Home ଓଡ଼ିଶା ପରିବା ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ

ପରିବା ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ

98

ଭଦ୍ରକ, ୧୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ପରିବା ଚାଷୀ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛନ୍ତି। କରୋନା ସଂକ୍ରମଣ ପାଇଁ ଅଧିକାଂଶ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ, ଏଥିରୁ ବାଦ ପଡ଼ିନାହାନ୍ତି ପରିବା ଚାଷୀ। ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ଆଣି ବହୁ କଷ୍ଟରେ ସେମାନେ କରିଥିଲେ ପରିବା ଚାଷ। କିନ୍ତୁ ନିଜ ଉତ୍ପାଦିତ ପରିବାର ଉଚିତ ପ୍ରାପ୍ୟରୁ ସେମାନେ ଏବେ ବଞ୍ଚିତ। ବିକ୍ରୀ କରିବା ପାଇଁ ବଜାର ସୁଯୋଗରୁ ବଞ୍ଚିତ ହୋଇ ବର୍ତ୍ତମାନ ସେମାନେ ଅଭାବୀ ବିକ୍ରୀର ସମ୍ମୁଖୀନ। ବିଶେଷକରି ଗତ ସପ୍ତାହରେ ଭଦ୍ରକ ସହରକୁ ଲକ୍‌ଡାଉନ ଫେରିବା ପରେ ସେମାନଙ୍କ ସମସ୍ୟା ବଢ଼ି ଯାଇଛି।

ମାର୍ଚ୍ଚ ମାସ ୨୫ତାରିଖ ଠାରୁ ଦେଶେଋ ଲାଗି ରହିଛି ଲକ୍‌ଡାଉନ୍। ଏହି କାରଣରୁ ଆନ୍ତରାଜ୍ୟ ପରିବହନ ସେବା ଗଭୀର ଭାବେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ବାହାର ରାଜ୍ୟରୁ ଯେଉଁ ପରିମାଣରେ ପରିବା ସହରକୁ ଆସୁଥିଲା, ତାହା ଆସି ପାରୁ ନଥିଲା। କେବଳ ଆଳୁ, ପିଆଜ ବ୍ୟତୀତ ପ୍ରାୟ ଅନ୍ୟ କୌଣସି ପରିବା ସହରକୁ ଆସୁ ନଥିଲା। ତେଣୁ ସହରର ମୁଖ୍ୟ ବଜାରରେ ପରିବ ସଂକଟ ଦେଖା ଦେଇଥିଲା। ଏପରି ସ୍ଥିତି ଲାଗି ରହିବା ଫଳରେ ସହରବାସୀ ସ୍ଥାନୀୟ ପରିବା ଚାଷୀଙ୍କ ଉତ୍ପାଦିନ ସାମଗ୍ରୀ ଉପରେ ନିର୍ଭରଶୀଳ ଥିଲେ। ଜିଲ୍ଲାର ଭଦ୍ରକ ବ୍ଲକର ଜଳଙ୍ଗା, ଅନ୍ନପାଳ, ରାନ୍ଦିଆ, ଗେଲଟୁଆ, ତିହିଡ଼ି ବ୍ଲକର ଦୋଳସାହି ଅଞ୍ଚଳର ପରିବା ଚାଷୀମାନେ ସହରବାସୀଙ୍କ ଚାହିଦା ମେଣ୍ଟାଇ ଚାଲିଲେ। କିନ୍ତୁ ଲକ୍‌ଡାଉନ ନିୟମ ବଳବତ୍ତର ରହିଥିବା କାରଣରୁ ଏ ସମସ୍ତ ପରିବା ବ୍ୟବସାୟୀମାନେ ନିଜ ନିଜ ଅଞ୍ଚଳରେ ପରିବା ବିକ୍ରୀ ଆରମ୍ଭ କରିଦେଇଥିଲେ। ଫଳରେ ଭଦ୍ରକ ପୌରାଞ୍ଚଳ ସଂଲଗ୍ନ ଗ୍ରାମ ଗୁଡ଼ିକରେ ବହୁ ଅସ୍ଥାୟୀ ପରିବା ହାଟ ସୃଷ୍ଟି ହୋଇଥିଲା। ବାହାର ରାଜ୍ୟରୁ ପରିବା ଆସୁନଥିଲେ ମଧ୍ୟ ସଂପୃକ୍ତ ପରିବା ଚାଷୀମାନେ କିନ୍ତୁ ଲୋକଙ୍କ ଅସୁବିଧାର ଫାଇଦା ନେଇ ନଥିଲେ। ବହୁ କମ୍ ଦାମରେ ପରିବା ବିକ୍ରୀ କରୁଥିଲେ। ଜହ୍ନି, ଭେଣ୍ଡି, କଲରା, ବିନ, କଖାରୁ, ବୋଇତାଳୁ, ବାଇଗଣ, ମକା, ଟମାଟୋ ପରି ବିଭିନ୍ନ ପ୍ରକାର ସଜ ପରିବା ବଜାର ଅପେକ୍ଷା ଅପେକ୍ଷାକୃତ ବହୁ କମ୍ ଦାମରେ ମିଳୁଥିଲା। ତେଣୁ ପୌରବାସୀ ବେଶ ଆନନ୍ଦରେ ସେମସ୍ତ ସ୍ଥାନକୁ ଯାଇ ପରିବା ଆଣୁଥିଲେ। ଇତିମଧ୍ୟରେ ଲକ୍‌ଡାଉନ ନିୟମରେ ଥିବା ବହୁ କଟକଣାକୁ କୋହଳ କରି ଦିଆଯିବା ପରେ ଏସମସ୍ତ ଗ୍ରାମାଞ୍ଚଳ ପରିବା ଚାଷୀ ପୁଣି ସହର ମୁହାଁ ହୋଇଥିଲେ। କିନ୍ତୁ ମାତ୍ର ଅଳ୍ପ କେଇ ଦିନ ମଧ୍ୟରେ ପୁଣି ବଦଳି ଯାଇଛି ସେମାନଙ୍କ ଭାଗ୍ୟ। ପୁଣି ଲକ୍‌ଡାଉନ ଫେରିଛି। କରୋନା ସଂକ୍ରମଣ ଭୟ ମଧ୍ୟରେ ଅଳ୍ପ କେଇ ଘଣ୍ଟା ପାଇଁ ବଜାରକୁ ଯାଇ ପରିବା ବିକିବାକୁ ଆଉ ସେମାନେ ଉଚିତ୍ ମନେ କରୁନାହାନ୍ତି। ପୁଣ ନିଜ ପାଳ ପାଖରେ ପରିବା ବିକ୍ରୀ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ବଜାରରେ ଯେଉଁ ଦାମରେ ପରିବା ବିକ୍ରୀ କରୁଥିଲେ, ସେମାନେ ନିଜ ପାଳ ପାଖରେ ତା’ ଠାରୁ ବହୁ କମ୍ ଦାମରେ ବିକ୍ରୀ କରୁଛନ୍ତି। ଏପରିକି କାକୁଡ଼ି କେଜି ୧୦ ଟଙ୍କ ଓ କଲରା ୨୦ଟଙ୍କା ଓ ବାଇଗଣ କେଜି ୩୦ଟଙ୍କାରେ ମଧ୍ୟ ବିକ୍ରୀ କରିବାକୁ ପଛାଉ ନାହାନ୍ତି। ତେବେ କେତେ ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିବ ଓ ଏହି ପରି ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିବେ, ଗ୍ରାମାଞ୍ଚଳର ଚାଷୀମାନେ ସନ୍ଦିହାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.