ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାର ବାଉଦପୁର, ସପ୍ତଦଶ ଶତାବ୍ଦୀରୁ ବିଭିନ୍ନ କାରଣରୁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ସାଳନ୍ଦୀ ନଦୀକୂଳରେ ଅବସ୍ଥିତ ଓ ଲୋକମୁଖରେ ପରିଚିତ ବିଦ୍ୟାନଗରୀ ବାଉଦପୁର ପଂଚାୟତ। ଦୁର୍ଗାପୂଜା ଆସିଲେ ବାଉଦପୁରରେ ପାର୍ବଣର ମାହୋଲ ସାଳନ୍ଦୀ ନଦୀକୂଳର କାଶତଣ୍ଡି ଫୁଲର ହସ ସାଙ୍ଗକୁ ସାଳନ୍ଦୀର କାଚକେନ୍ଦୁ ଜଳରେ ବାଉଦପୁର ଗାଁ ତା ମୁହଁ ଦେଖେ। ଏହି ଗାଁର ସ୍ଥାୟୀ ବାସିନ୍ଦାମାନେ ଯିଏ ଯେଉଁଠି ଥାଆନ୍ତି, ଦେଶ ବା ବିଦେଶରୁ ଛୁଟିଆସନ୍ତି ନିଜ ଗାଁ ମାଟିକୁ। ବର୍ଷସାରା ଫାଙ୍କା ଫାଙ୍କା ଦିଶୁଥିବା ବାଉଦପୁର ଗହଳି ହୋଇଉଠେ। ଚଳଚଂଚଳ ହୋଇଯାଏ ସାରା ଗାଁ। ଯା ଦେବୀ ସର୍ବଭୂତେଷୁ, ପବିତ୍ର ମନ୍ତ୍ର ଉଚାରଣ ହୁଏ ବାଉଦପୁର ଗାଁର ପରିବେଶ। ମନେହୁଏ ଏହି ଗାଁଟି ଯେମିତି ପାର୍ବଣ ଅବସରରେ ଛୁଟି କାଟିବାର ଏକ ଆକର୍ଷଣୀୟ ସ୍ଥାନ ପାଲଟିଯାଏ। ଗାଁ ମାଟି ପ୍ରତି ଏମାନଙ୍କର ଶ୍ରଦ୍ଧା ଦେଖିଲେ ଭାରି ଖୁସି ଲାଗେ। କିଏ ଦରିଆ ପାରି ଲଣ୍ଡନ ଓ ଆମେରିକା ଛାଡି ଆସିଛନ୍ତି ତ ଆଉ କେହି ଭାରତର ଯେକୌଣସି ମହାନଗରୀରୁ ଫେରିଆସନ୍ତି ନିଜ ଭିଟାମାଟିକୁ। ଲୋକକଥା ଅନୁଯାୟୀ ଏହି ଗାଁରେ ସପ୍ତଦଶ ଶତାବ୍ଦୀରେ ମୁରଲୀଧର ଦେ ନାମକ ଜଣେ ବ୍ୟକ୍ତି ପ୍ରଥମେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ। ପରେ ତାଙ୍କ ପରିବାରର କୌଣସି ପୁରୁଷ ବଂଶଧର ନରହିବାରୁ ୧୯୪୪ ମସିହାରେ କାଠଜନିତ ମେଢ ସହ ମା’ଙ୍କର ମୃଣ୍ମୟ ମୂର୍ତି ପୂଜା ପରେ ବିସର୍ଜନ କରାଯାଇଥିଲା। ପରବର୍ତୀ ସମୟରେ ଏହି ଗାଁରେ ବସବାସ କରୁଥିବା ଦେ, ଦତ, ଦାସ, ଚାନ୍ଦ ଚାରି ବଂଗୀୟ ପରିବାରଙ୍କ ତରଫରୁ ଏହି ଗାଁରେ ଦୁଇଟି ପୂଜା ପାଳିତ ହୋଇଆସୁଛି। ଏହି ବଂଗୀୟ ପରିବାରର ଲୋକମାନେ ପରମ୍ପରା କ୍ରମେ ଦୁର୍ଗାପୂଜା ପାଳନ କରିଆସୁଛନ୍ତି। ମୁଖ୍ୟତଃ ଏହି ଗାଁର ସର୍ବପୁରାତନ ଅନ୍ନଦା ସିହ୍ନାଙ୍କ ପରିବାର ଏହି ପୂଜା ପାଳନର ନେତୃତ୍ୱ ନେଇ ଆସୁଥିବା କଥା କୁହନ୍ତି ସଂପୃକ୍ତ ଗାଁର ଆଡଭୋକେଟ୍ ବିକାଶ ଚାନ୍ଦ। ସାରା ଗ୍ରାମବାସୀଙ୍କ ଏଥିରେ ସହଯୋଗ ରହିଛି। ସିହ୍ନାଙ୍କ ସେହି ପୁରୁଣା କୋଠାଘର ମଧ୍ୟ ମା’ ଦୁର୍ଗାଙ୍କ ମୂର୍ତି ଓ ମେଢ ପ୍ରତିଷ୍ଠା ହୁଏ।
