ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ଗ୍ରାମର ଖାଦ୍ୟସୁରକ୍ଷା ଯୋଜନା ହିତାଧିକାରୀ ମହିଳା ଓ ପୁରୁଷ ଅକ୍ଟୋବର ଓ ନଭେମ୍ବର ମାସର ଚାଉଳ, ଗହମ ଓ ଚଣା ହଡପ କରାଯାଇଥିବା ଅଭିଯୋଗ କରି ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ସମ୍ମୁଖରେ ଶୁକ୍ରବାର ଧାରଣା ଦେଇଥିଲେ । ଗତ ଅକ୍ଟୋବର ୨୮ ତାରିଖରେ ଡିଲର ବିଷ୍ଣୁ ମଳ୍ଲିକଙ୍କୁ ପରିବହନ ଠିକାଦାର ରାସନ ସମଗ୍ରୀ ଯୋଗାଇ ଦେଇଥିବା ନେଇ କାଗଜପତ୍ରରୁ ପ୍ରମାଣ ମିଳିଛି । ହେଲେ ଡିଲରଙ୍କ ପକ୍ଷରୁ ତାହା ବିତରଣ କରାଯାଇନାହିଁ କି ଗୋଦାମ ଘରେ ମହଜୁଦ ରଖାଯାଇ ନାହିଁ । ତୁରନ୍ତ ଡିଲର ଏହି ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇବାକୁ ଦାବି କରି ଗ୍ରାମର ମହେନ୍ଦ୍ର ନାୟକ, ବୈକୁଣ୍ଠ ବାରିକ, ଜଗବନ୍ଧୁ ନାୟକ, ଭରତ ମଲ୍ଲିକ, ପ୍ରମିଳା ପଣ୍ଡା, ପ୍ରଭାତୀ ସାହୁ, ବର୍ଷାରାଣୀ ଲେଙ୍କା, ଲକ୍ଷ୍ମୀପ୍ରିୟା ମଲ୍ଲିକ, ମନୋରଞ୍ଜନ ବେହେରା, ପୀତବାସ ପଣ୍ଡା, ବିଦ୍ୟାଧର ମଲ୍ଲିକ, ଶୁଭେନ୍ଦୁ ଜେନା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀ ଧାରଣା ଦେଇଛନ୍ତି । ଧାରଣାରତ ହିତାଧିକାରୀମାନଙ୍କ ନିକଟକୁ କୌଣସି ଅଧିକାରୀ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଧାରଣା ଅବ୍ୟାହତ ରହିବ ବୋଲି ହିତାଧିକାରୀମାନେ କହିଛନ୍ତି । ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ଯିବେ ବୋଲି ବିଡିଓ ବିଜୟ କୁମାର ସାହୁ ମତ ରଖିଥିବା ବେଳେ ଲିଖିତ ଅଭିଯୋଗ ମିଳିଲେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ମତ ରଖିଛନ୍ତି ।