ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆ । ସାଳନ୍ଦୀ ନଦୀର କୁଳୁକୁକଳୁ ଶଦ୍ଦ ସାଙ୍ଗକୁ ବହୁ ପୁରାତନ ଆମ୍ବ ଗଛ ଘେରି ରହିଛି ଉକ୍ତ ପଡ଼ିଆକୁ । ଏଥି ସହିତ ବହଳିଆ ସବୁଜ ଘାସ ପଡ଼ିଆକୁ ସବୁ ସମୟରେ ଆକର୍ଷଣୀୟ କରି ଆସିଛି । ସହର ମଧ୍ୟରେ କେବଳ ନେହେରୁ ଷ୍ଟାଡ଼ିୟମକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ଏପରି ଖେଳ ପଡ଼ିଆ ଦେଖିବାକୁ ମିଳେ ନାହିଁ । ବିଶେଷକରି ଏହି ପଡ଼ିଆର ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବାସ୍ତବରେ ନିଆରା । ବହୁ ଜାତୀୟ ଓ ରାଜ୍ୟସ୍ତରର କ୍ରୀଡ଼ାବିତ ଏଠାରେ ନିଜର କ୍ୟାରିଅର ଗଢ଼ିଛନ୍ତି । ବାସ୍କେଟବଲ, କ୍ରିକେଟ, ଆଥଲେଟିକ୍, କବାଡି, ଖୋ ଖୋ, ରୋଲବଲ ପରି ବିଭିନ୍ନ ଖେଳରେ କ୍ରୀଡ଼ାବିତମାନେ ଏହି ପଡ଼ିଆରୁ ଅଭ୍ୟାସ କରି ବିଭିନ୍ନ ସ୍ତରରେ ନାମ କମାଇବା ସହ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ପ୍ରାତଃ ସମୟରେ ଏଠାରେ ଛୋଟଛୋଟ ପିଲାଙ୍କ ଭିଡ଼ ଜମିଥାଏ । ସେମାନେ ଶାରିରୀକ ଅଭ୍ୟାସ କରିଥାନ୍ତି । ସେହିପରି ବହୁ ସଂଖ୍ୟକ ବୟସ୍କ ଲୋକ ମଧ୍ୟ ପଡ଼ିଆ ଚାରିକଡ଼ରେ ପ୍ରାତଃ ଭ୍ରମଣ କରିଥାନ୍ତି । ଅନୁରୂପ ଅପରାହ୍ନରେ ମଧ୍ୟ ବହୁ ସଂଖ୍ୟକ ଖେଳାଳୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଏହି ପଡ଼ିଆରେ ଭିଡ଼ ଜମାଇଥାନ୍ତି । ଏହା ବ୍ୟତୀତ ସରକାରଙ୍କ କେତେକ ଜାତୀୟ ଦିବସ ପାଳନ ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଏନସିସି କ୍ୟାଡ଼େଟଙ୍କ ଅଭ୍ୟାସ, ବିଭିନ୍ନ ଜିଲ୍ଲା, ଜୋନ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ସବୁ ପ୍ରକାର ସୁବିଧା ସୁଯୋଗ ନଥିବାରୁ ଅଧିକାଂଶ କ୍ରୀଡ଼ାବିତ୍ ଭଦ୍ରକ କଲେଜ ପଡ଼ିଆକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏହି ପଡ଼ିଆ ନିଜର ସ୍ୱାତନ୍ତ୍ର୍ୟ ହରାଇବାକୁ ବସିଛି । ଏହି ପଡ଼ିଆର ବିକାଶ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ଓ କଲେଜ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଦେଖିବାକୁ ମିଳୁନି । କ୍ରୀଡ଼ାର ବିକାଶ ପାଇଁ ପ୍ରଶାସନ ଉଦ୍ୟମ କରୁଛି ବୋଲି କହୁଛି । ଟ୍ୟୁଟରରେ ମଧ୍ୟ ଫଟୋ ସହ କିପରି ଉଦ୍ୟମ କରୁଛି ବୁଝାଇବାକୁ ପ୍ରଶାସନ ଚେଷ୍ଟା କରୁଛି । ହେଲେ ଶହଶହ କ୍ରୀଡ଼ାବିତ ଏକତ୍ରିତ ହେଉଥିବା ଓ ଜରୁରୀକାଳୀନ ସମୟରେ ଏହାକୁ ବ୍ୟବହାର କରିଆସୁଥିବା ପ୍ରଶାସନର ଦୃଷ୍ଟି ପଡ଼ୁ ନାହିଁ । ଯାହାକି ଆଶ୍ଚର୍ଯ୍ୟଜନକ ।
