![BIRANCHI NARAYAN MADIR GUNDUNI MELA](https://odiapua.com/wp-content/uploads/2025/02/BIRANCHI-NARAYAN-MADIR-GUNDUNI-MELA-640x481.jpg)
ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ପାଳିଆବିନ୍ଧା ସ୍ଥିତ ଐତିହାସିକ ବିରଂଚିନାରାୟଣ ପୀଠରେ ଗୁଣ୍ଡୁଣୀମେଳା ଗୁରୁବାର ଆରମ୍ଭ ହୋଇଛି। ଗୁଣ୍ଡୁଣି ଯାତ୍ରା ପାଇଁ ପ୍ରଭୁ ବିରଂଚି ନାରାୟଣଙ୍କୁ ବଡସିଂହାର ବେଶରେ ବିଭୂଷିତ କରାଯାଇଥିଲା। ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭୋରୁ ଶହଶହ ଶ୍ରଦ୍ଧାଳୁଙ୍କର ମନ୍ଦିରରେ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ପ୍ରସିଦ୍ଧ ମନୋହରୀ ଭୋଗ ଅର୍ପଣ କରିଥିଲେ। ଗୁଣ୍ଡୁଣୀ ଯାତ୍ରାର ବିଶେଷତ୍ୱ ହେଉଛି ଭକ୍ତମାନେ ଫୁଲଛତା ମାନସିକ କରି କୁଷ୍ଠ ଓ ଛଉ ପରି ରୋଗରୁ ମୁକ୍ତ ହୋଇଥାନ୍ତି। ଏହି ଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମାନସିକ ରଖିଥିବା ଫୁଲ ଛତା ସମର୍ପଣ କରିଥାନ୍ତି। ଲୋକକଥା ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିରଂଚି ନାରାୟଣଙ୍କ ପୀଠକୁ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ। ସେଥିପାଇଁ ଶ୍ରଦ୍ଧାଳୁମାନେ ଚର୍ମ ରୋଗରୁ ମୁକ୍ତି ପାଇଁ ବିରଂଚି ନାରାୟଣଙ୍କୁ ଫୁଲଛତା ମାନସିକ କରିଥାନ୍ତି। ପ୍ରଭୁ ବିରଂଚି ନାରାୟଣଙ୍କ ପୀଠକୁ ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ବିବେଚନା କରାଯାଏ। ଯଦିଓ କେତେକ ଗବେଷକ ଏହାକୁ ବ୍ରହ୍ମା ମନ୍ଦିର ବୋଲି ଅଭିହିତ କରିଥାନ୍ତି, ମାତ୍ର ବିରଂଚି ନାରାୟଣ କହିଲେ ସୂର୍ଯ୍ୟ ଦେବତାଙ୍କୁ ବୁଝାଏ। ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି। ବେଢାର ଲମ୍ବ ୨୪୦ ଫୁଟ୍ ହୋଇଥିବା ବେଳେ ପାଚେରୀର ଉଚ୍ଚତା ୮ ଫୁଟ୍ ଥିବା ବେଳେ ଉସାର ପ୍ରାୟ ୫ ଫୁଟ୍। ଚାରି ପାଖରେ ୧୬ଟି ଚକ ଲାଗିଛି। ଏଠାରେ ଚତୁର୍ମୁଖୀ ବ୍ରହ୍ମାଙ୍କ ଭଗ୍ନ ବିଗ୍ରହ ପୂଜା ପାଇ ଆସୁଛନ୍ତି। ଏହି ମନ୍ଦିରରେ ଚାରୋଟି ଦ୍ୱାରଦେଶ ରହିଛି। ଶ୍ରୀଜଗନ୍ନାଥ ଓ ଶିବ ମନ୍ଦିର ମଧ୍ୟ ଏହାର ବେଢାରେ ରହି ପୂଜିତ ହୋଇଆସୁଛନ୍ତି। ଚଳିତ ବର୍ଷ ବିରଂଚିନାରୟଣଙ୍କ ପୂଜକ ଭାବେ ରବିନାରାୟଣ ପଣ୍ଡା, ଶଙ୍କର ନାରାୟଣ ପଣ୍ଡା, କମଳଲୋଚନ ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା ପୂଜା କାର୍ଯ୍ୟ ସମ୍ପନ୍ନ କରୁଛନ୍ତି। ଶ୍ରୀ ବିରଚିଂ ନାରାୟଣ ଚୁନଭାଟି ମେଳନ କମିଟିର ସଭାପତି ଚକ୍ରଧର ରାଉତ, ସମ୍ପାଦକ ତାରାକାନ୍ତ ପଲାଇ, ବିଜୟ କୁମାର ପାତ୍ର, ଗଦାଧର ରାଉତ, ତପନ କୁମାର ମହାଳିକ, ସରୋଜ କୁମାର ଦାସ, ସେକ୍ ଜୁଗୁନୁ ପ୍ରମୁଖ ମେଳା ପରିଚାଳନାରେ ସହଯୋଗ କରୁଛନ୍ତି। ଏହି ମେଳା ୫ଦିନ ବ୍ୟାପି ଚାଲିବାକୁ ଥିବା ବେଳେ ବହୁ ଦୋକାନ ବଜାର ବସିଛି। ବହୁ ଭକ୍ତଙ୍କ ସମାଗମ ହେଉଛି।