Home ଜିଲ୍ଲା ପରିକ୍ରମା ପତ୍ରିକା ‘ଆକଳନ’ ପୂଜା ସଂଖ୍ୟାର ଆଲୋଚନା ଆସର

ପତ୍ରିକା ‘ଆକଳନ’ ପୂଜା ସଂଖ୍ୟାର ଆଲୋଚନା ଆସର

8

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଏକମାତ୍ର ସମାଲୋଚନା ମୂଳକ ସାହିତ୍ୟ ପତ୍ରିକା ‘ଆକଳନ’ ପୂଜା ସଂଖ୍ୟାର ଏକ ଆଲୋଚନା ଆସର ମହେନ୍ଦ୍ର ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ସଂପାଦକ ଡ. ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଗାଳ୍ପିକ ଓ ଶିକ୍ଷାବିତ୍ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଓ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଫେସର ମହାପାତ୍ର କହିଲେ ଜଣେ ସମାଲୋଚକ ସାହିତ୍ୟ ସୃଷ୍ଟିର ଅନ୍ତର୍ନିହିତ ଚେତନା ଓ ଅଭିବ୍ୟକ୍ତିକୁ ପ୍ରବେଶ କରିବା ଉଚିତ୍‌। ସେ ପାଶ୍ଚାତ୍ୟ ସମାଲୋଚକଙ୍କ ଦୃଷ୍ଟିକୋଣକୁ କେବଳ ଉଦୃତି ଭାବରେ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ଆକଳନ ର ପୂଜା ସଂଖ୍ୟା ବିଶିଷ୍ଟ କବି ଦିବଂଗତ ରମାକାନ୍ତ ରଥଙ୍କ ସଂପର୍କରେ ଏକ ବିଶେଷାଙ୍କ ହୋଇଥିବାରୁ ଶ୍ରୀ ମହାପାତ୍ର ପତ୍ରିକାର ସଂପାଦକଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟବକ୍ତା ଡ. ମିଶ୍ର କବି ରମାକାନ୍ତଙ୍କ କାବ୍ୟାଦର୍ଶର ଏକ ସାମାଗ୍ରିକ ଆକଳନ କରି କହିଲେ ଯେ ରମାକାନ୍ତଙ୍କ କାବ୍ୟପୁରୁଷ ଏକ ବିଖଣ୍ଡିତ ବ୍ୟକ୍ତିସତ୍ୱା। ପ୍ରେମ ଓ ପରିତ୍ରାଣ ହେଉଛି ତାଙ୍କ କାବ୍ୟ ଚେତନାର ଦୁଇଟି ଦିଗ। ଭୋଗ ଅପେକ୍ଷା ଭୟର ଆତୁରତା ଅଧିକ। ରମାକାନ୍ତଙ୍କ ବିଚାରରେ ମଣିଷ ହେଉଛି ଶୂନ୍ୟର ଅବତାର। ତାଙ୍କର ଅଧିକାଂଶ କାବ୍ୟରୁ ପ୍ରେମର ଆତୁର ଓ ଭୟାର୍ତ ସମର୍ପଣ ଦେଖିବାକୁ ମିଳେ। ପତ୍ରିକାର ସଂପାଦକ ଡ. ଦାସ କହିଲେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସମାଲୋଚନା ଓ ସମୀକ୍ଷା ଧର୍ମୀ ଲେଖାର ଘୋର ଅଭାବ ରହିଛି। ପୂଜାସଂଖ୍ୟା ପତ୍ରିକା ମାନଙ୍କରେ କେବଳ ଗଳ୍ପ ଓ କବିତାର ଆସର ଜମିଛି। ସମାଲୋଚନା ସାହିତ୍ୟର ପୁନରୁଦ୍ଧାର ପାଇଁ ଆକଳନ ତାର ପ୍ରଚେଷ୍ଟା ଜାରି ରଖି ଆଜି ପାଠକୀୟ ଆଦୃତି ଲାଭ କରିଛି। ଫଳରେ ପତ୍ରିକାଟି ଆଜି ନବମ ବର୍ଷରେ ପଦାର୍ପଣ କରିଛି। ସହଯୋଗୀ ସଂପାଦକ କବି ଭରତ ଚନ୍ଦ୍ର ଦାସ ମଂଚ ଆବାହନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ମହେନ୍ଦ୍ର ଭବନ ସଭାଗୃହରେ ଭରପୁର ସାହିତ୍ୟିକମାନଙ୍କ ମଧ୍ୟରେ ଡ. ଗୋଲକ ବିହାରୀ ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ଡ. ରାଇମୋହନ ମହାପାତ୍ର, ଡ. ବଳରାମ ମିଶ୍ର, ଅଧ୍ୟାପକ ଗୋଲକ ନାୟକ, ଡ. କାନୁନ ମହାନ୍ତି, ଉଷାରାଣୀ ଜେନା, ଡ. କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ନାସିର ବକ୍ସ, ଲକ୍ଷ୍ମୀଧର ଦାସ, ପଦ୍ମନ ରାୟ, ବୈଲୋଚନ ବେହୁରିଆ ପ୍ରମୁଖ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.