ନେହେରୁ ଷ୍ଟାଡିୟମର ଶୋଚନୀୟ ଅବସ୍ଥା ପାଇଁ ସେଠାରେ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଦୀର୍ଘ ବର୍ଷ ଧରି ପାଳିତ ହୋଇ ପାରୁ ନାହିଁ । ଠିକ ଏହି ସମୟରେ ଜିଲ୍ଲାସ୍ତରୀୟ ଉକ୍ତ ଦିବସକୁ ପାଳନ କରିବାକୁ ଭଦ୍ରକ କଲେଜ ପଡ଼ିଆ ଏକମାତ୍ର ବିକଳ୍ପ । କିନ୍ତୁ ଉସବବ ସରିବା ପରେ ପଡ଼ିଆକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ମୁହଁ ବୁଲାଇ ଦେଉଛି ପ୍ରଶାସନ । ଏହି ଜାତୀୟ ଦିବସରେ ବ୍ୟାରିକେଡ ନିର୍ମାଣ ପାଇଁ ପଡ଼ିଆକୁ ଖୋଳି ବିକୃତ କରିଦେଇଥିବା ପ୍ରଶାସନ ଏହାର ମରାମତି ନକରି ପଳାଉଛି । କେତେକ କ୍ରୀଡ଼ାପ୍ରେମୀ ମରାମତି କାର୍ଯ୍ୟ କରୁଛନ୍ତି । ସେହିପରି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଠାରେ ଆୟୋଜିତ କରିଥାଏ । ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ, ବାସ୍କେଟବଲ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଏଠାରେ ଆୟୋଜିତ ହୋଇଥାଏ । ତେବେ ଏହି ପଡିଆ ପ୍ରଶାସନିକ ଅବହେଳାର ଶୀକାର ହେବା ପରେ ଏବେ କେତେକ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସଂଜ ନଇଁବାପରେ ଅନ୍ଧାରର ସୁଯୋଗରେ ଏହି ପଡ଼ିଆରେ ବହୁ ଅସାମାଜିକ ଯୁବକଙ୍କ ଭିଡ଼ ଜମୁଛି । ରାତ୍ରୀକାଳୀନ ଡ଼ିଉଟି ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୩ଜଣ ନିରାପତ୍ତା ରକ୍ଷୀଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ୁନାହିଁ । ନିୟମିତ ଭାବରେ ଏହି ଯୁବକମାନେ ଦଳ ଦଳ ହୋଇ ପଡ଼ିଆରେ ବସି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି । ନିଶା ସେବନ ପରେ ସେମାନେ ବ୍ୟବହାର କରିଥିବା ମଦ ବୋତଲ, ପାଣି ପାଉଚ, ପ୍ଲାଷ୍ଟିକ୍ ଗ୍ଲାସ ସେଇ ପଡ଼ିଆରେ ପକାଇ ପଳାଉଛନ୍ତି । ପ୍ରାତକାଳରେ ପଡ଼ିଆକୁ ଶାରିରୀକ ବ୍ୟୟାମ ପାଇଁ ଆସୁଥିବା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ଦୃଷ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି । ମହାବିଦ୍ୟାଳୟର ଚତୁୁପାଶ୍ୱର୍ରେ ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନଥିବାରୁ ବହୁ ଅସାମାଜିକ ଯୁବକ ଏଠାରେ ଭିଡ଼ ଜମାଉଛନ୍ତି । ତେବେ ଏହି ସୁନ୍ଦର ପଡ଼ିଆର ସ୍ୱତନ୍ତ୍ରତା କିପରି ରକ୍ଷା ହୋଇ ପାରିବ ସେଥିପ୍ର୍ରତି କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବାକୁ ବହୁ କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି ।