ଅନେକ ଦିନ ପରେ ଗାଁ ରେ କିଛି ଦିନ ରହିବାକୁ ପଡିଲା। ମୁଣ୍ଡ ପିଛା ଆୟରେ ସେମିତି କିଛି ଆଖିଦୃଶିଆ ଉର୍ନ୍ନତି ହେଲା ଭଳି ଲାଗୁନଥିଲା କିନ୍ତୁ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ଥିଲା। ସୋସିଆଲ ମେଡିଆରେ ୧୫ ରୁ ୪୦ ବର୍ଷ ବୟସର ବ୍ୟବହାରକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡୁଥିଲା। ସୋସିଆଲ ମେଡିଆ ବ୍ୟବହାରକୁ ନେଇ ସହର ଆଉ ଗାଁ ଭିତରେ ସେମିତି କିଛି ପାର୍ଥକ୍ୟ ଦେଖିବାକୁ ମିଳିଲାନି। କିଏ କାହା ସହିତ ଅଧିକ ମିଳାମିଶା କରିବା ଓ କଥା ହେବାକୁ ପସନ୍ଦ କରୁନଥିଲେ। କିଏ ଫେସବୁକ୍ ରେ ସକ୍ରିୟ ଥିଲେ ତ, କିଏ ହ୍ବାଟସଆପ ରେ, ପୁଣି କିଏ ଇନଷ୍ଟାଗ୍ରାମ ରେ ତ, ପୁଣି କିଏ ୟୁଟ୍ୟୁବ୍ ରେ କେତେ କ’ଣ ଦେଖୁଥିଲେ। ଆମ ଅଂଚଳର ସନିଆ, ଶିକ୍ଷାଗତ ଯୋଗ୍ୟତାରେ ସେ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଛି। ବୟସରେ ମୋ ଠାରୁ ଯଥେଷ୍ଟ କମ୍ କିନ୍ତୁ ସୋସିଆଲ ମେଡିଆରେ ସେ ବହୁ ଆଗରେ। ଫେସବୁକ୍, ହ୍ବାଟସଆପ, ୟୁଟ୍ୟୁବ୍, ପିଣ୍ଟରେଷ୍ଟ, ଟ୍ୱିଟର, ଇନଷ୍ଟାଗ୍ରାମ, ଲିଙ୍କେଡିନ, ମେସେଞ୍ଜର ଓ ସ୍ନାପଚାର୍ଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ନିଜକୁ ଖୁବ ବ୍ୟସ୍ତ ରଖିଥାଏ। ସୋସିଆଲ ମେଡିଆରେ ଲାଇକ ଆଉ କମେଣ୍ଟ ଦେବା ଯେମିତି ତାର ପ୍ରତି ମୁହୂର୍ତର ଏକ ଗୁରୁତ୍ୱପୂର୍ଣ କାମ। ସୋସିଆଲ ମିଡିଆ ତା ପାଇଁ ଏମିତି ଗୋଟେ ଜାଗା ଯେଉଁଠି ସେ ପ୍ରତିଦିନ ନିଜର ନୂଆ କାରାନାମ ପାଇଁ ଚର୍ଚାରେ ଥାଏ। ଦେଶ ବିଦେଶର ଖବର ଠାରୁ ଆରମ୍ଭ କରି କାହାର କ’ଣ ସବୁ ଭାଇରଲ ହେଇଛି ସେ ପ୍ରଥମ ଜାଣିଲା ପରେ ଗାଁ ରେ ଆଉ କିଏ କ’ଣ ଜାଣନ୍ତି। ଯଦି କେହି ସୋସିଆଲ ମେଡିଆ ସମ୍ବଧୀୟ କିଛି ବୁଝିବାର ଥାଏ ସେ ସନିଆକୁ ଦେଖା କରନ୍ତି। ଏକ ବ୍ୟକ୍ତିଗତ କାମରେ ସନିଆକୁ ଗୋଟେ ଦିନ ଫୋନ୍ କଲି କିନ୍ତୁ ସେପଟୁ ଜଣେ କହିଲେ ସେ ବ୍ୟସ୍ତ ଅଛନ୍ତି। ତାପରଦିନ ପୁଣି ଫୋନ୍ କଲି, ସେହି ସମାନ ଉତ୍ତର, ସେ ବ୍ୟସ୍ତ ଅଛନ୍ତି। ଘରେ ଅଛି, ପୁଣି ଏତେ ବ୍ୟସ୍ତ; ଚାକିରୀ ପାଇଗଲା ନା କ’ଣ। ୱାର୍କ ଆଟ ହୋମ ହେଇଥିବ ଭାବି ତାପରଦିନ ତାଙ୍କ ଘରକୁ ଗଲି। ଦେଖିଲି ତାଙ୍କ ଘର ଆଗରେ କିଛି ଲୋକ ଅଛନ୍ତି, ପଚାରିଲି ସନିଆ ଅଛି କି, ଲୋକଟି ଉତ୍ତର ଦେଲା ଆଜି ଟିକେ ବେଶୀ ଗହଳି ଅଛି, ସେ ବ୍ୟସ୍ତ ଅଛନ୍ତି। ମୁଁ ଭାବିଥିଲି ସନିଆ କିଛି ଗୋଟେ ଚାକିରୀ କିମ୍ବା ରାଜନୈତିକ ପଦ ପଦବୀ ପାଇଛି ତେଣୁ ଲୋକମାନେ କିଛି କାମ ପାଇଁ ତା ପାଖକୁ ଆସୁଛନ୍ତି। କିନ୍ତୁ ବୁଝିଲା ବେଳକୁ କଥାଟା ଅଲଗା ପ୍ରକାର। ସୋସିଆଲ ମେଡିଆ ବିଷୟରେ ଯାହାର ଯାହା ଅସୁବିଧା ହଉଛି କିମ୍ବା କିଛି ଜାଣିବା ପାଇଁ ସେମାନେ ସନିଆ ପାଖୁ ଆସନ୍ତି। ସେମାନଙ୍କର ଯାହା ସବୁ ବୁଝିବାର ଥାଏ, ସନିଆ ସେଗୁଡିକୁ ସମାଧାନ କରିଥାଏ।
କିଛି ଦିନର ବ୍ୟବଧାନ ପରେ, ମୋ ହ୍ବାଟସଆପରେ କ’ଣ ଗୋଟେ ଅସୁବିଧା ହେଲା ଯେ ମେସେଜ ସେୟାର ହେଉନଥାଏ। ସନ୍ଧ୍ୟା ବେଳେ ସନିଆ କୁ ଫୋନ୍ କଲି, ସେପଟୁ ଉତ୍ତର ଆସିଲା ସେ ଘରେ ମୋବାଇଲ ଛାଡ଼ିଦେଇ ନଦୀ କୂଳକୁ ଯାଇଛନ୍ତି। ମୁଁ ବି ନଦୀ କୂଳକୁ ଗଲି। ସେଠାରେ କିଛି ଲୋକ ବସିଥିଲେ, ତାଙ୍କ ମଝିରେ ସନିଆ ବସି କହୁଥିଲା, ଆମେ ସୋସିଆଲ ମେଡିଆକୁ ସକରାତ୍ମକ ଦିଗରେ ଦେଖିବାକୁ ଗଲେ ଅନେକ ସୁବିଧା ପାଇଥାଉ। ଭାବର ଆଦାନ ପ୍ରଦାନ, ଜ୍ଞାନ ଆହୋରଣ, ତଥ୍ୟ ଆଦାନ ପ୍ରଦାନ ଓ ଆବଶ୍ୟକତା ଅନୁଯାଇ ସମସ୍ତ ସୂଚନା ପାଇ ପାରୁଛେ। ଦୁନିଆର ଘଟୁଥିବା ସମସ୍ତ ଖବର ପାଉଛେ ଆଉ ଏହା ଆମର କାମକୁ ସହଜ ଓ ସରଳ କରି ଦେଇଛି। ଏହା ଦ୍ୱାରା ଦୂରତା ଆଉ ପ୍ରତିବନ୍ଧକ ହୋଇ ରହି ନାହିଁ କିନ୍ତୁ ସୋସିଆଲ ମେଡିଆ ମାଧ୍ୟମରେ ସମାଜରେ ବିଭିନ୍ନ ପ୍ରକାର ଅଭାବନୀୟ ପରିସ୍ଥିତି ଘଟୁଛି। ଆମେ ବ୍ୟକ୍ତିଗତ ତଥ୍ୟ ସୋସିଆଲ୍ ମେଡିଆରେ ଶେୟାର କରିବା ଦ୍ୱାରା ଆମର ତଥ୍ୟ ସହଜରେ ଠକମାନଙ୍କ ଦ୍ୱାରା ଅପବ୍ୟବହୃତ ହୋଇଥାଏ। ଠକମାନେ ଆମର ସମସ୍ୟାର ସମାଧାନ କରିବା ଛଳରେ ଆମର ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାନ୍ତି। ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆମର ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ ଆମର ଟଙ୍କା ଠକିନେବା। କେବେ ବି ନିଜର ଆକାଉଣ୍ଟ୍ ନମ୍ବର କିମ୍ବା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ୍ ବିବରଣୀ ଶେୟାର କରନ୍ତୁ ନାହିଁ। ଆଉ ଗୋଟେ କଥା, ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଅପବିତ୍ର କରି ସାରିଲେଣି। ନିଜେ ଯାହା ଯାହା ଖରାପ କାର୍ଯ୍ୟ କରୁଛନ୍ତି ତାକୁ ସୋସିଆଲ ମେଡିଆରେ ଭିଡିଓ ଭାଇରାଲ କରି ସମସ୍ତଙ୍କୁ ଦେଖାଉଛନ୍ତି। ଫେକ ଆକାଉଣ୍ଟ ଖୋଲି ଆପତ୍ତିଜନକ ପୋଷ୍ଟିଂ କରିବା ଏବଂ ଅଶ୍ଵିଳ ଫଟୋ ଓ ଭିଡ଼ିଓ ପ୍ରସାରଣ କରିବା ବହୁଳ ଭାବରେ ଦେଖାଯାଏ। ଏହା ଦ୍ୱାରା ସେମାନେ କଳୁଷିତ ହେବା ସହ ସମାଜ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଉଛି। ସୋସିଆଲ ମେଡିଆ ମାଧ୍ୟମରେ ଅନେକ ମିଛ ଖବର ଆସୁଛି। ନିଜ ସ୍ଵାର୍ଥ ପାଇଁ ହେଉ କିମ୍ବା ଅନ୍ୟକୁ ଭୁଆଁ ବୁଲେଇବା ଉଦ୍ଦେଶ୍ୟରେ ହେଉ, ଯିଏ ଯାହା ପାରିଲା ଲେଖିଲା। ଆଜିକାଲି ଏଗୁଡା ନିତି ଦିନିଆ ହେଇଗଲାଣି। ଏ ଦିଗରେ ଆମେ ଟିକେ ସଚେତନ ହେଵା ଦରକାର, ନହେଲା ଏଇ ସୋସିଆଲ ମେଡିଆ ମାଧ୍ୟମରେ ଏ ସମାଜ ଦିନେ ଭାଙ୍ଗିରୁଜି ଛାରଖାର ହୋଇଯିବ। ଏମିତି ହେଲାଣି ଯେ ଆମେ ସୋସିଆଲ ମେଡିଆ ଉପରେ ସମ୍ପୂର୍ଣ ନିର୍ଭରଶୀଳ, ଏହାର ବ୍ୟବହାରକୁ ସମ୍ପୂର୍ଣ ତ୍ୟାଗ କରିବା ଅସମ୍ଭବ। କିନ୍ତୁ ଏହାର ବ୍ୟବହାରକୁ କମାଇ ପାରିବା ନିଶ୍ଚିତ। ଆମକୁ ସତର୍କତା ସହିତ ସୋସିଆଲ ମେଡିଆ ବ୍ୟବହାର କରିବା ଉଚିତ। ଦରକାର ଅନୁଯାଇ ବ୍ୟବହାର କରିବା ସହିତ, ଅଯଥାରେ ସମୟ ଅପଚୟ କରିବା ନାହିଁ। ଖାଲି ସୋସିଆଲ ମେଡିଆକୁ ଦାୟୀ କରିବା ଠିକ୍ ନୁହେଁ। ଏଥିପାଇଁ ଆମର ଚରିତ୍ର ମୁଖ୍ୟତଃ ଦାୟୀ।
ସନିଆ ର ସବୁ କଥା ଶୁଣିଲା ପରେ ମୁଁ ଭାବୁଥିଲି, ଦିନଥିଲା ସେ ସୋସିଆଲ ମେଡିଆ ରେ ସର୍ବଦା ସକ୍ରିୟ ରହୁଥିଲା। ଏବେ କିନ୍ତୁ ତାର ପରିବର୍ତ୍ତନ ଘଟିଛି, କ’ଣ ହେଇଛି କିଛି କହୁନି କିନ୍ତୁ କ’ଣ କିଛି ତ ହେଇଛି ନିଶ୍ଚୟ, ଯେମିତିକି ଅତି ରୁ ଇତି ସଦୃଶ। କିଛି ଗୋଟେ ଶିକ୍ଷା ପାଇଛି ଯାହାଫଳରେ ସୋସିଆଲ ମେଡିଆରେ ଯେତିକି ସମୟ ସେ ବିତାଉଥିଲା ଏବେ ବହୁତ କମେଇ ଦେଇଛି। ଆଉ ସୋସିଆଲ ମେଡିଆ ମାଧ୍ୟମରେ ଘଟୁଥିବା ଅଭାବନୀୟ ପରିସ୍ଥିତି ବିଷୟରେ ସତର୍କ କରେଇବା ସହିତ ଯେତିକି ଦରକାର ସେତିକି ବ୍ୟବହାର ପାଇଁ ଲୋକମାନଙ୍କୁ ପରାମର୍ଶ ଦେଉଛି।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା