷ୍ଟିତ ରହିବେ ବୋଲି ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଏବଂ ତାହା ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ଏହି ଇସ୍ତଫା ପତ୍ରର ଏକ କପି ଭଦ୍ରକ ଜିଲା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନିକଟକୁ ପଠାଇଥିବାର ଜଣାପଡିଛି।