ସେହିପରି ଚାନ୍ଦ ପରିବାରରେ ମଧ୍ୟ ମଣ୍ଡପରେ ପୂଜା ପାଇଥାନ୍ତି ମା’ ଦୁର୍ଗା। ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଭକ୍ତ ଏକକାଳୀନ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରନ୍ତି। ଆଡଭୋକେଟ୍ ବିକାଶ ଚାନ୍ଦ କୁହନ୍ତି, ଦୁର୍ଗାପୂଜା ହେଉଛି ଆମ ପ୍ରାଚୀନ ପରମ୍ପରାର ସଂକେତ। ତାହାଛଡା ବିଭିନ୍ନ ଆଡେ ବିକ୍ଷିପ୍ତ ହୋଇ ରହିଥିବା ଗ୍ରାମବାସୀମାନଙ୍କର ଏକ ମିଳନ ପୀଠ। ଏଠି ପାରସ୍ପରିକ ଭାବର ଆଦାନ ପ୍ରଦାନ ହୁଏ। ଏହି ଗାଁର ୬୦ ଭାଗ ଲୋକ ଅନ୍ୟ ଆଡେ ରହୁଥିବାରୁ ବର୍ଷସାରା ଗାଁ ମାଟି ମରୁଭୂମି ଭଳି ଲାଗେ। ପୂଜା ଆସିଲେ ଗାଁକୁ ନୂଆ ଜୀବନ ଫେରି ଆସିଲା ବୋଲି ଜଣାପଡେ କୁହନ୍ତି ଆଡଭୋକେଟ୍ ଅରୁଣ କୁମାର ଚାନ୍ଦ। ମହାଷଷ୍ଠୀ ପୂଜା ଠାରୁ ଦଶହରାର ମୂର୍ତି ବିସର୍ଜନ ପର୍ଯ୍ୟନ୍ତ ଯୁବକ ଓ ବୟସ୍କ ନିର୍ବିଶେଷରେ ସମସ୍ତେ ପୂଜା ମଣ୍ଡପରେ ଏକଜୁଟ ହୋଇ ପ୍ରାତଃକାଳରେ ଶ୍ୟାମା ସଂଗୀତ କୀର୍ତନ କରନ୍ତି। ଚାରିଦିନ ଧରି ଏକତ୍ରରେ ଗାଁ ଭୋଜି ହୁଏ। ଆଜିପର୍ଯ୍ୟନ୍ତ ସେହି ପୁରୁଣା ପରମ୍ପରାର ଆମ ଗାଁରେ ପ୍ରଚଳିତ ଅଛି। ପୂଜା ଆମ ଗାଁ ବାସୀଙ୍କ ପାଇଁ ମିଳନର ମଉକା। ଏକାକୀ ଏହି ଚାରଦିନ କାଳ ଆମେ ବେଶ୍ ଉପଭୋଗ କରୁ। ଆମେ ପୂଜାରେ ଗାଁ ଲୋକ ଏକ ସମାବେଶ ଅଧିକ ଥିଲା। ଏବେ ସମୟର ପରିବର୍ତନରେ ବିଭିନ୍ନ ଚାପ ଯୋଗୁଁ ଗାଁକୁ ଫେରିବା ଲୋକଙ୍କ ସଂଖ୍ୟା କମି କମି ଆସୁଛି। ଷଷ୍ଠୀର ବିଲ୍ୱବରଣ ପରେ ସକାଳେ ମା’ଙ୍କୁ ଚକ୍ଷୁଦାନ କରାଯାଇଥାଏ। ମା’ ଦେବୀଙ୍କ ଆଳତୀ ପୂର୍ବରୁ ସଂଗୀତର ଏକ ଆସର ଅନୁଷ୍ଠିତ ହୋଇଥାଏ। ଅନୁଷ୍ଠିତ ଅଷ୍ଟମୀ ଓ ନବମୀରେ ପାରମ୍ପରିକ ଗୀତ ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଅଷ୍ଟମୀ ପରେ ଓ ନବମୀ ମଧ୍ୟବର୍ତୀ ସମୟରେ ସନ୍ଧି ପୂଜା ହୋଇଥାଏ। ବିଭିନ୍ନ ପରିବାର ବର୍ଗ ପ୍ରତିଦିନ ୧୦୮ ଦ୍ୱୀପ ଜାଳି ଆରାଧନା କରିଥାନ୍ତି। ପ୍ରାୟତଃ ସନ୍ଧ୍ୟା ସମୟରେ ଛୋଟ ପିଲା, ଯୁବକ-ଯୁବତୀ ସଂଗୀତ ଓ ନାଚର ପରିବେଷଣ ଏକ ନିଆରା ପରମ୍ପରା। ପୂଜା ମଣ୍ଡପର ଦଶହରା ଦିନରେ ମା’ଙ୍କ ଶାନ୍ତିଜଳ ଗ୍ରାମବାସୀମାନେ ଆଶୀର୍ବାଦ ସହ ନେଇ ବାଉଦପୁର ଗାଁର ଆରାଧ୍ୟା ଦେବତା ଶ୍ୟାମଚାନ୍ଦଙ୍କ ମନ୍ଦିରକୁ ଯାଇ ପ୍ରସାଦ ସେବନ କରିଥାନ୍ତି। ସେହି ପବିତ୍ର ନିଆରା ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରେ। ଶରତର ଆକାଶ, କାଶତଣ୍ଡିର ହସ ସହିତ ବାଉଦପୁର ଗାଁ ଯେମିତି ପାର୍ବଣର ପର୍ବରେ ଖାଲି ମହକୁଥାଏ।