Home ଜିଲ୍ଲା ପରିକ୍ରମା ପବିତ୍ର ରାହାସପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣି ପୀଠରେ ୩୦ହଜାର ଭକ୍ତଙ୍କ ସମାଗମ, ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ...

ପବିତ୍ର ରାହାସପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣି ପୀଠରେ ୩୦ହଜାର ଭକ୍ତଙ୍କ ସମାଗମ, ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ମଣିବାବା

20

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାହାସପୂର୍ଣ୍ଣିମା ପାଇଁ ଶୁକ୍ରବାର ଦିନତମାମ ଉତ୍ସବମୁଖର ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ମଣିବାବାଙ୍କ ଦୁର୍ଲଭ ହରଗୌରୀ ବେଶ ଓ ପଂଚାନନ ବେଶ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ୩୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତଙ୍କ ଭିଡ ଲାଗିଥିଲା ପୀଠରେ । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ମଣିବାବାଙ୍କ ମନ୍ଦିରରେ ଦୈନନ୍ଦିନ ନୀତିନୀର୍ଘଂଟର ସାମାନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ସହଳ କରାଯାଇଥିଲା । ଶ୍ରଦ୍ଧାଳୁଭକ୍ତମାନେ ଭୋର ୪ଟାରୁ ରାତି ୧୧ଟା ଯାଏଁ ସାହଣମେଲା ଦର୍ଶନ କରିଥିଲେ । ପବିତ୍ର ରାହାସପୂର୍ଣ୍ଣିମା ପାଇଁ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ତାହାସହ ହଜାରହଜାର ଭକ୍ତଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମନ୍ଦିର ପରିସର । ରାତ୍ର ୩ଟାରେ ଶ୍ରଦ୍ଧାଳୁଭକ୍ତମାନେ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ବୁଡ ପକାଇବା ସହିତ ଆ କା ମା ବୈ ଧ୍ୱନି ଦେଇ ବୋଇତ ଭସାଇଥିଲେ । ମଣିବାବାଙ୍କର ସମସ୍ତ ସକାଳ ନୀତିକିନ୍ତି ମଧ୍ୟାହ୍ନ ୧ଟା ସୁଧା ସରିବା ପରେ ପରମ୍ପର ଅନୁଯାୟୀ ମଣିବାବାଙ୍କୁ କ୍ୱିଂଟାଲ କ୍ୱିଂଟାଲ ରୂପା ଅଳଙ୍କାରରେ ପଂଚାନନ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବା ପାଇଁ ଭକ୍ତ ମାନେ ଧାଡିରେ ମନ୍ଦିର ମଧ୍ୟକୁ ଯାଇ ଦର୍ଶନ କରିଥିଲେ । ପରେ ଅପରାହ୍ଣ ୪ଟାରେ ମନ୍ଦିର ଗର୍ଭ ଗୃହକୁ ସୋଧନ କରାଯାଇ ମଣିବାବାଙ୍କୁ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ବର୍ଷର ଗୋଟିଏଦିନ ଯାହାକି ରାହାସପୂର୍ଣ୍ଣିମା ଦିନରେ ମାତା ପାର୍ବତୀ ମଣିବାବାଙ୍କ ସହ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପବିତ୍ର କାର୍ତିକମାସ ପଂଚକବ୍ରତରେ ଦେବଦମ୍ପତିଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ଭକ୍ତଙ୍କ ମନରେ । ସେହିପରି ଅଳାଁନବମୀ ଠାରୁ ମଣିବାବାଙ୍କ ମନ୍ଦିର ବେଢାରେ ଅନୁଷ୍ଠିତ ହେଉଥିବା ଭାଗବତ ସପ୍ତାହର ପୂର୍ଣ୍ଣ ଆହୁତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୀଠର ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ପୁଲିସ ପ୍ରଶାସନଙ୍କ ସହ ବାବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତ୍ୱତାବଧାନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.