Home ଜିଲ୍ଲା ପରିକ୍ରମା ପାଢୀ ହେଲଥ୍ କେୟାରରେ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର, ଉତ୍ୟକ୍ତ ଭାଇଙ୍କ...

ପାଢୀ ହେଲଥ୍ କେୟାରରେ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର, ଉତ୍ୟକ୍ତ ଭାଇଙ୍କ ଦ୍ୱାରା ନର୍ସିଂହୋମ୍‌ରେ ବ୍ୟାପକ ଭଂଗାରୁଜା, ଉଭୟଙ୍କ ପକ୍ଷରୁ ଥାନାରେ ମାମଲା

12

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକା ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଭଦ୍ରକ ସହରସ୍ଥିତ ‘ପାଢୀ ହେଲଥ୍ କେୟାର’ ନର୍ସିଂହୋମ୍‌ରେ ପ୍ରବଳ ଉତେଜନା ଦେଖାଦେବା ସହ ମୃତକଙ୍କ ଭାଇଙ୍କ ଦ୍ୱାରା ବ୍ୟାପକ ଭଂଗାରୁଜା କରାଯାଇଛି। ଖବର ପାଇ ସହରାଂଚଳ ଥାନା ପୁଲିସ୍ ସମେତ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତକୁ ଆଣିଛନ୍ତି। ତେବେ ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଅସୁରାଳି ଗ୍ରାମର ଦେବସ୍ମିତା ଜେନା ନିଜ ସ୍ୱାମୀ ଓ ଏକ ପୁତ୍ରସନ୍ତାନ ସହ ଦିଲ୍ଲୀରେ ରହିଆସୁଥିଲେ। ଇତିମଧ୍ୟରେ ସେ ପୁନର୍ବାର ଗର୍ଭବତୀ ହେବାରୁ ନିଜ ଶ୍ୱଶୁରଘରକୁ ଫେରିଆସି ପରିବାର ଲୋକଙ୍କ ହେପାଜତରେ ଭଦ୍ରକର ପାଢୀ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିଲେ। ୭ ମାସରୁ ସେ ସେଠାରେ ଦେଖାଇଆସୁଥିବାବେଳେ ଡାକ୍ତର ତାଙ୍କୁ ଆସନ୍ତା ୧୦ ତାରିଖକୁ ଡେଟ୍ ଦେଇଥିଲେ। ମାତ୍ର ଗତକାଲି ତାଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଏଠାକୁ ଆଣି ଡାକ୍ତରଙ୍କ ପରାମର୍ଶ କ୍ରମେ ସିଜରିଂ କରାଇଥିଲେ। କନ୍ୟା ସନ୍ତାନଟିଏ ଜନ୍ମହେବା ପରେ ଦେବସ୍ମିତା ଆଜି ଅସ୍ୱାଭାବିକ ମନେ କରିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ବିଭିନ୍ନ ଔଷଧ ଓ ଇଞ୍ଜେକସନ ଦିଆଯାଇ ବ୍ୟସ୍ତ ନହେବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା। କିନ୍ତୁ ହଠାତ୍ ତାଙ୍କର ଦିନ ପ୍ରାୟ ୧୨.୩୦ରେ ମୃତ୍ୟୁ ହୋଇଥିଲା। ଫଳରେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ପ୍ରବଳ ଉତେଜନା ଦେଖାଦେବା ସହ ତାଙ୍କର ଭାଇ ଏକମାତ୍ର ଭଉଣୀର ମୃତ୍ୟୁ ପଛରେ ଚିକିିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ଜନିତ କାରଣ ବୋଲି ଦର୍ଶାଇ ନର୍ସିଂହୋମ୍ ପରିସରରେ ଫ୍ୟାନ୍‌, ଟେବୁଲ, ଚେୟାର, ବିଭିନ୍ନ ଆସବାବ ପତ୍ର ଭଂଗାରୁଜା କରିବା ସହ ଡାକ୍ତରଙ୍କ କାର୍‌ଟିକୁ ପୁଲିସ୍ ସମ୍ମୁଖରେ ପିଟି ପିଟି ଭାଙ୍ଗିଦେଇଥିଲା। ତେବେ ଏହି ଭଂଗାରୁଜା କରୁଥିବା ଯୁବକଙ୍କୁ ମଧ୍ୟ ନର୍ସିଂହୋମ୍ କର୍ମଚାରୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। ଦେବସ୍ମିତାଙ୍କ ଏହି ଅସ୍ୱାଭାବିକ ମୃତ୍ୟୁ ପଛରେ ହଠାତ୍ ହୃଦଘାତ ଘଟିଥିବାର କଥା କୁହାଯାଇଥିବାବେଳେ ପରିବାର ପକ୍ଷରୁ ଏହାକୁ ଗ୍ରହଣ କରାଯାଇନାହିଁ। ତେବେ ଉଭୟଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.