Home ଜିଲ୍ଲା ପରିକ୍ରମା ପବିତ୍ର ଦୁର୍ଗାଷ୍ଟମୀରେ ଭଦ୍ରକ ସହର ଚଳଚଂଚଳ, ସନ୍ଥିଆର ବିରଳ ଝୁଣା ଆଳତୀର ଆରାଧନା ପର୍ବ

ପବିତ୍ର ଦୁର୍ଗାଷ୍ଟମୀରେ ଭଦ୍ରକ ସହର ଚଳଚଂଚଳ, ସନ୍ଥିଆର ବିରଳ ଝୁଣା ଆଳତୀର ଆରାଧନା ପର୍ବ

19

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ସହରର ବିଭିନ୍ନ ପୂଜା ମଣ୍ଡପରେ ବେଶ୍ ଭିଡ ପରିଲକ୍ଷିତ ହୋଇଛି। ପ୍ରାଚୀନଗର ଠାରୁ ଆରମ୍ଭ କରି ମା’ ବଙ୍କବାସୀଳୀ, ଗାନ୍ଧିପଡିଆ, ଜାନୁଗଞ୍ଜ, ବାଇପାସ ଓ ସନ୍ଥିଆ ନୀଳକଣ୍ଠପୁର ପୂଜା ମଣ୍ଡପରେ ନାହିଁ ନଥିବା ଶ୍ରଦ୍ଧାଳୁଙ୍କର ସମାଗମ ପରିବେଶକୁ ଭକ୍ତିମୟ କରିଛି। ତେବେ ଏହି ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ଭଦ୍ରକ ସହରର ସନ୍ଥ ନଗର ଭାବେ ପ୍ରତିଷ୍ଠିତ ସନ୍ଥିଆ ଓ ନୀଳକଣ୍ଠପୁର ମା’ ଦୁର୍ଗାଙ୍କ ପୀଠରେ ବହୁ ପ୍ରସିଦ୍ଧ ଝୁଣା ଆଳତୀ ଆରାଧନା ପର୍ବ ଅନୁଷ୍ଠିତ ହୋଇଥାଏ। ଏଠାରେ ସୂଚନାଯୋଗ୍ୟ ସନ୍ଥିଆ ପୀଠରେ ମା’ ଦୁର୍ଗାଙ୍କ ମେଢ଼ ପ୍ରାୟ ୮ଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ପୂଜାପାଇ ଆସୁଛନ୍ତି ବୋଲି ପୂଜା କରୁଥିବା ଗୋସ୍ୱାମୀ ପରିବାର କହନ୍ତି। ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି, ପ୍ରଥମେ ବଣଜଙ୍ଗଲ ଭରା ଏହି ଅଂଚଳର ଏକ ବଉଳଗଛ ମୂଳେ ବଉଳ ବୁଢ଼ୀ ନାମ ଜନୈକା ବୃଦ୍ଧାଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ପରେ ଗୋସ୍ୱାମୀ ପରିବାର ଓ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ପୂଜା ଅଦ୍ୟାବଧି ପାଳିତ ହୋଇଆସୁଛି। ଏହି ପୂଜାର ବିଶେଷତ୍ୱ ହେଲା ଝୁଣା-ଆଳତୀ ଅବସରରେ ଉଭୟ ମହିଳା-ପୁରୁଷ ମୁଣ୍ଡରେ ଆଳତୀ ଥାଳିଆ ରଖି ମା’ଙ୍କୁ ଆରାଧନା କରିବା। ଯାହା କଲେ ମାନସିକ ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।ସନ୍ଥିଆର ମା’ଙ୍କ ପୀଠର ଏହି ଝୁଣା ଆଳତୀ ବେଶ୍ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ। ଏଠାରେ ସୂଚନାଯୋଗ୍ୟ ଯେଉଁ ଭକ୍ତଙ୍କର ମାନିସକ ରଖିବାର ଥାଏ କିମ୍ବା ପୂରଣ ହୋଇଥାଏ, ସେମାନେ ସାଳନ୍ଦୀ ନଦୀରେ ସ୍ନାନ କରି ଓଦା ବସ୍ତ୍ର ପରିଧାନ ପୂର୍ବକ ମଥାରେ ଝୁଣା ଜଳା ମାଟିପାତ୍ର ରଖି ଦୀର୍ଘ ସମୟ ମା’ଙ୍କ ପାଖରେ ଯେଉଁ ଆଳତୀ କରିଥାନ୍ତି, ତାହା ଝୁଣା ଆଳତୀ ନାମରେ ସର୍ବଜନବିଦିତ। ବର୍ତମାନ ସନ୍ଥିଆ ପୂଜା ଦାୟିତ୍ୱରେ ଥିବା ଆଶିଷ ଗୋସ୍ୱାମୀ ଓ କେଦାର ଭଟ୍ଟାଚାର୍ଯ୍ୟଙ୍କ କହିବାନୁସାରେ ଏହି ଝୁଣା ଆଳତୀ ପ୍ରତିବର୍ଷ ଦେବୀଙ୍କ ଅଷ୍ଟମୀ ପୂଜା ଅବସରରେ ହୋଇଥାଏ। ଏଥିପାଇଁ ଭଦ୍ରକ ସମେତ ପଡ଼ୋଶୀ ଜିଲାରୁ ମାନସିକଧାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ସେହିଭଳି ନୀଳକଣ୍ଠପୁର ମା’ ଦୁର୍ଗାଙ୍କ ପୀଠରେ ଏହିଭଳି ଝୁଣା ଆଳତୀ ଆରାଧନା ପର୍ବ ଗତ କିଛି ବର୍ଷଧରି ଅନୁଷ୍ଠିତ ହୋଇଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.