ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ସାପକାତିଆ ଗ୍ରାମର ଉର୍ବଶୀ ଦାସ (୩୫) ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପପୁ ଦାସ (୪୦) ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୀରହାଟ ପୁଲିସ ଉର୍ବଶୀଙ୍କ ବାପା ବାଂଶଡ଼ା ଥାନା ଅଧୀନ ଛେଡ଼ାକ ଗ୍ରାମର ରମେଶ ଜେନାଙ୍କ ଅଭିଯୋଗ ମୂଳେ ୧୩୦/୨୫ରେ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ପପୁକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୋଗରୁ ପ୍ରକାଶ ଯେ, ରମେଶଙ୍କ ଝିଅ ଉର୍ବଶୀ ସାପକାତିଆ ଗ୍ରାମର ଗୋଲେଖ ଦାସଙ୍କ ପୁଅ ପପୁଙ୍କୁ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ବିଭିନ୍ନ ସମୟରେ ପାରିବାରିକ କଳହ ଉପୁଜୁଥିଲା। ରବିବାର ପୂର୍ବାହ୍ନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ପପୁ ଏକ ବାଡ଼ି ସହାୟତାରେ ଉର୍ବଶୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଘଟଣାର ଦୀର୍ଘ ସମୟ ପରେ ପପୁ ତାଙ୍କ ଶଶୁର ଘର ଲୋକଙ୍କୁ ଉର୍ବଶୀ ଛାତରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ନେଇ ଖବର ଦେଇଥିଲେ। ଉର୍ବଶୀଙ୍କ ବାପା ଓ ଅନ୍ୟମାନେ ସାପକାତିଆ ଗ୍ରାମରେ ପହଂଚି ମୃତ ଦେହ ଦେଖିବା ପରେ ତାଙ୍କଝିଅକୁ ହତ୍ୟା କରାଯାଇଥିବା ମନରେ ସନ୍ଦେହ କରିଥିଲେ। ପରେ ଏ ସମ୍ପର୍କରେ ଉର୍ବଶୀଙ୍କ ବାପା ରମେଶ ପୀରହାଟ ପୁଲିସକୁ ଖବର ଦେଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ପୁଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହ ସ୍ୱାମୀ ପପୁ ଖସି ପଳାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲା। ସୋମବାର ପୂର୍ବାହ୍ନ ୧୦ଟାରେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି ମହିଳାଙ୍କ ମୃତ ଦେହକୁ ଜବତ କରିଥିବା ଜଣାଯାଇଛି।








