Home ଜିଲ୍ଲା ପରିକ୍ରମା ‘ପବ୍‌-ଜି’ ଖେଳରେ ମାତିଛନ୍ତି ଯୁବପିଢି

‘ପବ୍‌-ଜି’ ଖେଳରେ ମାତିଛନ୍ତି ଯୁବପିଢି

220

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାସ୍ ଖେଳିବାକୁ ଇଚ୍ଛା ହେଉନି । ଲୁଡୁ ଖେଳରେ ମନ ଲାଗୁନି । ଆଉ ଦୌଡା-ଦୌଡି, କବାଡି, ଚୋର ପୁଲିସ୍ ଖେଳ ଖେଳିଲେ ଲାଜ ଲାଗୁଛି । ସେଥିପାଇଁ ମୋବାଇଲ୍ ଧରି ବସି ପଡୁଛନ୍ତି ଏବେ ଯୁବଗୋଷ୍ଠୀ । ‘ପବ୍‌-ଜି’ ଗେମ୍‌ରେ ମାତୁଛନ୍ତି । ଏହି ଖେଳ ପାଇଁ ତ ଅଧିକାଂଶ ଯୁବକ ଦାମୀ ମୋବାଇଲ୍ କିଣୁଥିବା ଜଣାପଡିଛି । ଦିନ ଥିଲା ଯୁବକମାନେ ତାସ୍ ଖେଳ, ଲୁଡୁ, ଚେସ୍ ଭଳି ଖେଳରେ ନିଜକୁ ମତୁୱାଲା କରୁଥିଲେ । କିନ୍ତୁ ଆଜିର ସମୟ ଆଧୁନିକ ଆଡକୁ ଗତି କରୁଥିବା ବେଳେ ଟେକ୍ନୋଲୋଜିର ବହୁଳ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ବିଭିନ୍ନ ପ୍ରକାରର ମୋବାଇଲ୍ ଖେଳକୁ ଯୁବପିଢି ଆଦରି ନେଉଛନ୍ତି । ମୋବାଇଲ୍‌ରେ ଖେଳାଯାଉଥିବା ବିଭିନ୍ନ ଖେଳ ମଧ୍ୟରୁ ଏବେ ‘ପବ୍‌-ଜି’ ଖେଳ ଯୁବଗୋଷ୍ଠୀମାନଙ୍କୁ କବଳିତ କରି ରଖିଛି । ‘ପବ୍‌-ଜି’ ଖେଳ ଏମିତି ଏକ ଗେମ୍ ଥରେ ପଶିଗଲେ ଏଥିରୁ ବାହାରିବା ମୁସ୍କିଲ । ଏମିତିକି ଖାଇବା ପିଇବା ସବୁକିଛି ଭୁଲି ଗେମ୍ ନିଶାରେ ଡୁବି ଯାଉଛନ୍ତି ଯୁବ ସମାଜ । ଗେମ୍ ଶେଷ ନହେବା ପର୍ଯ୍ୟନ୍ତ ନିଦ ବି ଆସୁନି । ଗେମ୍‌ର ଗୋଟିଏ ରାଉଣ୍ଡ ଜିତିଲେ ମିଛିମିଛିକା ଚିକେନ୍ ଡିନର ଖାଇ ଆନନ୍ଦିତ ହେଉଛନ୍ତି ଯୁବକ । ଗେମ୍ ଖେଳୁଥିବାବେଳେ କେହି ପ୍ରତିବାଦ କଲେ ସେମାନଙ୍କ ସହ ଝଗଡା ମଧ୍ୟ କରିବାକୁ ପଛାଉ ନାହାଁନ୍ତି । ଭଦ୍ରକ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅଧିକାଂଶ ଯୁବଗୋଷ୍ଠୀ ‘ପବ୍‌-ଜି’ ଖେଳରେ ନିଜକୁ ହଜାଇ ଦେଉଛନ୍ତି । କେମିତି ହୁଏ ଖେଳ …. ଏହାକୁ ଖେଳିବାକୁ ହେଲେ ପ୍ରଥମେ ମୋବାଇଲ୍ ଅନ୍‌ଲାଇନ୍ କରିବାକୁ ପଡିଥାଏ । ‘ପବ୍‌-ଜି’ ଖେଳିବାକୁ ସର୍ବାଧିକ ୪ ଜଣ ସାଙ୍ଗ ଏକାଥରକେ ଏହାକୁ ଖେଳିପାରିବେ । ଖେଳର ଭୂମିକା ହେଲା ଏକ ନିଛାଟିଆ ଜଂଗଲ ବା ମରୁଭୂମିରେ ଗୋଳାବାରୁଦ ଧରି ଛକି ରହି ଶତ୍ରୁପକ୍ଷ ଲୋକଙ୍କୁ ଗୁଳି କରି ମାରିବାକୁ ପଡିଥାଏ । ଶତ୍ରୁପକ୍ଷ ଲୋକଙ୍କୁ ନିପାତ କରିବା ପରେ ଖେଳର ପ୍ରଥମ ବିଜୟ ହୋଇଥାଏ । ଏପରିକି କେହି କେହି ଗେମ୍ ଖୋଲିଲାବେଳେ ନିଜର ସୁରକ୍ଷା ପାଇଁ ମିଛିମିଛିକା ବୁଲେଟ୍ ପ୍ରୁଫ୍ ଜାକେଟ, ଗାଡିବନ୍ଧୁକ ଇତ୍ୟାଦି କିଣିବା ପାଇଁ ଅନ୍‌ଲାଇନ୍‌ରେ ବି ପେମେଟ୍ କରିବାକୁ ପଡିଥାଏ । ଏଥିପାଇଁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡୁଥାଏ । ତଥାପି ଯୁବ ସମାଜ ଏହି ଖେଳରୁ ନିଜକୁ ଦୂରେଇ ରଖିପାରୁନାହାଁନ୍ତି । ଖେଳର ପ୍ରଭାବ ‘ପବ୍‌-ଜି’ ଖେଳିବା ଦ୍ୱାରା ଯୁବପିଢିମାନଙ୍କ ସମୟ ନଷ୍ଟ ହେଉଥିବାବେଳେ ପାଠ ପଢିବାକୁ ଆଗ୍ରହ କମିଯାଏ । ଠିକ୍ ସମୟରେ ଖାଇବାକୁ ମନ ହେଉ ନଥିବାବେଳେ ଭୋକ ଶୋଷ କିଛି ଲାଗିନଥାଏ । ଏହି ଖେଳରେ ମୋବାଇଲ୍ ସ୍କ୍ରିନ୍‌କୁ ଘଣ୍ଟା ଘଣ୍ଟା ଚାହିଁ ରହିବାକୁ ପଡୁଥିବାରୁ ଆଖିର ହ୍ରାସ ହେବାକୁ ଲାଗିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.